ଟ୍ରଲିରେ ବୋହି ରୋଗୀଙ୍କୁ କଟକ ନେବା ଘଟଣା: ନ୍ୟାୟ ନ ମିଳିଲେ ସାରା ରାଜ୍ୟରେ ଆନ୍ଦୋଳନ

ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କଂଗ୍ରେସ

୨୦୧୯ ନିର୍ବାଚନର ଦୁଇ ବର୍ଷ ଭିତରେ ଗଞ୍ଜାମ ରାଜନୈତିକ ଦୃଶ୍ୟପଟ୍ଟ

New Indian Express

ଭୁବନେଶ୍ବର: ଦାନ ମାଝୀ ପରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ଦାସବିଧାରପୁର ଗ୍ରାମ ପଞ୍ଚାୟତର କବୀର ଭୋଇ ଗୁରୁତର ଅସୁସ୍ଥ ଥିବା ତାଙ୍କ ପତ୍ନୀଙ୍କୁ ଟ୍ରଲିରେ ବୋହି କଟକ ଏସ୍‌ସିବି ମେଡିକାଲ ନେଲେ। ଅଥଚ ତାଙ୍କୁ ଗୋଟିଏ ୧୦୮ ଆମ୍ବୁଲାନ୍‌ସ୍‌ ସୁବିଧା ମିଳିଲାନି। ଶେଷରେ ତାଙ୍କ ପତ୍ନୀଙ୍କ ପ୍ରାଣଗଲା। ଏହା ସ୍ପଷ୍ଟ ସୂଚାଇ ଦେଉଛି ଯେ, ରାଜ୍ୟରେ ସ୍ବାସ୍ଥ୍ୟ ସେବା କିପରି ବିପର୍ଯ୍ୟସ୍ତ। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏପରି ଅଭିଯୋଗ ଆଣିଛନ୍ତି। ଏହି ଦୁଃଖଦ ଘଟଣା ପାଇଁ ମୃତ ସୁକାନ୍ତିଙ୍କ ପରିବାରବର୍ଗଙ୍କୁ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୦ ବର୍ଷ ଶାସନ ସମୟରେ ବହୁ ମନ୍ତ୍ରୀଙ୍କୁ ବିଦା କରି ବାହାବା ନେଇଛନ୍ତି। ଆମ୍ବୁଲାନ୍‌ସ୍‌ ନ ପାଇ ସାଇକେଲ୍‌ ଓ କାନ୍ଧରେ ବୋହି ରୋଗୀ ନେବା ନୂଆ ଘଟଣା ନୁହେଁ। ଦାନ ମାଝୀଙ୍କ ପତ୍ନୀ ଘଟଣା ସାରା ରାଜ୍ୟ କ’ଣ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏତେ ଘଟଣା ପରେ ବି ସରକାର କିଛି ଶିଖିଲେନି। ଏବେ ଶ୍ରୀ ଭୋଇଙ୍କ ଯେପରି ଦୁର୍ଦଶା ହେଲା ସେଥିପାଇଁ ସରକାର ଓ ମୁଖ୍ୟମନ୍ତ୍ରୀ ଦାୟୀ। ଆଗାମୀ ଦିନରେ ସାଧାରଣ ଜନତା ଏହାର ଜବାବ ଦେବେ। ଯଦି ଶ୍ରୀ ଭୋଇଙ୍କୁ ନ୍ୟାୟ ନ ମିଳେ, ତା’ହେଲେ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରି କହିଛନ୍ତି, ପୁରୀ ଡାକ୍ତରଖାନାକୁ ମେଡିକାଲ୍‌ କଲେଜ୍‌ କରିବା ପାଇଁ ସରକାର ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ଅଥଚ ସେହି ମେଡିକାଲରେ ସୁକାନ୍ତିର କ’ଣ ରୋଗ ହୋଇଛି ତାକୁ ଡାକ୍ତରମାନେ ଚିହ୍ନି ପାରିଲେନି। ଅଧିକ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ବର ପଠାଇବା ପରିବର୍ତ୍ତେ ଘରକୁ ପଠାଇଦେଲେ। ମୃତ ସୁକାନ୍ତିର ଘରଠାରୁ ୩ କିଲୋମିଟର ଦୂରରେ ଅଳଗୁମ୍‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ଅତ୍ୟନ୍ତ ସନ୍ଦେହଜନକ। ଆସନ୍ତା ଦିନରେ ଶ୍ରୀ ଭୋଇଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦଳ ମାନବାଧିକାର କମିସନରଙ୍କ ଦ୍ବାରସ୍ଥ ହେବ। ଶ୍ରୀ ହରିଚନ୍ଦନ ସତ୍ୟବାଦୀ ବିଧାୟକ ଥିବାବେଳେ ବିଧାୟକ ହାତପାଣ୍ଠିରୁ କିଣା ଯାଇଥିବା ଆମ୍ବୁଲାନ୍‌ସ କ’ଣ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ବୋଲି ସେ ପ୍ରଶ୍ନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe