ନିଶାର କମାଲ୍‌, ବାଜି ଲଗାଇ ମହାନଦୀକୁ ଡେଇଁଲେ ଯୁବକ

ନିଶାର କମାଲ୍‌, ବାଜି ଲଗାଇ ମହାନଦୀକୁ ଡେଇଁଲେ ଯୁବକ

shutterstock.com

ବାରଙ୍ଗ/ ତ୍ରିଶୂଳିଆ: ଜଣେ ନିଶାସକ୍ତ ଯୁବକ ସାଙ୍ଗ ସହ ବାଜି ଲଗାଇ ମହାନଦୀକୁ ଡେଇଁ ପଡ଼ିବା ଓ ଅଳ୍ପକେ ବର୍ତ୍ତିଯିବା ଘଟଣାଟି ବାରଙ୍ଗ ଓ ଆଠଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୁଣ୍ଡଳୀ ଆନିକଟ ଉପରେ ଏମିତି ଅଜବ କାଣ୍ଡ ଭିଆଇଥିବା ଯୁବକ ଜଣକ ଆଠଗଡ ଥାନା ଅଧୀନ ନୂଆବନ୍ଧ ଗ୍ରାମର ରତିରଞ୍ଜନ ମୁଦୁଲି(୨୮) ବୋଲି ଜଣାପଡ଼ିଛି। ପ୍ରାୟ ୨ କି‌ଲୋମିଟରରୁ ଅଧିକ ଦୂର ପାଣିରେ ବୁଡ଼ି ବୁଡ଼ି ଭାସିଯିବା ପରେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ସେ ବଞ୍ଚି ଯାଇଛନ୍ତି।

ସୂଚନାନୂସାରେ ଆଜି ଅପରାହ୍ନ ୪ଟାବେଳେ ରତିରଞ୍ଜନ ଓ ତାଙ୍କର ଜଣେ ସାଙ୍ଗ ଏକ ବାଇକ୍‌ରେ ଭୁବନେଶ୍ବରରୁ ଆଠଗଡ଼ ଫେରୁଥିଲେ। ମୁଣ୍ଡଳୀ ଆନିକଟ ନିକଟରେ ବାଇକ୍ ରଖି ସେମାନେ କିଛି ସମୟ ଗପସପ କରିଥିଲେ। ତେବେ ହଠାତ୍ ରତିରଞ୍ଜନ ମହାନଦୀକୁ ଡେଇଁ ପଡ଼ିଥିଲେ। ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଥିବା ଲୋକମାନେ ହୋ-ହଲ୍ଲା କଲାବେଳକୁ ରତିରଞ୍ଜନ ପାଣିରେ ବୁଡ଼ି ଯାଇଥିଲେ। ବନ୍ଧୁ ଜଣକ ବାରଙ୍ଗ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବାହୀନି ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା। କିନ୍ତୁ ପ୍ରାୟ ଘଣ୍ଟାକ ପରେ ରତିରଞ୍ଜନଙ୍କୁ ଆଠଗଡ଼ର ଧବଳେଶ୍ବର ପଠାରେ ଲାଗିଥିବା ଦେଖିବାକୁ ମିଳିଥିଲା। ସେତେବେଳ ପର୍ଯ୍ୟନ୍ତ ମଧ୍ୟ ସେ ନିଶାସକ୍ତ ଅବସ୍ଥାରେ ଥିଲେ ଓ ସୁସ୍ଥ ମଧ୍ୟ ଥିଲେ। ବାରଙ୍ଗ ଅଗ୍ନିଶମ ଅଧିକାରୀ ରାଜକିଶୋର ଜେନା ପରିଚୟ ପାଇବା ପରେ ତାଙ୍କ ବାପାଙ୍କୁ ଡକାଇଥିଲେ ଓ ତାଙ୍କ ଜିମାରେ ଛାଡ଼ିଥିଲେ। ସାଙ୍ଗ ସହ ବାଜି ଲଗାଇ ସେ ମହାନଦୀକୁ ଡେଇଁ ପଡ଼ିଥିଲେ ବୋଲି ନିଶା ଛାଡ଼ିବା ପରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe