ହଂସପାଳ ଫ୍ଲାଏଓଭରବ୍ରିଜ୍‌: ସପ୍ତାହକରେ ଉଠିଗଲା ପିଚୁ

ହଂସପାଳ ଫ୍ଲାଏଓଭରବ୍ରିଜ୍‌: ସପ୍ତାହକରେ ଉଠିଗଲା ପିଚୁ

ଭୁବନେଶ୍ବର: ଦୀର୍ଘ ୪୮ ମାସର ପ୍ରତୀକ୍ଷା ପରେ ହଂସପାଳ ଫ୍ଲାଏ ଓଭରବ୍ରିଜ୍‌ ଗୋଟିଏ ପାଖ ଖୋଲାଗଲା। ହେଲେ ଆଶ୍ଚର୍ଯ୍ୟର କଥା ସପ୍ତାହ ଭିତରେ ନୂଆ କରି କରାଯାଇଥିବା ରାସ୍ତାରୁ ପିଚୁ ଉଠିଗଲା। କେବଳ ଯେ ପିଚୁ ଉଠିଛି ତାହା ନୁହେଁ, ଗଡ଼ାଣି ସ୍ଥାନରେ ସମ୍ପୂର୍ଣ୍ଣ ରାସ୍ତା ନଷ୍ଟ ହୋଇଯାଇଛି। ଫଳରେ ଉଚ୍ଚରୁ ତଳକୁ ଗଡ଼ୁଥିବା ଗାଡ଼ିଗୁଡ଼ିକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ‌ହେଉଛନ୍ତି। ୨୦୨୦ ଅଗଷ୍ଟ ୮ରେ ହଂସପାଳ ଫ୍ଲାଏଓଭରବ୍ରିଜ୍‌ର ଶିଳାନ୍ୟାସ କରାଯାଇଥିଲା। ୨୪ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୫୫୮ ମିଟର ଲମ୍ବା ଓ ୬ ଲେନ୍‌ ବିଶିଷ୍ଟ ଏହି ଫ୍ଲାଏଓଭର ୧୮ ମାସରେ ଶେଷହେବ ବୋଲି ଘୋଷଣା କରାଗଲା। ଟେଣ୍ଡର୍‌ ପାଇଥିବା ବ୍ରିଜେଶ ଅଗ୍ରୱାଲ ୪ ବର୍ଷ ବିତି ଯାଇଥିଲେ ହେଁ କାମ ଶେଷ କରି ପାରିଲେନାହିଁ। ଫଳରେ ଗତ ଜୁନ୍‌ମାସରେ ବ୍ରିଜେଶ ଅଗ୍ରୱାଲ୍‌ ଟେଣ୍ଡର ବାତିଲ କରି ବାକିଥିବା କାମ କରିବାକୁ ଓଡ଼ିଶାର ଠିକାସଂସ୍ଥା ଅଭୀପ୍ସା କନଷ୍ଟ୍ରକ୍‌ସନ୍‌କୁ ଦାୟିତ୍ବ ଦେଇଥିଲା ଏନ୍‌ଏଚ୍‌ଏଆଇ। ଜୁଲାଇ ମାସ ଶେଷସୁଦ୍ଧା କାମ ସରିବ ବୋଲି କୁହାଯାଇଥିଲେ ହେଁ ଅଗଷ୍ଟ ପହିଲାରେ ମାତ୍ର ଗୋଟିଏ ଫାଳ ରାସ୍ତା ଖୋଲିଲା।

ହେଲେ ତରବରିଆ ଭାବେ କେମିତି କାମ ହେଉଛି, ତାହା ଏବେ ପ୍ରମାଣିତ ହୋଇଛି। ଅଗଷ୍ଟ ୨ରେ ରାସ୍ତାରେ ଗାଡ଼ି ଯିବା ଆସିବା କରିଥିଲା। ହେଲେ ମାତ୍ର ୬ ଦିନ ଭିତରେ ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଉଠିଗଲା। ଯାଜପୁରରୁ ଗଞ୍ଜାମ ଯାଉଥିବା ବେଳେ ଦୁର୍ଘଟଣାର ସାମ୍‌ନା କରିଥିଲା ଏକ ମାଲ୍‌ବାହୀ ଗାଡ଼ି। ଗାଡ଼ି ଚାଳକ ସରୋଜ ସାମଲଙ୍କ କହିବା କଥା, ଓଭରବ୍ରିଜ୍‌ ଉପରୁ ତଳକୁ ଠିକ୍‌ ଭାବେ ସ୍ଲୋପିଂ କରାଯାଇନାହିଁ। ହଠାତ୍‌ ଗାଡ଼ି ଉଚ୍ଚରୁ ପୁରା ତଳକୁ ଗଡ଼ୁଛି। ଆଉ ତଳରାସ୍ତା ପିଚୁ ଉଠି ଖରାପ ହୋଇଯିବାରୁ ଭାରସାମ୍ୟ ହରାଇ ଗାଡ଼ି ଡାହାଣ ପାଖକୁ ମାଡ଼ିଗଲା। ତେବେ ସୌଭାଗ୍ୟବଶତଃ ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ଗାଡ଼ି ବର୍ତ୍ତିଗଲା। ଏ ତ୍ରୁଟି ନସୁଧାରିଲେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ବୋଲି ମତପ୍ରକାଶ ପାଇଛି। ତେଣୁ ତୁରନ୍ତ ଠିକ୍‌ ଭାବେ ରାସ୍ତା ସ୍ଲୋପିଂ ଓ ମରାମତି କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe