୩ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ

Advertisment

ଅଟୋଚାଳକଙ୍କ ମଣିଷପଣିଆକୁ ସାବାସି

ଅଟୋଚାଳକଙ୍କ ମଣିଷପଣିଆକୁ ସାବାସି

୩ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ

ଭୁବନେଶ୍ବର, ୨୫।୪ (ଇମିସ): ଭ୍ୟାନିଟିରେ ଥିଲା ଗୋଟିଏ ହାର, ଚେନ୍‌, ମଙ୍ଗଳସୂତ୍ର, ଶଙ୍ଖା, କାନଫୁଲ ଓ ଅନ୍ୟାନ୍ୟ ଗହଣା। ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। କିନ୍ତୁ ସେ ଲୋଭ କରିନଥିଲେ। ଗରିବ ଅଟୋଚାଳକ ହୋଇଥିଲେ ବି ଲୋଭ ତାଙ୍କୁ ଗ୍ରାସ କରିନଥିଲା। ବରଂ ଅଳଙ୍କାର ହଜାଇଥିବା ମହିଳା କିଭଳି ମାନସିକ ଅବସାଦରେ ଥିବେ, ସେକଥା ଭାବି ଭାବି ସେ ଅଧିକ ବ୍ୟଥିତ ହୋଇପଡ଼ିଥିଲେ। ତେଣୁ ସେ ଅଳଙ୍କାରତକ ଫେରାଇବାକୁ ପୁଲିସର ସହାୟତା ନେଇଥିଲେ ଓ ଶେଷରେ ସଫଳ ବି ହେଲେ। ଆଜି ବଡ଼ଗଡ଼ ଥାନା ଝରଣା ବସ୍ତି ଓ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସବୁଠୁ ଅଟୋଚାଳକ ବସନ୍ତଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି।
ଘଟଣାଟି ଥିଲା ଏମିତି। ଢେଙ୍କାନାଳରେ ରହୁଥିବା ଯାଜପୁର ବରୀ ରାମଚନ୍ଦ୍ରପୁର ଅଞ୍ଚଳର ଜ୍ୟୋସ୍ନାରାଣୀ ସାହୁ ଓ ତାଙ୍କ ସ୍ବାମୀ ଗତ ୨୩ ତାରିଖ ଦିନ ଭୁବନେଶ୍ବର ଆସିଥିଲେ। ରସୁଲଗଡ଼ ଛକରେ ବସ୍‌ରୁ ଓହ୍ଲାଇଥିଲେ ଓ କଳ୍ପନା ଛକ ଯିବା ପାଇଁ ବସନ୍ତଙ୍କ ଅଟୋରେ ବସିଥିଲେ। କିନ୍ତୁ ବସନ୍ତ ରସୁଲଗଡ଼ ଅଟୋଷ୍ଟାଣ୍ଡର ସଦସ୍ୟ ହୋଇ ନ ଥିବାରୁ ତାଙ୍କୁ ଅନ୍ୟ ଚାଳକମାନେ ବିରୋଧ କରିଥିଲେ। ତେଣୁ ବସନ୍ତ ସେମାନଙ୍କୁ ଅଟୋରୁ ଓହ୍ଲାଇ ଦେଇଥିଲେ। ତରବରରେ ସେମାନେ ଅଟୋରୁ ଓହ୍ଲାଇବା ବେଳେ ଜ୍ୟୋତ୍ସ୍ନାରାଣୀ ତାଙ୍କ ଭ୍ୟାନିଟି ବ୍ୟାଗ୍‌ଟିକୁ ଅଟୋରେ ଛାଡ଼ିଦେଇଥିଲେ। ବସନ୍ତ ତାଙ୍କ ଘର ବଡ଼ଗଡ଼ ଝରଣାସାହିକୁ ଫେରି ଯାଇଥିଲେ। ଘରେ ଅଟୋ ରଖିବା ପରେ ଭ୍ୟାନିଟି ବ୍ୟାଗ୍‌ରେ ତାଙ୍କ ଆଖିପଡ଼ିଥିଲା। ତାକୁ ଖୋଲି ଦେଖିବା ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସେଥିରେ ଗୋଟିଏ ସୁନା ହାର, ଚେନ୍, ମଙ୍ଗଳସୂତ୍ର, କାନଫୁଲ, ଶଙ୍ଖା, କିଛି ଟଙ୍କା, ଏଟିଏମ୍ କାର୍ଡ, ଭୋଟର କାର୍ଡ ଥିଲା। ରସୁଲଗଡ଼ ଛକରେ ତାଙ୍କ ଅଟୋରେ ବସିଥିବା ଦମ୍ପତିଙ୍କ ସମ୍ପତ୍ତି ବୋଲି ବସନ୍ତ ବୁଝିପାରିଥିଲେ ବି ଭୁବନେଶ୍ବରରେ ତାଙ୍କୁ ଖୋଜି ପାଇବା ସମ୍ଭବ ନଥିଲା। ତେଣୁ ତୁରନ୍ତ ସେ ଭ୍ୟାନିଟିକୁ ନେଇ ବଡ଼ଗଡ଼ ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକଙ୍କ ଜିମା ଦେଇଥିଲେ। ଭୋଟର କାର୍ଡ ଯାଞ୍ଚ କରି ଆଇଆଇସି ଶ୍ରୀ ନାୟକ ଜ୍ୟୋସ୍ନାରାଣୀଙ୍କ ଠିକଣା ପାଇଥିଲେ ଓ ବରୀ ଥାନା ପୁଲିସ ସହଯୋଗରେ ଜ୍ୟୋସ୍ନାରାଣୀଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଆଜି ଜ୍ୟୋସ୍ନାରାଣୀ ଓ ତାଙ୍କ ସ୍ବାମୀ ବଡ଼ଗଡ଼ ଥାନାରେ ପହଞ୍ଚିବା ପରେ ଆଇଆଇସି ଶ୍ରୀ ନାୟକ ଅଟୋଚାଳକ ବସନ୍ତଙ୍କ ଉପସ୍ଥିତିରେ ସବୁ ଜିନିଷ ଫେରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe