‘ଟୁଲ୍‌କିଟ୍‌’ ପାଇଁ ସରଗରମ ରାଜନୀତି, ଟୁଲ୍‌କିଟ୍‌ ଆଧାରରେ ରାହୁଲ ଗାନ୍ଧି ଟ୍ବିଟ୍‌ କରୁଥିବା ଅଭିଯୋଗ

ଟୁଲ୍‌କିଟ୍‌ ନକଲି, ଆଇନଗତ ପଦକ୍ଷେପ ନେବୁ: କଂଗ୍ରେସ

ରାହୁଲଙ୍କ ବିମାନକୁ ଅବତରଣ ପାଇଁ ଅନୁମତି ନମିଳିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ବାରାଣାସୀ ବିମାନବନ୍ଦର

Image Courtesy of India Today

ନୂଆଦିଲ୍ଲୀ, ୧୮/୫: ‘କଂଗ୍ରେସ ଏବେ ଏକ ‘ଟୁଲ୍‌କିଟ୍‌’ ମାଧ୍ୟମରେ ଦେଶକୁ ବଦ୍‌ନାମ କରିବାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚଳାଇଛି ଏବଂ ଏହି ଆଧାରରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲ ଗାନ୍ଧି ଓ ଅନ୍ୟ କଂଗ୍ରେସ ନେତାମାନେ ଟ୍ବିଟ୍‌ କରୁଛନ୍ତି’ ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ସୋସିଆଲ୍‌ ମିଡିଆରେ ଏହି ଟୁଲ୍‌କିଟ୍‌ ସେୟାର କରିବା ସହ କଂଗ୍ରେସର ଗବେଷଣା କମିଟି ଏହି ଟୁଲ୍‌କିଟ୍‌ ପ୍ରସ୍ତୁତ କରିଥିବା କହିଛନ୍ତି। ‘ନୂଆ ରୂପାନ୍ତରିତ କରୋନାଭୂତାଣୁକୁ ‘ଇଣ୍ଡିଆନ୍‌ ଷ୍ଟ୍ରେନ୍‌’ ଏବଂ ‘ମୋଦୀ ଷ୍ଟ୍ରେନ୍‌’ ଭାବେ ପ୍ରଚାର କରାଇବାକୁ ଏହି ଟୁଲ୍‌କିଟ୍‌ରେ କୁହାଯାଇଛି ଏବଂ କଂଗ୍ରେସ ନେତାମାନେ ସେହି ଆଧାରରେ କାମ କରୁଛନ୍ତି। କୁମ୍ଭ ମେଳାକୁ ‘ସୁପର୍‌ସ୍ପ୍ରେଡର’ କାର୍ଯ୍ୟକ୍ରମ ଭାବେ ପ୍ରଚାର କରିବା ସହ କୋଭିଡ୍‌ ମୃତକଙ୍କ ଅନ୍ତିମ ସଂସ୍କାର ସମୟର ଫଟୋକୁ ଅଧିକ‌ ଫୋକସ୍‌ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବାକୁ କୁହାଯାଇଛି। ଏହା ସହ ବିଦେଶୀ ଗଣମାଧ୍ୟମରେ ଯେଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲଗାତାର ବଦନାମ କରାଯିବ ସେ ଦିଗରେ ନିରନ୍ତର କାମ କରିବାକୁ ଏହି ଟୁଲ୍‌କିଟ୍‌ରେ ଦର୍ଶାଯାଇଛି’ ବୋଲି ବିଜେପି କହିଛି।

ଅନ୍ୟପକ୍ଷରେ କଂଗ୍ରେସ ଏହି ଟୁଲ୍‌କିଟ୍‌କୁ ନକଲି ବୋଲି କହିବା ସହ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବ ବୋଲି କହିଛି। ଏହି ଦୁଇ ବିଜେପି ନେତାଙ୍କ ବିରୋଧରେ କଂଗ୍ରେସ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe