ହାତୀଙ୍କୁ ରୋକିବ ଝୁଲନ୍ତା ସୌର ବାଡ଼: ଭରତପୁର ଜଙ୍ଗଲରେ ୧,୧୦୦ ମିଟର ବାଡ଼ ଲାଗିଲା

ହାତୀଙ୍କୁ ରୋକିବ ଝୁଲନ୍ତା ସୌର ବାଡ଼: ଭରତପୁର ଜଙ୍ଗଲରେ ୧,୧୦୦ ମିଟର ବାଡ଼ ଲାଗିଲା

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ବନ ବିଭାଗ ଅଭିନବ ପନ୍ଥା ଆପଣାଇଛି। ହାତୀଗୁଡ଼ିକ ଯେପରି ଜନବସତି ଆଡ଼କୁ ନ ଆସିବେ, ସେଥିପାଇଁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ହାଙ୍ଗିଙ୍ଗ୍‌ (ଝୁଲନ୍ତା) ସୋଲାର୍‌ ଫେନ୍ସ (ବାଡ଼) ବ୍ୟବସ୍ଥା ହୋଇଛି। ଅନ୍ଧାରୁଆର ଡାହାଣ ପାର୍ଶ୍ବର ସୌଉରା ବାଙ୍କ ନିକଟରେ ୧,୧୦୦ ମିଟର ଲମ୍ବର ଫେନ୍ସ ନିର୍ମାଣ କରାଯାଇଛି। ଏହାଦ୍ବାରା ହାତୀ-ମଣିଷ ଲଢ଼େଇକୁ କିଛି ମାତ୍ରାରେ ରୋକା ଯାଇ ପାରିବ ବୋଲି ଆଶା କରା ଯାଉଛି।

ଅଭୟାରଣ୍ୟରେ ରହିଥିବା ହାତୀଗୁଡ଼ିକ ପ୍ରତିଦିନ ଅନ୍ଧାରୁଆ ଦେଇ ଭରତପୁର ଜଙ୍ଗଲକୁ ଯିବା ଆସିବା କରିଥାନ୍ତି। ସେମାନଙ୍କ ଚଲାବାଟ ହୋଇଥିବାରୁ ବିନାବାଧାରେ ସେମାନେ ଯିବାକୁ ଚାହିଲେ ମଧ୍ୟ ଗଢ଼ି ଉଠୁଥିବା ଜନବସତି ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ହାତୀ କେତେବେଳେ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି ତ ଆଉ କେବେ ହାତୀଙ୍କୁ ଘଉଡ଼ାଇବାକୁ ଲୋକେ ନିଆଁହୁଳା ପକାଉଛନ୍ତି। ବେଳେବେଳେ ହାତୀଙ୍କ ଉତ୍ପାତ ସୀମା ଟପି ଯାଉଛି। ସଂରକ୍ଷିତ ଜଙ୍ଗଲର ଏହି ଏକ କିମି ଅଞ୍ଚଳରେ ପାଚେରି ନଥିବାରୁ ହାତୀଗୁଡ଼ିକ ବିନାବାଧାରେ ଜନବସତି ଆଡ଼କୁ ମାଡ଼ିଯାଉଛନ୍ତି। ତାହା ନିକଟସ୍ଥ ବସ୍ତି ଓ ଆବାସିକ ଅଞ୍ଚଳରେ ଥିବା ଲୋକଙ୍କୁ ଆତଙ୍କିତ କରି ରଖୁଛି। ଏହାକୁ ରୋକିବାକୁ ଝୁଲନ୍ତା ସୋଲାର୍‌ ଫେନ୍ସର ବ୍ୟବସ୍ଥା ହୋଇଛି। ୧୫ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଫେନ୍ସରେ ୪.୫ ଭୋଲ୍ଟ କରେଣ୍ଟ ରହିଛି। ଝୁଲି ରହିଥିବା ଏହି ଫେନ୍ସର ତଳପାର୍ଶ୍ବରୁ ୨.୫ରୁ ୩ ଫୁଟ୍‌ ଫାଙ୍କ ରହିଛି। ହାତୀ ପରି ବଡ଼ ବନ୍ୟଜନ୍ତୁ ଏହି ରାସ୍ତା ଦେଇ ଯିବାକୁ ଉଦ୍ୟମ କଲେ କରେଣ୍ଟ ଥିବା ଫେନ୍ସଟି ସେମାନଙ୍କ ଶରୀରରେ ବାଜୁଛି ଏବଂ କରେଣ୍ଟ ଖାଇ ସେମାନେ ଫେରି ଯାଉଛନ୍ତି।

ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ, ଫେନ୍ସ ଲଗାଯିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରତି ସେକେଣ୍ତରେ ବାହାରୁଥିବା ଡିସି କରେଣ୍ଟ ହାତୀଙ୍କ ଦେହରେ ବାଜିବା ଦ୍ବାରା ସେମାନେ ପଛକୁ ଫେରିବା ସହ ଜନବସତି ମୁହାଁ ହୋଇପାରୁ ନାହାନ୍ତି। ସେହିପରି ଚନ୍ଦକା ଡିଏଫ୍‌ଓ ଶରତ କୁମାର ବେହେରା କହିଛନ୍ତି, ଫେନ୍ସର ପରିଚାଳନା ପାଇଁ ଏକ କଣ୍ଟ୍ରୋଲ ପାନେଲ୍‌ ପ୍ରତିଷ୍ଠା ହୋଇଛି, ଯାହାକୁ ବନ ବିଭାଗ କର୍ମଚାରୀମାନେ ପରିଚାଳନା କରୁଛନ୍ତି। ଚନ୍ଦକା ଚାରିପାଖରେ ବସ୍ତି ଓ ଆବାସିକ ଅଞ୍ଚଳ ରହୁଥିବାରୁ ହାତୀଙ୍କୁ ନିୟନ୍ତ୍ରଣ କରିବାଲାଗି ଏଭଳି ପଦକ୍ଷେପ ନେବା ଜରୁରି ଥିଲା। ଏହାର ତଳେ ୩ ଫୁଟ୍‌ ଛଡ଼ାଯାଇଛି, ଫଳରେ ଛୋଟ ଛୋଟ ବୁଦାଗୁଡ଼ିକ ଫେନ୍ସକୁ ସ୍ପର୍ଶ କରି ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe