ରାଜଧାନୀରେ କାଳବୈଶାଖୀ: ଗଛ ଉପୁଡ଼ିଲା, ଅଟୋ ଭାଙ୍ଗିଲା

Advertisment
ରାଜଧାନୀରେ କାଳବୈଶାଖୀ: ଗଛ ଉପୁଡ଼ିଲା, ଅଟୋ ଭାଙ୍ଗିଲା

ଭୁବନେଶ୍ବର: ବୁଧବାର ମଧ୍ୟରାତିରେ କଳାବୈଶାଖୀ ପ୍ରଭାବରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବିଭିନ୍ନ ସ୍ଥାନରେ ବିଶାଳ ଗଛ ଉପୁଡ଼ି ପଡ଼ିବା ଦ୍ବାରା ରାସ୍ତା ଅବରୋଧ ହୋଇଥିଲା। ସକାଳୁ ଅଗ୍ନିଶମ କର୍ମଚାରୀଙ୍କ ସମେତ ଟ୍ରାଫିକ୍‌ ପୁଲିସ କର୍ମଚାରୀ ପହଞ୍ଚି ରାସ୍ତା ସଫା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ରାତିରେ କିଛି ସମୟ ମଧ୍ୟରେ ୨୧.୮ ମିମି ବର୍ଷା ହୋଇଥିବା ବେଳେ ସକାଳୁ ବି ହାଲକା ବର୍ଷା ଜାରି ରହିଥିଲା। କାଳବୈଶାଖୀ ପ୍ରଭାବରେ ଆଜି ଦିନ ତମାମ କୋହଲା ପାଗ ଲାଗି ରହିଥିଲା। ବର୍ଷା ହୋଇ ନଥିଲେ ମଧ୍ୟ ରାଜଧାନୀରେ ପବନ ଜାରି ରହିଥିଲା। ଅପରାହ୍‌ଣରେ ରାଜଧାନୀ ଆକାଶରେ ପୁଣିଥରେ କଳା ବାଦଲ ‌ମାଡ଼ି ଆସିଥିଲା। ତୁହାକୁ ତୁହା ପବନ ହୋଇଥିଲା। ପବନର ବେଗ ଏତେ ଅଧିକ ଥିଲା ଯେ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଏକ ବିଶାଳ ଗଛ ରାସ୍ତା ଉପରକୁ ଉପୁଡ଼ି ପଡ଼ିଥିଲା। ଏହି ସମୟରେ ଟ୍ରାଫିକ୍‌ ପାର ହୋଇ ଏକ ଅଟୋ ଡମଣା ଛକ ଆଡ଼କୁ ଯାଉଥିଲା। ଗଛ ଉପୁଡ଼ି ପଡ଼ିବା ଯୋଗୁଁ ଅଟୋରେ ବସିଥିବା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ। ଚାଳକଙ୍କ କହିବାନୁଯାୟୀ ଅଟୋରେ ୪ ଜଣ ଯାତ୍ରୀ ରହିଥିଲେ। ଗଛ ପଡ଼ିବା ଦ୍ବାରା ଅଟୋର ଉପର ଭାଗ ଚାପି ହୋଇଯାଇଥିଲା। ଆଗ କାଚ ଭାଙ୍ଗି ଯାଇଥିଲା। କୌଣସି ଯାତ୍ରୀଙ୍କର ଅଧିକ କିଛି କ୍ଷତି ହୋଇ ନାହିଁ। ସେମାନେ ସୁରକ୍ଷିତ ଭାବେ ଅନ୍ୟ ଅଟୋରେ ପଳାଇ ଯାଇଥିଲେ। ଗଛ ଉପୁଡ଼ି ପଡ଼ିବା ସମୟରେ ଟ୍ରାଫିକ୍‌ ବନ୍ଦ ରହିଥି‌ଲା। ଅଧିକ ଗାଡ଼ି ଯିବା ଆସିବା କରୁ ନଥିଲେ। ‌ତେଣୁ ବହୁ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିଲା। ଖବର ପାଇ ଅଗ୍ନିଶମ ଗାଡ଼ି, ଟ୍ରାଫିକ୍‌ ପରିଚାଳନା ଦାୟିତ୍ବରେ ଥିବା ପୁଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଏହି ରାସ୍ତାରେ ଚଳାଚଳ ବ୍ୟାହତ ହୋଇଥିଲା। ଗଛ କଟାଯିବା ପରେ ସ୍ଥିତି ସ୍ବାଭାବିକ୍‌ ହୋଇଥିଲା। ସେପଟେ ସହରର ଆଉ କେତେକ ସ୍ଥାନରେ ଛୋଟ ତଥା ଚାଳିଆ ଦୋକାନର ଛପର ଉଡ଼ି ଯାଇଛି। ବହୁ ସ୍ଥାନରେ ହୋର୍ଡିଂ ଭାଙ୍ଗି ଯାଇଥିବା ଖବର ମିଳିଛି।

ଭାଙ୍ଗିଲା ୧୮ ଦୋକାନ, ୨ଗାଡ଼ି, ୫ ଆହତ
ବାଲିଅନ୍ତା: ଆଜି ଅପରାହ୍‌ଣ ସାଢ଼େ ୪ଟା ସମୟରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ କାଳବୈଶାଖୀ ଓ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୁବନେଶ୍ବର–ବନମାଳିପୁର ମୁଖ୍ୟରାସ୍ତା ଉପରେ ବଡ଼ବଡ଼ ଗଛ ଭାଙ୍ଗିଯିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଛି। ବୁଦ୍ଧିପଡ଼ା ବଜାରରେ ଥିବା ପୂରଣଶାସନ ଗ୍ରାମର ରବୀନ୍ଦ୍ର ନାଥ ସାମନ୍ତରାୟଙ୍କର ୧୦ ବଖରା ଦୋକାନ ଘର ଓ ଗୋବିନ୍ଦ ନାୟକଙ୍କର ୫ ବଖରା ଆଜବେଷ୍ଟସ ଉଡ଼ିଯିବା ସହିତ ଗଛପଡ଼ି ଘର କାନ୍ଥ ଫାଟିଯାଇଛି। କରୁଣାକର ପ୍ରଧାନଙ୍କର ୩ ବଖରା ଛାତଘର ଉପରେ ବଡ଼ ଚାଖୁଣ୍ଡା ଗଛ ଭାଙ୍ଗିପଡ଼ିବା ଫଳରେ କ୍ଷତିଗ୍ରସ୍ତ ହୋଇଛି। ବାଆବଜା ଗ୍ରାମର ସାନ୍ତନୁ ରାଉତଙ୍କ ୭୦୯ ଗାଡ଼ି ଓ ବୁଦ୍ଧିପଡ଼ା ଗ୍ରାମର ସନ୍ତୋଷ କୁମାର ସ୍ବାଇଁଙ୍କର ଅଟୋ ଉପରେ ଗଛ ପଡ଼ିବାରୁ ଗାଡ଼ି ଭାଙ୍ଗିଯାଇଛି। ବୁଦ୍ଧିପଡ଼ା ଗ୍ରାମର ରାମ ଚନ୍ଦ୍ର ଜେନାଙ୍କର ବାସଘର ଓ ମଧୁସୂଦନ ଜେନାଙ୍କର ଗୁହାଳ ଘର ଆଜବେଷ୍ଟସ ଉଡ଼ିଯାଇଛି। ବଜାର ଭିତରେ ଥିବା ୪ ଜଣ ଦୋକାନୀଙ୍କ ସହ ଜଣେ ଗ୍ରାହକ ଆହତ ହୋଇଥିବା ଖବର ମିଳିଛି। ବାଳକାଟି ଭାର୍ଗବୀ ବ୍ରିଜ୍‌ ଓ ବଜାର ରାସ୍ତା ପାର୍ଶ୍ବରେ ଥିବା ହୋର୍ଡିଂ ଭାଙ୍ଗିପଡ଼ିବାରୁ ଘଣ୍ଟାଏ ରାସ୍ତା ଜାମ ହୋଇଥିଲା। ମେଘ ଓ କୁଆପଥର ମାଡ଼ରେ ଫୁଲକୋବି, ପତ୍ରକୋବି ଓ ଅନ୍ୟାନ୍ୟ ପରିବା ଫସଲ ନଷ୍ଟ ହେବା ଆଶଙ୍କା ରହିଥିବା ରଣପୁର ଗ୍ରାମର ଚାଷୀ ବିନୋଦ ପରିଡ଼ା କହିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe