ପୁନରୁଦ୍ଧାର ହେଲା ଐତିହ୍ୟ ପୋଖରୀ, ୧୫ଲକ୍ଷରେ ନବୀକରଣ ହେବ ବରମୁଣ୍ଡା ପାଲାମଣ୍ଡପ

Advertisment
ପୁନରୁଦ୍ଧାର ହେଲା ଐତିହ୍ୟ ପୋଖରୀ, ୧୫ଲକ୍ଷରେ ନବୀକରଣ ହେବ ବରମୁଣ୍ଡା ପାଲାମଣ୍ଡପ

ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ହୋଇ ପଡ଼ି ରହିବା ପରେ ପୁନରୁଦ୍ଧାର ହୋଇଛି ବରମୁଣ୍ଡା ଐତିହ୍ୟ ପୋଖରୀ। ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ସଂଲଗ୍ନ ଏହି ପ୍ରାଚୀନ ପୋଖରୀ ଏଥର ନୂଆ ରୂପ ନେଇଛି। ଐତିହ୍ୟ ଜଳାଶୟର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପର୍ଯ୍ୟଟନ ମନ୍ତ୍ରୀ ଥିବା ସମୟରେ ପୋଖରୀର ପୁନରୁଦ୍ଧାର ପାଇଁ ବଜେଟ୍‌ର ବ୍ୟବସ୍ଥା କରିଥିଲେ। ତେଣୁ ଆଜି ତାଙ୍କ କରକମଳରେ ପୋଖରୀ ଉଦ୍‌ଘାଟନ ହୋଇଛି। ଯେପରି ଏହି ପୋଖରୀର ଉଚିତ୍‌ ପରିଚାଳନା ହେବ ଏବଂ ସୌନ୍ଦର୍ଯ୍ୟ ଓ ସ୍ବଚ୍ଛତା ବଜାୟ ରହିବ ସେଥିଲାଗି ସେ ବରମୁଣ୍ଡା ଗ୍ରାମବାସୀଙ୍କ ସହଯୋଗ କାମନା କରିଛନ୍ତି।

ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ କାମ କରାଯାଇଛି। ଜଳାଶୟର ପାଣି ସ୍ବଚ୍ଛ ରଖିବା ଉଦ୍ଦେଶ୍ୟରେ ପଙ୍କ କଢ଼ାଯାଇ ବାଲି ଭର୍ତି କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜଳ ନିଷ୍କାସନର ବାଟ ନଥିବାରୁ ଜଳାଶୟ ଯେତେଥର ପୁନରୁଦ୍ଧାର କରାଯାଉଥିଲା କିଛି ମାସ ପରେ ପୁଣି ଦୂଷିତ ହୋଇଯାଉଥିଲା। ତେଣୁ ଏଥର ପାଣି ନିଷ୍କାସନ ପାଇଁ ପ୍ରଶସ୍ତ ବାଟ ରଖାଯାଇଛି। ପୋଖରୀରେ ସ୍ବଚ୍ଛ ପାଣି ଭର୍ତି ପାଇଁ ବୋରିଂ କରାଯାଇଛି। ଉଭୟ ପାର୍ଶ୍ବରେ ମହିଳା ଓ ପୁରୁଷଙ୍କ ପାଇଁ ଟଏଲେଟ୍‌ ଓ ଚେଞ୍ଜ୍‌ରୁମ୍‌ ରହିଛି। ଦୁଇ ପାର୍ଶ୍ବରେ ଦୁଇଟି ସେଡ୍‌ ରହିଛି। ଗ୍ରାମବାସୀ ଏହି ପୋଖରୀକୁ ପ୍ରାୟ ସମୟ ତୁଠ ଭାବେ ବ୍ୟବହାର କରୁଥିବା ଦୃଷ୍ଟିରୁ ସେଡ୍‌ ନିର୍ମିତ ହୋଇଛି। ଚାରି ପାଖରେ ପାଚେରି ବୁଲାଯିବା ସହ ଦୁଇଟି ପ୍ରବେଶ ପଥରେ ଫାଟକ ଲାଗିଛି। ଏତଦ୍‌ବ୍ୟତୀତ ପୋଖରୀର ସୌନ୍ଦର୍ଯ୍ୟୀକରଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ପାର୍ଶ୍ବ କାନ୍ଥ‌ରେ ଖଣ୍ଡଗିରି-ଉଦୟଗିରି ପାହାଡ଼ ସହ ଯୋଡ଼ି ହୋଇ ରହିଥିବା ଇତିହାସ ଝଲସୁଛି। ‌ଉଦୟଗିରି ପାହାଡ଼ ସାଙ୍ଗକୁ ସମ୍ରାଟ ଖାରବେଳ, ଜୈନ, ଜୈନ ଧର୍ମାବଲମ୍ବୀ ଓ ପ୍ରାକୃତିକ ପରିବେଶକୁ ଚିତ୍ରିତ କରାଯାଇଛି। ଏଥିସହ ଚତୁଃପାର୍ଶ୍ବରେ ବୃକ୍ଷରୋପଣ କରାଯାଇଛି। ଉଭୟ ପୁରୁଷ ଓ ମହିଳାଙ୍କ ସ୍ନାନ ସୁବିଧା ପାଇଁ ଜଳାଶୟ ମଝିରେ ବାଡ଼ କରାଯାଇଛି। ଯେଉଁ ପୋଖରୀ ବରମୁଣ୍ଡା ଓଭରବ୍ରିଜ୍‌ ଉପରୁ ପରିତ୍ୟକ୍ତ କୁଣ୍ଡ ଭଳି ଦୃଶ୍ୟମାନ ହେଉଥିଲା, ଏବେ ସେହି ପୋଖରୀ ଓ ଏଠାକାର ସୌନ୍ଦର୍ଯ୍ୟ ଆକର୍ଷିତ କରୁଛି। ଏହି ପରିପ୍ରେକ୍ଷୀରେ ବରମୁଣ୍ଡା ଗ୍ରାମ ପରିସରରେ ଥିବା ପାଲାମଣ୍ଡପକୁ ନବୀକରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ସେ ବିଧାୟକ ପାଣ୍ଠିରୁ ୭ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ବେଳେ ବିଏମ୍‌ସି ପକ୍ଷରୁ ୮ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ୧୫ ଲକ୍ଷ ବ୍ୟୟରେ ପାଲାମଣ୍ଡପ ଭଙ୍ଗାଯାଇ ନୂତନ ଭାବେ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଖୁବଶୀଘ୍ର ଏହାର କାମ ଆରମ୍ଭ କରାଯିବା ନେଇ ସେ ସୂଚନା ଦେଇଛନ୍ତି।

୫୦ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ସୁଜିତ ସ୍ବାଇଁ ଉଦ୍‌ଘାଟନୀ ଅବସରରେ ଉପସ୍ଥିତ ରହି କହିଛନ୍ତି, ପୋଖରୀ ସଂଲଗ୍ନ ତ୍ରିନାଥ ମନ୍ଦିର କମିଟି ଏହାର ରକ୍ଷଣାବେକ୍ଷଣ କରିବ। ସ୍ଥାନୀୟ ଲୋକେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ବଜାୟ ରଖିବା ଦିଗରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଏହି ଅବସରରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ବିଜୟ କୁମାର ତ୍ରିପାଠୀ, ପୂର୍ବତନ କର୍ପୋରେଟର ଅଶ୍ବିନୀ ସୁନ୍ଦରାୟ, ହୃଦୟ ବଲ୍ଲଭ ସାମନ୍ତରାୟ, ପ୍ରତାପ ସାହୁଙ୍କ ସମେତ ସଂଯୁକ୍ତା ଭୂତିଆ, ଶ୍ରୀଧର ବେହେରା, ରୁନୁ ଜେନା, ବିନୟିନୀ ଜେନା, ସମରେଶ ବେଉରା, ଅଜିତ ବେହେରା, ସନ୍ତୋଷ ବେଜ୍‌ ଓ ବରମୁଣ୍ଡା ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe