ହାଟରୁ ହାର ଚୋରିକଲା ହନୁ

ହାଟରୁ ହାର ଚୋରିକଲା ହନୁ

ଭୁବନେଶ୍ବର: ହାଟରେ ଏକ ଦୋକାନରୁ ହାର ଚୋରି କରିଥିବା ହନୁକୁ ବନ ବିଭାଗ ବାନ୍ଧି ଜଙ୍ଗଲରେ ଛାଡ଼ିବା ଭଳି ଏକ ରୋଚକ ଘଟଣା ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ହନୁର ଏଭଳି କାଣ୍ଡ ମାର୍କେଟ୍‌ରେ ଯେତିକି ଭୟର ବାତାବରଣ ଖେଳାଇଥିଲା, ଲୋକଙ୍କ ଭିତରେ ସେତିକି କୌତୁହଳ ସୃଷ୍ଟି କରିଥିଲା। ଘଟଣାଟି ଥିଲା ଏମିତି। ଆଜି ମଧ୍ୟାହ୍ନରେ ଏକ ବୁଢ଼ା ହନୁ ମାଙ୍କଡ଼ ଏକ ନମ୍ବର ହାଟ ଓ ମାର୍କେଟ୍‌ ବିଲ୍‌ଡିଂକୁ ସଂଯୋଗ କରୁଥିବା ଅଣ୍ଡରଗ୍ରାଉଣ୍ଡ ମାର୍କେଟ୍‌ ଭିତରେ ପଶିଯାଇଥିଲା। ଲୋକଙ୍କୁ କାମୁଡ଼ାକାମୁଡ଼ି ନକରି ସେ ପ୍ରଥମେ କିଛି ଦୋକାନରେ ଜିନିଷପତ୍ର ଖେଳାଇ ଫୋପଡ଼ାଫିଙ୍ଗା କରିଥିଲା।

ଡ୍ରେସ୍‌ ଦୋକାନରେ ଝୁଲିଥିବା ପୋଷାକପତ୍ର ତଳକୁ ଖସାଇଦେଇଥିଲା। ମନୋହରି ଦୋକାନରୁ ବିଭିନ୍ନ ଜିନିଷ ବାହାର କରି ତଳେ ଫୋପାଡ଼ି ଦେଇଥିଲା। ଦୋକାନୀମାନେ ତାକୁ ଘଉଡ଼ାଇବାକୁ ଚେଷ୍ଟା କଲେ, ସେ ଦାନ୍ତ ଦେଖାଇ କାମୁଡ଼ି ଗୋଡ଼ାଇଥିଲା। କିନ୍ତୁ କୌଣସି ଲୋକଙ୍କୁ ଭୟଭୀତ କରିନଥିଲା। ଏତିକିବେଳେ ତା ନଜର ପଡ଼ିଥିଲା ଏକ ମାଳି ଦୋକାନ ଉପରେ। ହନୁ ମାଳି ଦୋକାନକୁ ଯାଇ କିଛି ମାଳି ଧରି ଖେଳିଥିଲା। ପରେ ହଠାତ୍ ଏକ ଧଳା ମାଳି କାମୁଡ଼ି ଧରି ପଳାଇଥିଲା। ଏହା ଭିତରେ ସିଟି ଫରେଷ୍ଟ ରେଞ୍ଜକୁ ହନୁର ଉତ୍ପାତ ବାବଦରେ ଖବର ମିଳିସାରିଥିଲା। ବନ ବିଭାଗର କର୍ମଚାରୀମାନେ ଏକ ନମ୍ବର ହାଟ ନିକଟରେ ପହଞ୍ଚି ହନୁକୁ କାବୁ କରିବାକୁ ଜାଲ ବସାଇଥିଲେ। ବିଚରା ହନୁ ବି ଜାଲରେ ପଡ଼ିଯାଇଥିଲା। ବନ ବିଭାଗର କର୍ମଚାରୀମାନେ ତାକୁ ନେଇ ଚନ୍ଦକା ଜଙ୍ଗଲରେ ଛାଡ଼ିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe