ଭାସୁଛି ଉପକଣ୍ଠ, ଘରୁ ବାହାରି ପାରୁନାହାନ୍ତି ହଜାର ହଜାର ଲୋକ

Advertisment
ଭାସୁଛି ଉପକଣ୍ଠ, ଘରୁ ବାହାରି ପାରୁନାହାନ୍ତି ହଜାର ହଜାର ଲୋକ

ଭୁବନେଶ୍ୱର : ଭୁବନେଶ୍ୱରରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଆଜି ସକାଳ ସୁଦ୍ଧା‌ ୯୧.୬ମିମି ବର୍ଷା ହୋଇଥିବାବେଳେ ଆଜି ୩.୩ମିମି ବର୍ଷା ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଣି ଜମିଥିଲା। କିନ୍ତୁ ରାଜଧାନୀ ଉପକଣ୍ଠ ଅବସ୍ଥା ସଙ୍ଗିନ ହୋଇଯାଇଛି। ସତ୍ୟବିହାରରୁ ଆରମ୍ଭ କରି ନହରକଣ୍ଟା, ହଂସପାଳ, ସୁନ୍ଦରପଦା ଆଦି ଅଞ୍ଚଳରେ ବନ୍ୟାଞ୍ଚଳ ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଉପକଣ୍ଠ ଭାସୁଥିଲେ ହେଁ ଏଠାରେ ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇନି। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଅବସ୍ଥା ଦୁର୍ବିସହ ହେବାରେ ଲାଗିଛି।

ସତ୍ୟବିହାର ଓ ନହରକଣ୍ଟା ଅଞ୍ଚଳରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି। ଏହି ସବୁ ବିଏମ୍‌ସି ଅଞ୍ଚଳରେ ଯାଉଥିଲେ ‌ହେଁ ଏଠାରେ ପାଣି ନିଷ୍କାସନ ପାଇଁ ପାଣି ପମ୍ପ ଲାଗିନି। ଫଳରେ ଲୋକ ଘରୁ ବାହାରିବା କଷ୍ଟକର ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରିଲେ ଲୋକ ହାତରେ ଜୋତା ଧରି, ଗାମୁଛା ପିନ୍ଧି ବାହାରୁଛନ୍ତି। ପାଣିରୁ ବାହାରିଲେ ପ୍ୟାଣ୍ଟ ପିନ୍ଧି, ଚପଲ ପିନ୍ଧି ଯାଉଛନ୍ତି। ରାଜଧାନୀରେ ଘର କରି ଏପରି ସ୍ଥିତି ହେବ ବୋଲି ସ୍ବପ୍ନରେ ଭାବିନଥିବା ଲୋକ ଏବେ ଘର କରି ଫସିଯାଇଛନ୍ତି ବୋଲି କହୁଛନ୍ତି।

publive-image

ସୁନ୍ଦରପଦା, ବାଲିଅନ୍ତା ଆଦି ଅଞ୍ଚଳରେ ତ ବିଗତ ବର୍ଷଗୁଡ଼ିକରେ ସ୍ଥିତି ଯାହା ଥିଲା ଏବର୍ଷ ତାହା। ଏଠାରେ କିଛି ବି ପରିବର୍ତ୍ତନ ହୋଇନି। ରାଜ୍ୟ ସରକାର ଡ୍ରେନେଜ୍‌ ବ୍ୟବସ୍ଥା ‌ସୁଧାରିବା ନେଇ ବହୁ ଯୋଜନା ଘୋଷଣା କରୁଛନ୍ତି, ଡ୍ରେନ୍ ନିର୍ମାଣ କରୁଛନ୍ତି କିନ୍ତୁ ଏହି ଅଞ୍ଚଳରେ କିଛି ଫରକ ପଡ଼ୁନି।

ବିଏମ୍‌ସି ଓ ବିଡିଏ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ଲୋକ ଜଳବନ୍ଦୀ ହୋଇ ରହିବା ନେଇ ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ, ସତ୍ୟବିହାର ଅଞ୍ଚଳ ଖାଲୁଆ ଅଞ୍ଚଳ ଓ ସମ୍ବେଦନଶୀଳ ଜୋନ୍‌ ହୋଇନଥିବାରୁ ଏଠାରେ ବିଡିଏ ଘର କରିବାକୁ ପ୍ଲାନ୍‌ ଅନୁମୋଦନ କରୁନଥିଲା। ବିଏମ୍‌ସି ବି କରିନି। ଲୋକ ଯଦି ନିୟମ ନମାନି ଘର କରିବେ ଆମେ କ’ଣ କରିପାରିବୁ। ‌ବର୍ଷା ଜଳ ଜମିଲେ ନିଷ୍କାସନ କରିବା କାମ ବିଏମ୍‌ସି ଓ ପୂର୍ତ୍ତ ବିଭାଗର ଆମେ କ’ଣ କରିପାରିବୁ। ସେହିପରି ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ବିଭିନ୍ନ ଅଞ୍ଚଳର ଲୋକ ସେମାନଙ୍କ ଅଞ୍ଚଳକୁ ବିଏମ୍‌ସିରେ ସାମିଲ୍‌ କରିବାକୁ ଦାବି କରୁଛନ୍ତି। ଆମେ ବିଏମ୍‌ସିରେ ସାମିଲ୍‌ କରିବା ସମୟରେ କହୁଛୁ ଯେ, ଏବେ ଡ୍ରେନ୍‌, ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ସମ୍ଭବ ନୁହେଁ। ତଥାପି ଆମେ ବହୁ ଅଞ୍ଚଳରେ ‌ଷ୍ଟ୍ରିଟଲାଇଟ୍‌ ଲଗାଉଛୁ। ହେଲେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରିବା ପାଇଁ ଅଧିକ ଅର୍ଥ ଦରକାର ପଡ଼ୁଥିବାରୁ କିଛି ଅଞ୍ଚଳରେ ଏହା ହୋଇନି। ଯେଉଁଠି ଲୋକ ଜଳବନ୍ଦୀ ହେଉଛନ୍ତି ସେମାନେ ବିଏମ୍‌ସି ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କଲେ ପାଣି ପମ୍ପ ଯୋଗାଇ ଦେବାର ବ୍ୟବସ୍ଥା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe