ଫ୍ଲାଏ ଓଭରରେ ହେଲ୍‌ମେଟ୍‌ ଯାଞ୍ଚ, ଆରମ୍ଭରୁ ବିରୋଧ

Advertisment
ଫ୍ଲାଏ ଓଭରରେ ହେଲ୍‌ମେଟ୍‌ ଯାଞ୍ଚ, ଆରମ୍ଭରୁ ବିରୋଧ

ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିଜ୍ଞପ୍ତି ମୁତାବକ, ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଉପରେ ଆଜିଠାରୁ ହେଲ୍‌ମେଟ୍‌ ଯାଞ୍ଚ ଆରମ୍ଭ ହୋଇଛି। ବରମୁଣ୍ଡା ଫ୍ଲାଏ ଓଭର୍‌ଠାରେ ଆରଟିଓ-୨ ଓ କମିସନରେଟ୍‌ ପୁଲିସ ମିଳିତ ଭାବେ ଯାଞ୍ଚ କରିଛି। ଯାଞ୍ଚ ବେଳେ ବିନା ହେଲ୍‌ମେଟ୍‌ରେ ଥିବା ୩୦ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ଆରଟିଓ-୨ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ଆସନ୍ତା ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲେ ହେଁ ଆରମ୍ଭରୁ ଏହାକୁ ‌ଘୋର୍‌ ବିରୋଧ କରାଯାଇଛି। ରାଜପଥ ଉପରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଆଇନ ବୋଲି କହି କେତେକ ଚାଳକ ଯୁକ୍ତି କରିବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ରୋକିବା ପାଇଁ ହେଲମେଟ୍‌ ବାଧ୍ୟତାମୂଳକ କରିବା ପ୍ରସଙ୍ଗକୁ ମଧ୍ୟ ଅନେକେ ପରିହାସ କରିଥିଲେ। ଅପରପକ୍ଷେ ରାଜପଥର ଗୋଟିଏପଟେ ଯାଞ୍ଚ ହେଉଥିବା ବେଳେ ଅନ୍ୟପଟେ ନ ହେବା ନେଇ ଅନେକେ ପ୍ରଶ୍ନ ଉଠାଇଥିଲେ।

ଏ ସଂପର୍କରେ ଓଡ଼ିଶା ରୋଡ୍‌ ସେଫ୍ଟି ସୋସାଇଟି ସଦସ୍ୟ ପ୍ରକାଶ କୁମାର ମହାପାତ୍ର କହିଛନ୍ତି, ହେଲ୍‌ମେଟ୍‌ ବାଧ୍ୟତାମୂଳକ କରିବା ମୃତ୍ୟୁ ସଂଖ୍ୟା କମାଇବାର ସମାଧାନ ନୁହେଁ। ହେଲ୍‌ମେଟ୍‌ ପିନ୍ଧି ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ତଳେ ଚାପି ହୋଇଗଲେ ବଞ୍ଚିବା ସମ୍ଭବ ନୁହେଁ। ବାସ୍ତବରେ ଦ୍ରୁତ ଚାଳନା ହିଁ ମୃତ୍ୟୁର କାରଣ ସାଜୁଛି। ୪ ଚକିଆଙ୍କ ପାଇଁ ଶହେ କିଲୋମିଟର ପ୍ରତି ଘଣ୍ଟା ଓ ବାଇକ୍‌ ଚାଳକଙ୍କ ପାଇଁ ୭୦ କିଲୋମିଟର ପ୍ରତି ଘଣ୍ଟା ଧାର୍ଯ୍ୟ ହୋଇଛି। କିନ୍ତୁ ଦେଢ଼ଶହ କିଲୋମିଟର ପ୍ରତି ଘଣ୍ଟାରେ ଅନେକ କାର୍‌ ଚାଲୁଥିବା ବେଳେ ଶହେରୁ ଅଧିକ ବେଗରେ ବାଇକ୍‌ ଚାଲୁଛି। ଦ୍ରୁତଗତି ପ୍ରତିରୋଧ ନ ହେଲେ ମୃତ୍ୟୁ ସଂଖ୍ୟା କମିବ ନାହିଁ ବୋଲି ସେ କହିଛନ୍ତି। ଡିସିପି ଅନୁପ ସାହୁ କହିଛନ୍ତି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ହେଉଥିବା ଯାଞ୍ଚ‌ରେ କମିସନରେଟ୍‌ ପୁଲିସ ସମ୍ପୂର୍ଣ୍ଣ ସହାୟତା ଯୋଗାଇଛି। ରାଜପଥ ତଥା ଏହି ସବୁ ଫ୍ଲାଏ ଓଭର୍‌ରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଅଧିକ ଆଲୋଚନା ଚାଲିଛି। ଉଲ୍ଲେଖଯୋଗ୍ୟ, ଏହି ରାଜପଥରେ ୭ ଦିନରେ ୮ଟି ମୁଣ୍ଡ ଗଡ଼ିବା ପରେ କମିସନରେଟ୍‌ ପୁଲିସ ରସୁଲଗଡ଼ରୁ ଖଣ୍ଡଗିରି ପର୍ଯ୍ୟନ୍ତ ୫ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରିଥିଲା। ଏହାକୁ ନେଇ ଜିଲ୍ଲା ସଡ଼କ ସୁରକ୍ଷା ସମିତିରେ ମାନସ ମନ୍ଥନ ହୋଇଥିଲା। ଦୁର୍ଘଟଣାରେ ମୃତ ଓ ଆହତ କେବଳ ବାଇକ୍‌ ଚାଳକ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ଭୂପେନ୍ଦ୍ର ସିଂ ପୁନିଆ ଏହି ରାସ୍ତାରେ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରିଥିଲେ। ମାସେ ପର୍ଯ୍ୟନ୍ତ ଏଠାରେ ଯାଞ୍ଚ କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe