ଦେବଦମ୍ପତିଙ୍କ ଶୀତଳଷଷ୍ଠୀ, କେଦାରଗୌରୀରୁ ଫେରିଲେ ହରପାର୍ବତୀ

Advertisment
ଦେବଦମ୍ପତିଙ୍କ ଶୀତଳଷଷ୍ଠୀ, କେଦାରଗୌରୀରୁ ଫେରିଲେ ହରପାର୍ବତୀ

ପୁରୁଣା ଭୁବନେଶ୍ୱର: ଝିପିଝିପି ବର୍ଷା ହେଉଥିଲା। ସତେ ଯେମିତି ଦେବଦମ୍ପତିଙ୍କୁ ସ୍ବର୍ଗରୁ ଢାଳି ହୋଇ ପଡ଼ୁଥିଲା ଶୁଭାଶୀର୍ବାଦ। ମହାଆନନ୍ଦରେ ଆଗେଆଗେ ଚାଲିଥିଲେ ବରଯାତ୍ରୀ ଓ ପଛେପଛେ ବିମାନରେ ଝୁଲିଝୁଲି ଯାଉଥିଲେ ନବଦମ୍ପତି ଶିବପାର୍ବତୀ। କରୋନା କଟକଣା ଲାଗି ଗହଳଚହଳ ହୋହଲ୍ଲା କିଛି ନଥିଲା। ବାଜା, ବାଣ ଓ ‌ରୋଷଣି ନଥିଲା। ତେବେ ଶୋଭାଯାତ୍ରାରେ ବାହ୍ୟଚମକ ସିନା ନଥିଲା, କିନ୍ତୁ ପ୍ରଭୁଙ୍କ ଏହି ଲୀଳାରେ ଭରି ରହିଥିଲା ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କୁ ଭାବମୟ ଆବେଗ। ଦାଣ୍ଡ ମନା ଥିଲେ ବି ଲୋକେ ଛାତ ଉପରୁ ଓ ବାରଣ୍ଡାରୁ ଦେବଦମ୍ପତିଙ୍କ ଘରବାହୁଡ଼ା ଦିବ୍ୟ ଦୃଶ୍ୟ ଦେଖିବାକୁ ଭୁଲି ନଥିଲେ।

ଗତକାଲି ବିଳମ୍ବିତ ରାତିରେ କେଦାରଗୌରୀ ମନ୍ଦିରରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ହାତଗଣ୍ଠି ପଡ଼ିଥିଲା। ବିଧି ମୁତାବକ ବନ୍ଦାପନା ଓ ଅତିଥି ଆପ୍ୟାୟିତ ସମ୍ପନ୍ନ ହୋଇଥିଲା। ଆଜି କେଦାରଗୌରୀ ମନ୍ଦିରରେ ଜ୍ବାଇଁ ଶ୍ରୀଲିଙ୍ଗରାଜଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାଧୂପ ନୀତି ଓ ଆଳତି ପରେ ବରକନ୍ୟାଙ୍କ ବିଦାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କନ୍ୟାଘର ପକ୍ଷରୁ ଯୌତୁକ ବାବଦରେ ଇନ୍ଦ୍ରହାତୀ ସମେତ ଅନ୍ୟାନ୍ୟ ଉପକରଣ ଧରି ବରଯାତ୍ରୀ ବାହାରିପଡ଼ିଥିଲେ। ନବବଧୂ ବେଶରେ ଥିବା ମା’ ପାର୍ବତୀଙ୍କୁ ଧରି ପ୍ରଭୁ ଲିଙ୍ଗରାଜ ସୁସଜ୍ଜିତ ବିମାନରେ ଆରୋହଣ କରିଥିଲେ। ଆଗରେ ଝୁଲିଝୁଲି ଚାଲିଥିଲା ଇନ୍ଦ୍ରହାତୀ ଶଗଡ଼। ପାଖେପାଖେ ଚାଲିଥିଲେ ପାଳିଆ ସେବାୟତମାନେ। ଶୁଭ ଶଙ୍ଖ ସହ ଗୋଟିଏ ଘଣ୍ଟ ଓ ଗୋଟିଏ କାହାଳୀ କେବଳ ବିମାନ ଆଗେଆଗେ ବାଜୁଥିଲା। ଏମିତି ନିରାଡ଼ମ୍ବର ସହକାରେ ବିମାନକୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ନିଆଯାଇଥିଲା। ବିଧି ଅନୁସାରେ ଫେରନ୍ତା ବାଟରେ ୫ଟି ସ୍ଥାନରେ ଦେବଦମ୍ପତିଙ୍କୁ ଭୋଗ ଲାଗି କରାଯାଇଥିଲା। ନବଦମ୍ପତି କେଦାରଗୌରୀ ମନ୍ଦିରରୁ ବାହାରି ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରାସ୍ତା, ତିନିମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖଳା ଛକ ଦେଇ ନଗର ପରିକ୍ରମା କରିଥିଲେ। ବଡ଼ କଥା ହେଉଛି ଶୀତଳଷଷ୍ଠୀ ନିୟମ ରଖି ଆଜି ଏହି ବରକନ୍ୟାଙ୍କ ଘରବାହୁଡ଼ା ଅବସରରେ ଇନ୍ଦ୍ର ଦେବତା ବର୍ଷା କରିଥିଲେ।

ଉଲ୍ଲେଖଯୋଗ୍ୟ କି ଆଜି ନବଦମ୍ପତି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ପାର୍ବତୀଙ୍କ ନିଃଶବ୍ଦ ନିଃସଙ୍ଗ ଶୋଭାଯାତ୍ରା ଶ୍ରଦ୍ଧାଳୁମାନଙ୍କୁ ବହୁ ମାତ୍ରାରେ ବ୍ୟଥିତ କରିଥିଲା। ମହାମାରୀ କରୋନା ପାଇଁ ପ୍ରଭୁଙ୍କ ଦିବ୍ୟ ଲୀଳା ପ୍ରଭାବିତ ହୋଇଥିବାରୁ ଭାବବିହ୍ବଳ ବହୁ ଦର୍ଶକଙ୍କ ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ। ତୁରନ୍ତ ଏହି ମହାମାରୀର ଅନ୍ତ ହେଉ ବୋଲି ସେମାନେ ମନେମନେ ଆକୁଳ ପ୍ରାର୍ଥନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe