ଯଶୋଧାରାଙ୍କ ‘ହାତ ପାପୁଲିରେ ଖରା’ ଲୋକାର୍ପିତ

ଯଶୋଧାରାଙ୍କ ‘ହାତ ପାପୁଲିରେ ଖରା’ ଲୋକାର୍ପିତ

ଭୁବନେଶ୍ୱର : ଜଣାଶୁଣା ଗାଳ୍ପିକା ଯଶୋଧାରା ମିଶ୍ରଙ୍କ ରଚିତ ଉପନ୍ୟାସ ‘ହାତ ପାପୁଲିରେ ଖରା’ ଏବଂ ଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ ଆଜି ଲୋକାର୍ପିତ ହୋଇଛି। ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଥିବା ଗଳ୍ପର ସମାହାରକୁ ନେଇ ପ୍ରସ୍ତୁତ ହୋଇଥିବା ଗଳ୍ପ ସଂକଳନକୁ ବିଶିଷ୍ଟ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର ଲୋକାର୍ପଣ କରିଛନ୍ତି।

ହୋଟେଲ୍‌ ମ୍ୟାରିଅନ୍‌ରେ ଅନୁଷ୍ଠିତ ଏକ ବିଶେଷ ସଭାରେ ପୁସ୍ତକର ଲୋକାର୍ପଣ ହୋଇଥିଲା। ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୁସ୍ତକର ସମୀକ୍ଷା କରିଥିଲେ ବିଶିଷ୍ଟ କବି ପ୍ରତିଭା ଶତପଥୀ, ହରିଣ୍ମୟୀ ମିଶ୍ର ଏବଂ ଚିରଶ୍ରୀ ଇନ୍ଦ୍ରସିଂହ। ଉପନ୍ୟାସ ‘ହାତ ପାପୁଲିରେ ଖରା’ରେ ଇତିହାସ, ଜୀବନ, ସ୍ୱପ୍ନ, ସ୍ୱପ୍ନଭଙ୍ଗ, ବାସ୍ତବତା ଏବଂ ମଣିଷ ସମ୍ପର୍କର ନିବିଡ଼ତା ବର୍ଣ୍ଣିତ ହୋଇଛି। ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ପୃଷ୍ଠଭୂମି ସମେତ ଜଣେ ମୁସ୍‌ଲିମ୍‌ ଝିଅର ଅଡ଼ୁଆ ଜୀବନର କଥାବସ୍ତୁ ଉପନ୍ୟାସରେ ରୋମାଞ୍ଚ ଭରିଛି ବୋଲି ଅତିଥିବୃନ୍ଦ କହିଥିଲେ। ସେହିଭଳି ‘ସମୁଦ୍ରକୂଳ ଘର’ ଗଳ୍ପ ସଂକଳନରେ ସାମାନ୍ୟ କଥାର ଅସାମାନ୍ୟ ବର୍ଣ୍ଣନ ସାଙ୍ଗକୁ ସାବଲୀଳ ଛନ୍ଦ ମୂଳରୁ ଶେଷ ଯାଏଁ ବାନ୍ଧି ରଖିବ ବୋଲି କଥାକାର ବିଭୂତି ପଟ୍ଟନାୟକ କହିଛନ୍ତି। ସେ ଏକଥା ବି କହିଲେ, ଉପନ୍ୟାସ ସଂପ୍ରତି ଗଭୀର ସଙ୍କଟରେ। ମାତ୍ର ଉପନ୍ୟାସ ହିଁ କଥାଶିଳ୍ପର ବିକାଶରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଦୁଇ ପୁସ୍ତକର ଲେଖିକା ଯଶୋଧାରା ମିଶ୍ର ଭୋପାଳରେ ଅବସ୍ଥାନ ସମୟରେ ଜୀବନର ମହାର୍ଘ ଅନୁଭବକୁ କିଭିଳି ଲେଖାରେ ବାନ୍ଧିବାକୁ ଚେଷ୍ଟା କରିଛନ୍ତି ସେ ସମ୍ବନ୍ଧରେ କହିଥିଲେ। ପୁସ୍ତକର ପ୍ରକାଶକ ଅଶୋକ ମହାନ୍ତି ଉନ୍ମୋଚନ ଅବସରରେ ଉପସ୍ଥିତ ଥିବା ବେଳେ ଲେଖିକା ସୁନନ୍ଦା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe