‘ଅମ୍ଫାନ’କୁ ବଳିଗଲା ଶୁକ୍ରବାର ରାତିର ପାହାନ୍ତି କାଳବୈଶାଖୀ ବର୍ଷା

Advertisment
‘ଅମ୍ଫାନ’କୁ ବଳିଗଲା ଶୁକ୍ରବାର ରାତିର ପାହାନ୍ତି କାଳବୈଶାଖୀ ବର୍ଷା

ଭୁବନେଶ୍ବର : ଶୁକ୍ରବାର ରାତିର ପାହାନ୍ତି କାଳବୈଶାଖୀ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲା। ସୁ’ ସୁ’ ଗର୍ଜନ କରି ବହୁଥିବା ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଓ କାନଫଟା ଘଡ଼ଘଡ଼ିରେ ଥରି ଉଠିଥିଲା ରାଜଧାନୀ। ପଟିଆରୁ ପୁରୁଣା ଭୁବନେଶ୍ବର, ରସୁଲଗଡ଼ରୁ ଖଣ୍ଡଗିରି ସବୁଠି ଛାତିଥରା ଶବ୍ଦ। ପାଖାପାଖି ଦେଢ଼ ଘଣ୍ଟା ଧରି ଲାଗି ରହିଥିଲା ପବନ, ବର୍ଷା ଓ ଘଡ଼ଘଡ଼ି। ବିଦ୍ୟୁତ୍ କଟି ଯାଇଥିଲା ଓ ଚାରିଆଡ଼େ ଛାଇ ଯାଇଥିଲା ଘନ ଅନ୍ଧକାର। ବାତ୍ୟା ଭୟରେ ଲୋକେ ଶିହରି ଉଠିଥିଲେ। ବସ୍ତିବାସିନ୍ଦାମାନେ ଛାନିଆ ‌ହୋଇ ପଡ଼ିଥିଲେ। ଝୁମ୍ପୁଡ଼ି ଛପର ଉଡ଼ି ଯାଇଥିଲା ଓ ବହୁ ସ୍ଥାନ ବର୍ଷା ଜଳରେ ବୁଡ଼ି ଯାଇଥିଲା।

publive-image

ଆଶ୍ଚର୍ଯ୍ୟର କଥା ହେଉଛି ଯେ ବାତ୍ୟା ‘ଅମ୍ଫାନ’ ବେଳର ପବନଠାରୁ ଏହି କାଳବୈଶାଖୀ ପବନର ବେଗ ଅଧିକ ଥିଲା। ବାତ୍ୟା ସମୟରେ ଭୁବନେଶ୍ବରରେ ଘଣ୍ଟା ପ୍ରତି ସର୍ବାଧିକ ୫୩ କିମି ବେଗରେ ପବନ ବହୁଥିବା ବେଳେ ଏହି ପାହାନ୍ତିଆ ଝଡ଼ବର୍ଷା ସମୟରେ ସହରରେ ଘଣ୍ଟା ପ୍ରତି ୯୩ କିମି ବେଗରେ ପବନ ବହିଥିଲା। ରାତି ୧୨ଟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା ଓ ରାତି ସାଢ଼େ ୨ଟାରୁ ସାଢ଼େ ୪ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା। ମାତ୍ର ଦୁଇ ଘଣ୍ଟା ମଧ୍ୟରେ ସହରରେ ୩୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ଏହି ବର୍ଷା ଯୋଗୁଁ ସହରତଳି ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିଲା। କେତେକ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିଲେ।

publive-image

ବିଜେବି ନଗରରେ ଏକ ଗଛ ପଡ଼ିବାରୁ ଗୋଟିଏ ପରିବାର ତା’ ତଳେ ରହି ଯାଇଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଝଡ଼ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ୬୦ଟି ଗଛ ଉପୁଡ଼ି ପଡ଼ିଥିବା ବେଳେ ଶତାଧିକ ଗଛ ଭାଙ୍ଗିଥିବା ରିପୋର୍ଟ ମିଳିଛି। ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ୍‌, ଶାସ୍ତ୍ରୀ ନଗର ରାସ୍ତା, ଗୋପବନ୍ଧୁ ଛକ, ପ୍ରଦର୍ଶନୀ ପଡ଼ିଆ, ଖାରବେଳ ନଗର, ଏଜି ଛକରୁ ରାଜମହଲ ରାସ୍ତା, ୟୁନିଟ୍‌-୩, ରେଡକ୍ରସ୍‌ ଭବନ, ଚିନ୍ତାମଣିଶ୍ବର, ବିଜେବି ନଗର, ଶିଶୁ ଭବନ ଛକ, ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଗଛ ଭାଙ୍ଗି ପଡ଼ିଥିଲା। ସେହିପରି ବଡଗଡ଼ ପରିବା ମାର୍କେଟରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଫରେଷ୍ଟ ପାର୍କ ନିକଟରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଗୋଟିଏ ପାର୍ଶ୍ବକୁ ଆଉଜି ପଡ଼ିଥିଲା ଓ ତାର ଛିଣ୍ଡି ପଡ଼ିଥିଲା। ସେଣ୍ଟ ଜୋସେଫ୍‌ ସ୍କୁଲ ଓ ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ବିଦ୍ୟୁତ୍‌ ଖୁଣ୍ଟି ଉପୁଡ଼ି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe