ଭୁବନେଶ୍ବର: ୟୁନିଟ୍-୯ସ୍ଥିତ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଖାରବେଳନଗର ଥାନା ପୁଲିସ ଜବତ କରିଛି। ତାଙ୍କ ନାଁ ରଞ୍ଜିତ ନାୟକ ଓରଫ ବାପି(୨୧)। ସେ ୟୁନିଟ୍-୯ ରୋଡ୍ ନମ୍ବର-୨ ଅଞ୍ଚଳରେ ସପରିବାରେ ରହୁଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ସୂଚନା ମୁତାବକ, କୌଣସି ଘଟଣାକୁ କେନ୍ଦ୍ର କରି ଗତ କିଛି ମାସ ହେବ ବାପି ବିଚଳିତ ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଜେଜେ ମା’ ବିଜୁଳି ଦେଇଙ୍କ ସହ ରାତି ପ୍ରାୟ ୯ଟାରେ ମାର୍କେଟ୍ରୁ ଫେରିବା ପରେ ବାପି ଏକ ଘରେ ପଶି ଭିତରୁ କବାଟ ବନ୍ଦ କରି ଦେଇଥିଲେ। ପରଦିନ ସକାଳୁ ଅର୍ଥାତ୍ ବୁଧବାର ସକାଳ ପ୍ରାୟ ୮ଟାରେ ଜେଜେ ମା’ ବାପିକୁ ଡାକିଥିଲେ ହେଁ ନା ସେ ଜବାବ ଦେଇଥିଲେ ନା କବାଟ ଖୋଲିଥିଲେ। ବାପି କବାଟ ନ ଖୋଲିବାରୁ ବିଜୁଳି ଏ ସଂପର୍କରେ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ବେଳକୁ ବାପି ଫ୍ୟାନ୍ରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ
Advertisment
Follow Us