ଭୁବନେଶ୍ବର: ଆଜି ରାତିରେ ରାଜଧାନୀରେ ଆରମ୍ଭ ହୋଇଥିଲା କାଳବୈଶାଖୀର ତାଣ୍ଡବ। ରାତି ପ୍ରାୟ ୧୧ଟା ବେଳକୁ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଜୁଳି ସହ ଘଡ଼ଘଡ଼ି ମାରବାରୁ ଯିଏ ଯେଉଁଠି ପାରିଲେ ଛିଡ଼ା ହୋଇ ରହିଥିଲେ। ହଠାତ୍ ବର୍ଷା ହେବାରୁ ସହରର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଛି। ଘଣ୍ଟା ଘଣ୍ଟା ଧରି ବିଜୁଳି କଟିଥିଲା। ଏଥିସହ ଜୋର୍ରେ ପବନ ହେବାରୁ ସ୍ଥାନେସ୍ଥାନେ ଗଛ ଡାଳ ଭାଙ୍ଗି ପଡ଼ିଛି। କ୍ଷୟକ୍ଷତି ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳି ନ ଥିଲେ ମଧ୍ୟ ପବନ ଯୋଗୁଁ କେତେକ ବସ୍ତିରେ ଘର ଭାଙ୍ଗି ଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେଲା ବେଳକୁ ସହରରେ ବର୍ଷା ଲାଗିରହିଛି। ଖଣ୍ଡଗିରି, କଳିଙ୍ଗବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ରାଜମହଲ ଛକ, ଜୟଦେବବିହାର ଛକ ଓଭରବ୍ରିଜ୍ ତଳେ ଲୋକେ ଅଟକି ରହିଥିଲେ। ବିଜୁଳି ହେଉଥିବାରୁ କେହି ଭୟରେ ଆଗକୁ ବଢ଼ିପାରି ନ ଥିଲେ। ପୁରୁଣା ଭୁବନେଶ୍ବରର ରଥରୋଡ୍ ଓ ବୁଦ୍ଧନଗରରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା। କିଛି ବସ୍ତିରେ ଲୋକଙ୍କ ଝୁମ୍ପୁଡ଼ିର ପଲିଥିନ ଛାତ ଉଡ଼ିଯାଇଛି। ଅଚାନକ ଏତେ ବର୍ଷା ହେବା କାରଣରୁ ଘର ଭିତରେ ପାଣିରେ ବୁଡ଼ି ବହୁ ଜିନିଷ ନଷ୍ଟ ହୋଇଛି। ଏମିତିକି ଖାଦ୍ୟ ପଦାର୍ଥ ନଷ୍ଟ ହୋଇଥିବା ଜଣାପଡ଼ିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇଛି। ରାତି ୩ଟା ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ।
ଅଧରାତିରେ ନିର୍ଧୁମ ଛେଚିଲା
Advertisment
Follow Us