ତତଲା କଡ଼େଇରେ ରାଜଧାନୀ : ଆକାଶରୁ ନିଆଁ ବର୍ଷା

ତତଲା କଡ଼େଇରେ ରାଜଧାନୀ : ଆକାଶରୁ ନିଆଁ ବର୍ଷା

୭୩ ବର୍ଷର ରେକର୍ଡ ଭାଙ୍ଗିଲା ତାତି
ଦିନକରେ ବଢ଼ିଲା ୪.୪ଡିଗ୍ରି
କଲବଲ କଲା ମୁଣ୍ଡଫଟା ଖରା

ଭୁବନେଶ୍ବର : ଖରା ଓ ତାତିର ପ୍ରକୋପ ଏମିତି ପ୍ରଚଣ୍ଡ ଯେ ରାଜ୍ୟର କି ଦେଶର ନୁ‌ହେଁ;‌ ଆଜି ସମଗ୍ର ବିଶ୍ବର ତତଲା ସହର ପାଲଟିଛି ଭୁବନେଶ୍ବର। ସତେ ‌ଯେମିତି ତତଲା କଡ଼େଇରେ ସିଝୁଛି ରାଜଧାନୀ। ଆଉ ଡହଡହ ଖରାରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ। ଗତ କିଛି ଦିନ ହେଲା ୪୦ଡିଗ୍ରି ପାଖାପାଖି ରହୁଥିବା ରାଜଧାନୀର ତାତି ଆଜି ସବୁ ରେକର୍ଡ ଭାଙ୍ଗି ୪୫ ନିକଟତର ହୋଇଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ମଙ୍ଗଳବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ଥିଲା ୩୯.୮ ଡିଗ୍ରି । ବୁଧବାର ପାରଦ ହଠାତ୍ ୪.୪ ଡିଗ୍ରି ବଢ଼ିଗଲା। ଆଉ ରାଜଧାନୀର ତାତି ମାର୍ଚ୍ଚ ମାସର ସର୍ବକାଳୀନ ରେକର୍ଡ ୪୪.୨ଡିଗ୍ରି ଛୁଇଁଲା। ରାଜଧାନୀ ପ୍ରତିଷ୍ଠା ହେବା ଦିନଠୁ ଭୁବନେଶ୍ବରରେ ମାର୍ଚ୍ଚ ମାସରେ ଏମିତି ତାତି ଅନୁଭୂତ ହୋଇ ନ ଥିଲା। ତେଣୁ ଏପ୍ରିଲ ଆରମ୍ଭ ନହେଉଣୁ ରାଜଧାନୀବାସୀ ପଚାରିଲେଣି କେବେ ଖରାରୁ ତ୍ରାହି ମିଳିବ। ଏପଟେ ପାଣିପାଗ ବିଭାଗ କହୁଛି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଖରାରୁ ତ୍ରାହି ନାହିଁ। ପାରଦ ୪୫ଡିଗ୍ରି ଟପିପାରେ।

publive-image

ଆଜି ଅପରାହ୍ନ ୧୦ଟା ବେଳୁ ସୂର୍ଯ୍ୟ ଦେବତାଙ୍କ ପ୍ରକୋପ ଆରମ୍ଭ ହୋଇଯାଇଥିଲା। ଦିନ ଯେତିକି ବଢ଼ୁଥିଲା ତାତି ସେହି ଅନୁସାରେ ବଢ଼ୁଥିଲା। ପୂର୍ବାହ୍ନ ୧୧ଟା ବେଳକୁ ପାରଦ ୪୦ଡିଗ୍ରି ଛୁଇଁଥିଲା। ଏହାପରେ ପାରଦ ଉପରମୁହାଁ ହୋଇ ଚାଲିଥିଲା। ରାସ୍ତାରେ ଯିଏ ଯାଉଥିଲେ ଆକାଶରୁ ନିଆଁ ହୁଳା ଖସିବା ଭଳି ଲାଗୁଥିଲା, ବହୁଥିବା ପବନରେ ନିଆଁ ଧାସ ବାଜିବା ଭଳି ମୁହଁ ସିଝି ଯାଉଥିଲା। ଦେହ ହାତ ଜଳିଗଲା ଭଳି ଲାଗୁଥିଲା। ଲୋକ ଟାଣ ଖରାରେ ସିଝୁଥିଲେ, ମୁଣ୍ଡରୁ ଗମ୍‌ ଗମ୍‌ ଝାଳ ବହୁଥିଲା। ଫଗୁଣ ସରୁ ସରୁ ଏମିତି ତାତି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଉଥିଲା। ଏମିତି ଖରା ହେଉଥିଲା ଯେ, ସବୁଦିନ ଯେଉଁ ଗଛ ତ‌ଳେ ଟିକେ ଛାଇ ମିଳେ ଆଜି ସେଠାରେ ବି ଛାଇ ନଥିଲା। ଦୋକାନ ଦୁଆର ମୁହଁରେ ବି ଲୋକ ଛିଡ଼ା ହୋଇପାରୁନଥ‌ିଲେ। ରାଜଧାନୀର ପାଣିପାଗ ହଠାତ୍ କାହିଁକି ଏମିତି ବଦଳିଗଲା ଭାବୁଭାବୁ ପାରଦ ୪୪ଡିଗ୍ରି ଟପି ଯାଇଥିଲା। ଅପରାହ୍ନ ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ପାରଦ ୪୪.୨ଡିଗ୍ରି ଛୁଇଁ ଯାଇଥିଲା। ହେଲେ ଲୋକଙ୍କୁ ରାସ୍ତା କଡ଼ରେ ପାଣି ଟୋପାଏ ବି ମିଳିନଥିଲା। ବିଏମ୍‌ସି ଏପର୍ଯ୍ୟନ୍ତ ଜଳଛତ୍ର ଖୋଲିନଥିବାରୁ କି କାହାକୁ ଖୋଲିବାକୁ ଅନୁମତି ଦେଇନଥିବାରୁ ମଣିଷରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଖରାରେ ଆଉଟୁପାଉଟୁ ହୋଇଥିଲେ।

ରାଜଧାନୀରେ ହଠାତ୍ ତାତି ବଢ଼ିବା ନେଇ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଏବେ ସ୍ଥଳ ଭାଗରୁ ପବନ ସମୁଦ୍ରକୁ ଟାଣି ହେଉଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ପାର୍ଶ୍ବରୁ ଆସୁଥିବା ପବନ ଓଡ଼ିଶା ସ୍ଥଳ ଭାଗ ଦେଇ ସମୁଦ୍ରକୁ ଯାଉଥିବାରୁ ଅଧିକ ଅଞ୍ଚଳ ଦେଇ ଅତିକ୍ରମ କରୁଛି। ଫଳରେ ଉପକୂଳ ଓଡ଼ିଶାରେ ପ୍ରବଳ ଖରା ହେଉଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜଧାନୀ ଏହିପରି ଉତ୍ତପ୍ତ ରହିବ। ତେବେ ଏପ୍ରିଲ ୩ତାରିଖ ପରେ କାଳବୈଶାଖୀ ସମ୍ଭାବନା ଥିବାରୁ ରାଜଧାନୀବାସୀ ଖରାରୁ ଆଶ୍ବସ୍ତି ପାଇବେ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe