ଭୁବନେଶ୍ବର : ଆମ ଦେଶରେ ସ୍ବାସ୍ଥ୍ୟସେବା ନିମିତ୍ତ ବ୍ୟୟବରାଦ ଜିଡିପିର ୧.୨୫ପ୍ରତିଶତ। ମାତ୍ର ଅନ୍ୟ ଦେଶମାନଙ୍କରେ ଏହା ପ୍ରାୟ ୧୦ପ୍ରତିଶତ। ଆବଶ୍ୟକୀୟ ଡାକ୍ତର ନାହାନ୍ତି କି ମାନବ ସମ୍ବଳ ନାହାନ୍ତି। ବ୍ୟୟବହୁଳ କର୍କଟ ରୋଗ, ହୃଦ୍ରୋଗ, ବୃକକ୍ ଓ ମଧୁମେହ ସମ୍ପର୍କିତ ରୋଗୀଙ୍କ ସଂଖ୍ୟା ପ୍ରତି ମୁହୂର୍ତରେ ବୃଦ୍ଧି ପାଉଥିଲେ ହେଁ ଏଥିପାଇଁ ସରକାରୀସ୍ତରରେ ଆବଶ୍ୟକ ଡାକ୍ତର କି ଡାକ୍ତରଖାନା ନାହିଁ। ତେଣୁ ଡାକ୍ତରଖାନାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରାଯିବା ସରକାରଙ୍କ ପ୍ରାଥମିକ କର୍ତବ୍ୟ। ଶ୍ରୀରାମଚନ୍ଦ୍ର ମେଡିକାଲ୍ କଲେଜ୍ରୁ ଏମ୍ବିବିଏସ୍ରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ, କେନ୍ଦ୍ର ଓ ବିଦେଶରେ କାର୍ଯ୍ୟରତ ଡାକ୍ତରଙ୍କୁ ନେଇ ଗଠିତ ଡକ୍ଟର୍ସ ଆସୋସିଏସନ୍ ଫର୍ ହେଲ୍ଥ ଆଣ୍ଡ୍ ମେଡିକାଲ୍ ଏଜୁକେସନ୍ (ଡାହ୍ମେ)ର ଅଧିବେଶନରେ ଏହି ମତ ପ୍ରକାଶ ପାଇଛି।
ଡାହ୍ମେ ପକ୍ଷରୁ ଆଇଏମ୍ଏ ଭବନରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ‘ସ୍ବାସ୍ଥ୍ୟସେବାର ଅବମୂଲ୍ୟାୟନ ଓ ରାଜନୀତୀକରଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟସେବାକୁ ନିର୍ବାଚନୀ ଇସ୍ତାହାର କରି ମିଛ ଆଶ୍ବାସନା ଦେବା ଅପେକ୍ଷା ସ୍ବାସ୍ଥ୍ୟସେବାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଦିଲ୍ଲୀ ଏମ୍ସରେ କାର୍ଯ୍ୟରତ କର୍କଟ ବିଭାଗର ପ୍ରଫେସର ଗୌରକିଶୋର ରଥ ୯ରୁ ୨୬ ବର୍ଷୀୟ କନ୍ୟାଙ୍କୁ କର୍କଟ ପ୍ରତିରୋଧକ ଇଂଜେକ୍ସନ ଦେବା ବାଧ୍ୟତାମୂଳକ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏଥିସହ ମୁଖଗହ୍ବର ରୋଗରୁ ରକ୍ଷା ପାଇବା ପାଇଁ ତମାଖୁ ସେବନରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ନିର୍ଦେଶାଳୟର ନିର୍ଦେଶକ ପ୍ରଫେସର ନୟନ କୁମାର ମହାନ୍ତି, ଆମେରିକାରେ ଅବସ୍ଥାପିତ ମଧୁମେହ ଓ ଅନ୍ତଃସ୍ରାବୀ ବିଭାଗ ପ୍ରଫେସର ପ୍ରିୟଦର୍ଶିନୀ ମହାନ୍ତି, ଡାକ୍ତର ଇନ୍ଦ୍ରମଣି ଜେନା, ଡାକ୍ତର ଆଦିକନ୍ଦ ସାହୁ ପ୍ରମୁଖ ବିଭିନ୍ନ ଆଲୋଚ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ। ଡାହ୍ମେର ସଭାପତି ଡା. ସୁଧାଂଶୁ ଶେଖର ପାତ୍ର, ସମ୍ପାଦକ ଡା. ବଂଶୀଧର ନାୟକ, ଡା. ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଅଧିବେଶନରେ ଡାକ୍ତର ଗୌର କିଶୋର ରଥଙ୍କୁ ସମ୍ବର୍ଧିତ କରାଯାଇଥିଲା।
Follow Us