ବାଣୀବିହା‌ରରେ ଅଧାଗଢ଼ା ସିଣ୍ଡିକେଟ୍‌: କୁଳପତି ଚୟନ ପ୍ରକ୍ରିୟା ବିଳମ୍ବ ଆଶଙ୍କା

ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୪ର ସେକ୍ସନ ୧୦(୧) ଅନୁଯାୟୀ ଉତ୍କଳ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍‌ ଗଠନ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କିମ୍ବା ତାଙ୍କ ପ୍ରତିନିଧି, ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ....

Utkal-University-750x375

ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୪ର ସେକ୍ସନ ୧୦(୧) ଅନୁଯାୟୀ ଉତ୍କଳ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍‌ ଗଠନ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କିମ୍ବା ତାଙ୍କ ପ୍ରତିନିଧି, ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ, କଲେଜ ଉନ୍ନୟନ ପରିଷଦ(ସିଡିସି) ନିର୍ଦ୍ଦେଶକ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ଉତ୍କଳ ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରଫେସର ଅସୀମ ରଞ୍ଜନ ପହି, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ଡା, ଜେଏନ୍‌ୟୁର ଅବସରପ୍ରାପ୍ତ ପ୍ରଫେସର ଅଜିତ୍‌ ମହାନ୍ତି, ଜେଏନ୍‌ୟୁର ସ୍କୁଲ ଅଫ୍‌ ଇଣ୍ଟରନ୍ୟାସନାଲ ଷ୍ଟଡିସ୍‌ର ପ୍ରଫେସର ଅଶ୍ବିନୀ ମହାପାତ୍ର, ରେଭେନ୍ସା ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଅସୀମା ସାହୁ, ଏଏମ୍‌/ଏନ୍‌ଏସ୍‌ର ବରିଷ୍ଠ ଏଚ୍‌ଆର ଦେବବ୍ରତ ଦାଶ, ରାଜଧାନୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜକାନ୍ତ ଚୌଧୁରୀ, ରାଜା ମଧୁସୂଦନ ଦେବ ଡିଗ୍ରି କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ସିଣ୍ଡିକେଟ୍‌କୁ ମନୋନୀତ ହୋଇଛନ୍ତି।ଏସମ୍ପର୍କରେ ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ପକ୍ଷରୁ ଗତ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇଛି। 

କର୍ତ୍ତୃପକ୍ଷଙ୍କଠାରୁ ମନୋନୟନପତ୍ର ପାଇବା ପରେ ସିଣ୍ଡିକେଟ୍‌ର ଅନ୍ୟ ସଦସ୍ୟମାନଙ୍କ ନାମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି। ଅର୍ଥାତ୍‌ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ସିଣ୍ଡିକେଟ୍‌ ଗଠନ ହୋଇପାରି ନାହିଁ। ସିଣ୍ଡିକେଟ୍‌ ସଦସ୍ୟମାନଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକ‌ାଶ ପାଇବା ଦିନଠାରୁ ୪ ବର୍ଷ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ବିଶ୍ବବିଦ୍ୟାଳୟ କୁଳସଚିବ ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ସଚିବ, ରାଜଭବନ, ସମସ୍ତ ବିଶ୍ବବିଦ୍ୟାଳୟ କୁଳସଚିବ ଓ ଅନୁବନ୍ଧିତ କଲେଜ ଅଧ୍ୟକ୍ଷମାନଙ୍କୁ ଅବଗତ କରିଛନ୍ତି।

ଗୋଟିଏ ପଟେ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ଅଧାଗଢ଼ା ସିଣ୍ଡିକେଟ୍‌କୁ ଆଶାୟୀମାନେ ନାପସନ୍ଦ କରିଛନ୍ତି। କାରଣ କୁଳପତି ଚୟନ ପାଇଁ ଗଠିତ ହେବାକୁ ଥିବା ତିନିଜଣିଆ ଚୟନ କମିଟିରେ କୁଳାଧିପତି ତଥା ରାଜ୍ୟପାଳଙ୍କ ପ୍ରତିନିଧି, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଓ ସିଣ୍ଡିକେଟ୍‌ର ଜଣେ ଲେଖାଏଁ ପ୍ରତିନିଧି ସ୍ଥାନ ପାଇବେ। ଇତିମଧ୍ୟରେ କୁଳପତି ପଦବି ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚୟନ କମିଟି ଗଠନ ହୋଇପାରି ନ ଥିବାରୁ କୁଳପତି ଚୟନ ପ୍ରକ୍ରିୟା ବିଳମ୍ବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଯେତେଶୀଘ୍ର ସମ୍ଭବ ଏଦିଗରେ ପଦକ୍ଷେପ ନେବାକୁ ପୂର୍ବତନ କୁଳପତିମାନେ ମତପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ କୁଳାଧିପତିଙ୍କ ପ୍ରତିନିଧି ଇତିମଧ୍ୟରେ ସ୍ଥିର ହୋଇସାରିଛନ୍ତି। ମାତ୍ର ସିଣ୍ଡିକେଟ୍‌ ପକ୍ଷରୁ କୌଣସି ପ୍ରତିନିଧିଙ୍କ ନାଁ ପଠାଯାଇ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ସିଣ୍ଡିକେଟ୍‌ ଗଠନ ପ୍ରକ୍ରିୟା ତୁରନ୍ତ ଚୂଡ଼ାନ୍ତ କରି ଏହାର ଅଧିବେଶନ ଡାକି ଜଣେ ପ୍ରତିନିଧିଙ୍କୁ ମନୋନୀତ କରିବାକୁ ପୁରାତନ ଛାତ୍ରମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe