ଭୁବନେଶ୍ବର: ରାଜଧାନୀରେ ଉଦ୍ବେଗଜନକ ଭାବେ ମାଡ଼ି ଚାଲିଛି ଡେଙ୍ଗୁ। ୭ ନମ୍ବର ୱାର୍ଡର ନୀଳାଦ୍ରିବିହାରରୁ ଆରମ୍ଭ ହୋଇଥିବା ଡେଙ୍ଗୁରେ ଏଯାଏ ସହରର ୭ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲାଣି। ଏବେ ସୁଦ୍ଧା ଅଧା ରାଜଧାନୀକୁ କବ୍ଜା କରି ସାରିଲାଣି ଡେଙ୍ଗୁ। ଆଜି ୫୦କୁ ମିଶାଇ ଗତ ଦୁଇ ଦିନରେ ୧୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସରକାରୀ ଭାବେ ଆକ୍ରାନ୍ତ ସଂଖ୍ୟା ୭୧୪ରେ ପହଞ୍ଚିଛି। ତେବେ ବେସରକାରୀ ଭାବେ ରାଜଧାନୀର ଦେଢ଼ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଥିବା କୁହାଯାଉଛି। ଗୋଟିଏ ପଟେ ଡେଙ୍ଗୁ ମୁକାବିଲା ନେଇ ବିଳମ୍ବରେ ବିଏମ୍ସିର ନିଦ ଭାଙ୍ଗିଥିବା ବେଳେ ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ଅପାରଗତା ପାଇଁ ସ୍ଥିତି ସାଂଘାତିକ ରୂପ ଧରିଲାଣି। ଏତେ ସଚେତନତା ଅଭିଯାନ ସାଙ୍ଗକୁ ଅନେକ ମଶା ଉତ୍ସ ନଷ୍ଟ କରାଯିବା ସତ୍ତ୍ବେ ଗଳିକନ୍ଦିରେ ଡେଙ୍ଗୁ ମାଡ଼ି ଚାଲିଥିବାରୁ ଲୋକେ ବି ଭୟଭୀତ ହୋଇପଡ଼ିଲେଣି।
ଚିନ୍ତାର ବିଷୟ ହେଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ସୋମବାର ସୁଦ୍ଧା ସହରରେ ୬୬୪ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୧୪ରେ ପହଞ୍ଚିଛି। ଡେଙ୍ଗୁ ଯେଉଁଭଳି ଭାବେ ମାଡ଼ୁଛି ପ୍ରଶାସନ ସେଭଳି ଭାବେ ତତ୍ପରତା ପ୍ରକାଶ କରୁଥିବା ନଜରକୁ ଆସିନି। ଯଦି ସପ୍ତାହକର ହିସାବ ଉପରେ ନଜର ପକାଇବା ତେବେ ଡେଙ୍ଗୁ ବେକାବୁ ହେବାରେ ଲାଗିଛି ବୋଲି ସ୍ପଷ୍ଟ ହୋଇଯାଇଛି। ଜୁଲାଇ ୨୬ରେ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ ରହିଥିଲା। ସେତେବେଳେ ଦିନକୁ ୨୦ରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ପରବର୍ତ୍ତୀ ୭ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହୋଇଛି। ଡେଙ୍ଗୁ ମଶା ଲାର୍ଭା ବଂଶ ବିସ୍ତାର କରୁଥିବା ସଂଖ୍ୟା ମଧ୍ୟ ବହୁଗୁଣିତ ହୋଇଛି। ହେଲେ ବିଏମ୍ସିର ସଚେତନତା ଅଭିଯାନ ବହୁତ ପଛରେ ପଡ଼ିଛି। ବିଏମ୍ସିର ନିଜସ୍ବ ହିସାବ କହୁଛି, ଜୁଲାଇ ୨୭ ସୁଦ୍ଧା ବିଏମ୍ସି ପକ୍ଷରୁ ୪ ହଜାର ୯୦୧ ପରିବାରର ୨୦ ହଜାର ୩୫୦ ଲୋକଙ୍କ ପାଖରେ ପହଞ୍ଚି ବିଏମ୍ସି ସଚେତନ କରାଇଥିଲା। ଆଜିର ଦିନରେ ବିଏମ୍ସିର ସଚେତନତା ୬ ହଜାର ୧୯୩ ପରିବାରର ୨୫ ହଜାର ୯୦୯ ଲୋକଙ୍କ ନିକଟରେ ପହଞ୍ଚିଛି। ୭ ଦିନ ମଧ୍ୟରେ ମାତ୍ର ସାଢ଼େ ୫ ହଜାର ଲୋକଙ୍କୁ ସଚେତନ କରିବାରେ ବିଏମ୍ସି ସଫଳ ହୋଇଛି। ସଂକ୍ରମଣ ବଢ଼ୁଥିବା ବେଳେ ବିଏମ୍ସିର ଏଭଳି ମନ୍ଥରତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ଆଉ ଏକ ବିସ୍ମୟର ବିଷୟ ହେଲା ରାଜଧାନୀରେ ଅଣବସ୍ତି ଅଞ୍ଚଳ ଅର୍ଥାତ ବସ୍ତି ବାହାରେ ଥିବା ଆବାସିକ କଲୋନି ଅଞ୍ଚଳରେ ଏଥର ଡେଙ୍ଗୁ ମାଡ଼ିଚାଲିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଏଭଳି ତଥ୍ୟ ପଦାକୁ ଆସିଛି। ବିଭାଗର ଜଣେ ବରିଷ୍ଠ ଅଧିକରୀ କହିଛନ୍ତି ଯେ ବସ୍ତି ଅଞ୍ଚଳରେ ଏ ପର୍ଯ୍ୟନ୍ତ ସେମିତି ବେଶି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ପୂର୍ବରୁ ସହରରେ ଯେତେଥର ବି ଡେଙ୍ଗୁ ବ୍ୟାପିଛି ବସ୍ତି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିଲା। ତେବେ ଏଥର କଲୋନିମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଆଉ ଏହାର ମୁଖ୍ୟ ଉତ୍ସ ପାଲଟିଛି ଲୋକଙ୍କ ଛାତ ଉପରେ ହୋଇଥିବା କିଚେନ୍ ଗାର୍ଡେନ୍। ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ପଟିଆ ଅଞ୍ଚଳରେ ବହୁ ଲୋକ ନିଜ ଘର ଛାତ ଉପରେ କିଚେନ୍ ଗାର୍ଡେନ୍ କରିଛନ୍ତି। ସେଠାରେ ଥିବା ପାତ୍ରରେ ସଫା ପାଣି ଜମି ରହୁଥିବାରୁ ଏହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ଆଉ କିଛି ଲୋକ ନିଜ ଘର ଅଗଣାରେ ମନି ପ୍ଲାଣ୍ଟ, ଫୁଲକୁଣ୍ଡ ଲଗାଇଛନ୍ତି। ଏଥିରୁ ନିୟମିତ ଭାବେ ପାଣି ନିଷ୍କାସନ କରୁ ନ ଥିବାରୁ ତାହା ଦ୍ବାରା ଏଡିସ୍ ମଶା ବଂଶ ବୃଦ୍ଧି ପାଉଛି। ବସ୍ତି ଅଞ୍ଚଳରେ କାଁ ଭାଁ ରୋଗୀ ଚିହ୍ନଟ ହୋଇଥିବା ଅଧିକାରୀ ଜଣକ କହିଛନ୍ତି।
Follow Us