Hansita-Anil case
ଭୁବନେଶ୍ବର: ବହୁଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲକୁ ଆଜି ଝାରପଡ଼ା ଜେଲ୍ରେ ଆୟକର ବିଭାଗର ଅଧିକାରୀମାନେ ମୁହାଁମୁହିଁ ଜେରା କରିଛନ୍ତି। ବିଭାଗର ୧୦ ଜଣିଆ ଟିମ୍ ୬ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ ମାରାଥନ୍ ଜେରା କରିଥିଲେ। ଜେରାରୁ ଅନେକ ମୂଲ୍ୟବାନ ତଥ୍ୟ ମିଳିଥିବା କୁହାଯାଉଛି। ବିଶେଷକରି କଳାଧନ, ବେନାମୀ ସଂପତ୍ତି, ବଡ଼ବଡ଼ିଆ ଲିଙ୍କ୍ ଦିଗରେ ଗୁଡ଼ାଇ ତୁଡ଼ାଇ ଜେରା କରିଛନ୍ତି ଆୟକର ବିଭାଗ ଅଧିକାରୀମାନେ। କିଛି ପ୍ରଶ୍ନକୁ ଢୋକି ଦେଇଥିବା ବେଳେ କିଛି ପ୍ରଶ୍ନର ଉତ୍ତର ଫାଙ୍କିବାକୁ ଯାଇ ଆୟକର ବିଭାଗ ଜାଲରେ ଛନ୍ଦି ହୋଇଛନ୍ତି ଏହି ଧୂର୍ତ୍ତ ଯୋଡ଼ି। ଆଜି ଆୟକର ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ୫ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ ୧୦ ଜଣିଆ ଟିମ୍ ସକାଳ ୯ଟା ୪୫ ମିନିଟ୍ରେ ଝାରପଡ଼ା ଜେଲ୍ରେ ପହଞ୍ଚିଥିଲେ। ଜେରା ପାଇଁ ଏକ ସ୍ବତନ୍ତ୍ର ରୁମ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ ହଂସିତା ଓ ଅନୀଲକୁ ଅଲଗା ଅଲଗା ଜେରା କରାଯାଇଥିଲା। ପରେ ସେମାନଙ୍କଠୁ ମିଳିଥିବା ତଥ୍ୟକୁ ମେଳ ପାଇଁ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ବିଭିନ୍ନ କାରବାର ଓ ବଡ଼ବଡ଼ିଆଙ୍କ ଲିଙ୍କ୍କୁ ନେଇ ୧୦୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ଆୟକର ସୂତ୍ରରୁ ଜଣାପଡିଛି।
୬ଘଣ୍ଟା ଧରି ମାରାଥନ୍ ଜେରା କଲେ ଆୟକର ଅଧିକାରୀ
କଳାଧନ, ବେନାମୀ ସଂପତ୍ତି, ରାଜନେତା ଲିଙ୍କ୍ ନେଇ ତନାଘନା
ଜନ୍ମଦିନ ପାର୍ଟିରେ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ, ୨୮୨ କୋଟି ଟଙ୍କାର ଏମ୍ଓୟୁ ଓ ୨୦ କୋଟି ଟଙ୍କାର କଳାଧନ ଉପରେ ଆୟକର ଅଧିକାରୀମାନେ ଜେରା ବେଳେ ଅଧିକ ଧ୍ୟାନ ଦେଇଥିଲେ। ପୂର୍ବରୁ ଏହି ମାମଲାରେ ବିଭାଗ ପକ୍ଷରୁ ୧୫ ଜଣଙ୍କୁ ସମନ କରାଯାଇଥିଲା। ସେମାନଙ୍କ ଭିତରେ ୨ ଜଣ ରାଜନେତା ମଧ୍ୟ ଥିଲେ। ସେମାନଙ୍କୁ ଜେରା ବେଳେ ତଥ୍ୟରେ ତାଳମେଳ ରହି ନଥିଲା। ତେଣୁ ଦୁଇ ଠକଙ୍କୁ ରିମାଣ୍ଡରେ ନେବାକୁ ଆୟକର ବିଭାଗ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ରିମାଣ୍ଡ ପାଇଁ ମନା କରିଥିଲା ବେଳେ ଜେଲ୍ରେ ଜେରା କରିବାକୁ ଗୋଟିଏ ଦିନ ସମୟ ଦେଇଥିଲେ। ଏଥିପାଇଁ ୧୦ ଜଣିଆ ସ୍ବତନ୍ତ୍ର ଯାଞ୍ଚ ଅଧିକାରୀମାନେ ଆଜି ଝାରପଡ଼ା ଜେଲ୍ରେ ପହଞ୍ଚି ଦିନତମାମ୍ ଜେରା କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କମିସନରେଟ୍ ପୁଲିସର ଜେରାର ସମ୍ମୁଖୀନ ହୋଇଥିଲେ ହଂସିତା ଓ ଅନୀଲ।
Follow Us