ସିଡାକ୍‌ର ହସ୍ତକଳା ପ୍ରଶିକ୍ଷଣ କେନ୍ଦ୍ର: ପଟ୍ଟଚିତ୍ର, ଚାନ୍ଦୁଆ ପାଇଁ ବଢ଼ୁଛି ଆଗ୍ରହ

Advertisment

କାଠ, ପଥର ଖୋଦେଇରେ ସିଟ୍ ଖାଲି, ଖୁବ ଶୀଘ୍ର ଆରମ୍ଭ ହେବ ବାଉଁଶକଳା ପ୍ରଶିକ୍ଷଣ

କାଠ, ପଥର ଖୋଦେଇରେ ସିଟ୍ ଖାଲି, ଖୁବ ଶୀଘ୍ର ଆରମ୍ଭ ହେବ ବାଉଁଶକଳା ପ୍ରଶିକ୍ଷଣ

ସିଡାକ୍‌ର ହସ୍ତକଳା ପ୍ରଶିକ୍ଷଣ କେନ୍ଦ୍ର: ପଟ୍ଟଚିତ୍ର, ଚାନ୍ଦୁଆ ପାଇଁ ବଢ଼ୁଛି ଆଗ୍ରହ

ଭୁବନେଶ୍ବର: ହସ୍ତକଳାର ବିକାଶ ପାଇଁ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ପକ୍ଷରୁ ପଟ୍ଟଚିତ୍ର, ଚାନ୍ଦୁଆ, ଟେରାକୋଟା, କାଠ ଖୋଦେଇ, ପଥର ଖୋଦେଇ‌ରେ ତିନିବର୍ଷିଆ ପାଠ୍ୟକ୍ରମ ପ୍ରଦାନ କରାଯାଉଛି।ତେବେ ପଟ୍ଟଚିତ୍ର, ଚାନ୍ଦୁଆ‌‌‌ରେ ପିଲାଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁଅଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଝିଅ ଏହି ପ୍ରଶିକ୍ଷଣ ନେଉଛନ୍ତି। କିନ୍ତୁ ପଥର ଖୋଦେଇ ଏବଂ କାଠ ଖୋଦେଇ ହସ୍ତକଳା ପ୍ରଶିକ୍ଷଣରେ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି। ଅପରପପକ୍ଷେ ଖୁବ୍‌ଶୀଘ୍ର ଏଠାରେ ବାଉଁଶ ହସ୍ତକଳା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସିଡାକ୍‌ର ସହକାରୀ ନିର୍ଦ୍ଦେଶକ ସନ୍ତୋଷ ମହାନ୍ତି ସୂଚନା ଦେଇଛନ୍ତି। ଆଜିକା ଇଣ୍ଟରନେଟ୍ ଯୁଗରେ ରାଜଧାନୀର ଯୁବପିଢ଼ି ଯେ ତାଳପତ୍ରରେ ସୁନ୍ଦର-ସୁନ୍ଦର ଚିତ୍ର କରୁଥିବେ, ଚାନ୍ଦୁଆ ତିଆରି କରୁଥିବେ, ଟେରାକୋଟା ସାମଗ୍ରୀ ନିର୍ମାଣ କରୁଥିବେ; ନିଜେ ନ ଦେଖିଲେ ବିଶ୍ବାସ କରିହେବ ନାହିଁ।

କଳାଭୂମିସ୍ଥିତ ହସ୍ତକଳା ପ୍ରଶିକ୍ଷଣ କେନ୍ଦ୍ର‌ରେ ଏହି ଦୃଶ୍ୟ ଦେଖିବାକୁ ମିଳୁଛି। ୨୦୦୪ ମସିହାରୁ ଏଠାରେ ସ୍ବତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ରହିଛି। ୧୦ଟି ଲେଖାଏଁ ସିଟ୍ ହିସାବରେ ବେସିକ୍‌, ହାୟର ଏବଂ ମାଷ୍ଟର୍ସର ତିନିବର୍ଷିଆ ପାଠ୍ୟକ୍ରମ ରହିଛି। ଟେରାକୋଟା, ଚାନ୍ଦୁଆରେ ପିଲାଙ୍କ ଅଧିକ ଆଗ୍ରହ ସତ୍ତ୍ବେ ଏହାର ମାଷ୍ଟର୍ସ ନାହିଁ। ଏଠାରେ ପ୍ରଶିକ୍ଷଣ ନେଉଥିବା ୟୁନିଟ୍‌-୯ ଅଞ୍ଚଳର ସେବା ସାମନ୍ତ କହନ୍ତି, ଓଡ଼ିଶା କଳା ସଂସ୍କୃତିର ପରିଚୟ ହିଁ ପଟ୍ଟଚିତ୍ର। ରଘୁରାଜପୁର ବୁଲି ଆସିଲେ ଏହାର ସୁନ୍ଦରତା ଯେକେହି ଅନୁଭବ କରିପାରିବ। ମାତ୍ର ଆଜି ଏହାର ଗୁରୁତ୍ବ ହ୍ରାସ ପାଉଥିବାରୁ ସେ ଏହାକୁ ଆପଣେଇଛନ୍ତି। ପେଣ୍ଟିଂ ତାଙ୍କର ପସନ୍ଦ। ତେଣୁ ପଟ୍ଟଚିତ୍ର ତିଆରି ତାଙ୍କୁ ନିଆରା ଖୁସି ଦେଇଥାଏ।

ତାଳପତ୍ର ପେଣ୍ଟିଂ କରୁଥିବା ମମତା କହନ୍ତି, ପାରମ୍ପରିକ ଆର୍ଟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି। ଏହାକୁ ନେଇ ବ୍ୟବସାୟ ମଧ୍ୟ କରାଯାଇ ପାରିବ। ବାହାରେ ତାଳପତ୍ର ଆର୍ଟର ବିଶେଷ ଚାହିଦା ରହିଛି। ୧୨ ବର୍ଷ ହେଲା ଚାନ୍ଦୁଆ ପ୍ରଶିକ୍ଷଣ ଦେଉଥିବା ମନୋରମା କହନ୍ତି, ପିପିଲି ଚାନ୍ଦୁଆ ସଂପର୍କ‌ରେ କିଏ ବା ନ ଜାଣେ। ଚାନ୍ଦୁଆ ସହ ପର୍ସ, ବ୍ୟାଗ୍‌ ଭଳି ବିଭିନ୍ନ ପ୍ରକାର ସାମଗ୍ରୀର ସିଲେଇ ପ୍ରଶିକ୍ଷଣ ଦିଆଯାଉଛି। ତେଣୁ ଝିଅଙ୍କ ଏଥିପ୍ରତି ଆଗ୍ରହ ଅଧିକ ରହୁଛି।

publive-image

ପ୍ରଶିକ୍ଷକ ହରପ୍ରସାଦ କହନ୍ତି, ପଥର, କାଠ ଖୋଦେଇ ପାଇଁ ପୂର୍ବରୁ ପିଲା ଏତେ ଆଗ୍ରହ କରୁଥିଲେ ଯେ ସିଟ୍ ମିଳୁ ନଥିଲା। କିନ୍ତୁ ଚଳିତ ବର୍ଷ ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ୮ଜଣ ପିଲା ନାମ ଲେଖାଇଛନ୍ତି। ସେମାନେ ମଧ୍ୟ ପ୍ରଶିକ୍ଷଣ ପାଇଁ ନିୟମିତ ଭାବେ ଆସୁ ନାହାନ୍ତି। ନୟାଗଡ଼, ପୁରୀ, ଭୁବନେଶ୍ବରରେ ବିଶେଷ ଭାବେ ତିଆରି ହେଉଥିବା ପଥର ଖୋଦେଇର ସ୍ଥାନୀୟ ବଜାରରେ ବିଶେଷ ଚାହିଦା ରହିଛି। ଠିକ୍‌ ଭାବେ ଏହି କାର୍ଯ୍ୟ କରିପାରିଲେ, ଜଣେ କିଭଳି ସମ୍ମାନର ହକଦାର୍‌ ହୋଇପାରିବ, ତା’ର ଉଦାହରଣ ବିଶିଷ୍ଟ ପ୍ରସ୍ତରଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ର। ଦେଶର ବିଭିନ୍ନ ସ୍ଥାନରେ ଯାନ୍ତ୍ରିକ ଏବଂ ପ୍ରଯୁକ୍ତି ପ୍ରଶିକ୍ଷଣ ପ୍ରଦାନ ବ୍ୟବସ୍ଥା ରହିଛି। ମାତ୍ର ପାରମ୍ପରିକ ହସ୍ତକଳା ପ୍ରଶିକ୍ଷଣରେ ରାଜ୍ୟ ସରକାରଙ୍କ ପରିଚାଳିତ ସିଡାକ୍‌ ପ୍ରଥମ। ୨୦୨୦ ମସିହାରେ ଏହାକୁ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସର ମାନ୍ୟତା ମିଳିଥିଲା। ଏହି ହସ୍ତକଳାର ତାଲିମ୍‌ ନେଇ ଅନେକେ ସ୍ବାବଲମ୍ବୀ ହେବା ସହ ଓଡ଼ିଶାର ଗର୍ବ ଏବଂ ଗୌରବକୁ ଆଉ ଗୋଟିଏ ସୋପାନକୁ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe