ଜିଜିପି କଲୋନିରୁ ହାଇଟେକ୍‌ ରାସ୍ତା: ସମନ୍ବୟ ଅଭାବରୁ ୩ କୋଟି ବରବାଦ

Advertisment

ସରକାରୀ ବିଭାଗଗୁଡ଼ିକର ସମନ୍ବୟ ଅଭାବରୁ କେବଳ ଅର୍ଥ ବରବାଦ ହୁଏନାହିଁ, ବରଂ ଲୋକଙ୍କ ସୁବିଧା ପାଇଁ ପ୍ରସ୍ତୁତ ହେଉଥିବା ଭିତ୍ତିଭୂମି ଲୋକଙ୍କୁ ଯନ୍ତ୍ରଣା ଦିଏ। ଏଭଳି ଏକ ଜ୍ବଳନ୍ତ ଉଦାହରଣ ହେଉଛି ରସୁଲଗଡ଼ରୁ...

ସରକାରୀ ବିଭାଗଗୁଡ଼ିକର ସମନ୍ବୟ ଅଭାବରୁ କେବଳ ଅର୍ଥ ବରବାଦ ହୁଏନାହିଁ, ବରଂ ଲୋକଙ୍କ ସୁବିଧା ପାଇଁ ପ୍ରସ୍ତୁତ ହେଉଥିବା ଭିତ୍ତିଭୂମି ଲୋକଙ୍କୁ ଯନ୍ତ୍ରଣା ଦିଏ। ଏଭଳି ଏକ ଜ୍ବଳନ୍ତ ଉଦାହରଣ ହେଉଛି ରସୁଲଗଡ଼ରୁ...

fhfh

ଭୁବନେଶ୍ବର: ସରକାରୀ ବିଭାଗଗୁଡ଼ିକର ସମନ୍ବୟ ଅଭାବରୁ କେବଳ ଅର୍ଥ ବରବାଦ ହୁଏନାହିଁ, ବରଂ ଲୋକଙ୍କ ସୁବିଧା ପାଇଁ ପ୍ରସ୍ତୁତ ହେଉଥିବା ଭିତ୍ତିଭୂମି ଲୋକଙ୍କୁ ଯନ୍ତ୍ରଣା ଦିଏ। ଏଭଳି ଏକ ଜ୍ବଳନ୍ତ ଉଦାହରଣ ହେଉଛି ରସୁଲଗଡ଼ରୁ ଜିଜିପି କଲୋନି ଦେଇ ହାଇଟେକ୍‌ ପର୍ଯ୍ୟନ୍ତ ଯାଉଥିବା ରାସ୍ତା। ଆର୍‌ ଆଣ୍ଡ ବି(ଆର୍‌ ଆଣ୍ଡ ବି) ବିଭାଜନ ଅବଧି ପୂରିବା ପରେ ରାସ୍ତା ନିର୍ମାଣ ତରବରିଆ ଭାବରେ ଆରମ୍ଭ କରିଛି। କଂକ୍ରିଟ୍‌ ଉପରେ ପିଚୁ ପକାଇଦେଇଛି। ଫଳରେ ରାସ୍ତା ଉଚ୍ଚା ଓ ରାସ୍ତା କଡ଼ରେ ଥିବା ଦୋକାନ ଓ ଘରସବୁ ନୀଚା ହୋଇଯାଇଛି। ଏପଟେ ପିଚୁ ତଳେ ସ୍ବେରେଜ୍‌ ବ୍ୟବସ୍ଥାର ମ୍ୟାନ୍‌ହୋଲ୍‌ ରହିଯାଇଛି। ରାସ୍ତା ନର୍ମାଣ ହେବା ପୂର୍ବରୁ ଏ ସବୁକୁ ଉଚ୍ଚା କରିବା କଥା। ଏବେ ରାସ୍ତା ନିର୍ମାଣ ସରିଥିବାରୁ ଏହାକୁ ଆଉଥରେ ଖୋଳି ୱାଟ୍‌କୋ ମ୍ୟାନ୍‌ ହୋଲ୍‌କୁ ଉଚ୍ଚା କରିବ। ଫଳରେ ରାସ୍ତା ବରବାଦ ହେବ, ଅର୍ଥ ବି ବରବାଦ ହେବ। ସମନ୍ବୟ ଅଭାବ ଓ ଜନସ୍ବାର୍ଥକୁ ଉପେକ୍ଷା କରି ସରକାରୀ ଅଧିକାରୀମାନେ ନିଜ ପକେଟ ଗରମ କରିବା ଚିନ୍ତାରେ ରହୁଥିବାରୁ ଭୁବନେଶ୍ବର ସାରା ଏଭଳି ଶହ ଶହ ଉଦାହରଣ ସାମ୍ନାକୁ ଆସୁଛି।  

ଅବଧି ପୂରିବା ପରେ ଆରମ୍ଭ କଲେ, ମ୍ୟାନ୍‌ହୋଲ୍‌ ପୋତିଦେଲେ

ରସୁଲଗଡ଼ରୁ ଜିଜିପି କଲୋନି ଦେଇ ହାଇଟେକ୍‌ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପୁନରୁଦ୍ଧାର ପାଇଁ  ପୂର୍ତ୍ତ ବିଭାଗ ଅଧୀନରେ ଥିବା ଭୁବନେଶ୍ବର ଆର୍‌ ଆଣ୍ଡ ବି ବିଭାଜନ ଗତବର୍ଷ ମାର୍ଚ୍ଚ ମାସରେ ଠିକା ଦେଇଥିଲା। ଏଥିରେ ଖର୍ଚ୍ଚ ଅଟକଳ ଥିଲା ୨କୋଟି ୯୨ ଲକ୍ଷ। ସରିବାର ଅବଧି ଥିଲା  ଡିସେମ୍ବର ୨୦୨୪। ମାର୍ଚ୍ଚରୁ ଡିସେମ୍ବର ପର୍ଯ୍ୟନ୍ତ ଠିକାଦାର କାମ ଆରମ୍ଭ କଲା ନାହିଁ କିମ୍ବା ଆର୍‌ ଆଣ୍ଡ ବି ତାଗିଦ ମଧ୍ୟ କଲାନାହିଁ। ପିସି ହିସାବ ଛିଣ୍ଡୁ ନଥିବାରୁ କାମ ପଡ଼ିରହିଥିବା ନେଇ ଚର୍ଚ୍ଚା ହୋଇଥିଲା। ଇତିମଧ୍ୟରେ ବିଭାଜନ-୧ର ବିବାଦୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କର ରାତିଅଧିଆ ବଦଳି ହେବା ପରେ ନୂଆ ଯନ୍ତ୍ରୀ ଯୋଗଦେଇଥିଲେ। ନୂଆ ଯନ୍ତ୍ରୀ ଯୋଗ ଦେବା ଦେଖି ଠିକାଦାର ତରବରିଆ ଭାବେ କାମ ଆରମ୍ଭ କରିଥିଲେ। ଥରେ ଅବଧି ଶେଷ ହୋଇଯିବା ପରେ ଆଉ ଥରେ କାମ ଆରମ୍ଭ କରିବାକୁ ବିଭାଗ ସ୍ବୀକୃତି ଦେଇଥାଏ। କିନ୍ତୁ ଏଠାରେ ବିଭାଗ ସ୍ବୀକୃତି ଦେଇନାହିଁ। ରାତିଅଧିଆ କାମ ଚାଲିଛି। ପିଛିଲା ତାରିଖରେ ବିଲ୍‌ କରି ଲକ୍ଷଲକ୍ଷ ଟଙ୍କା ହଡପ୍‌ କରିବାକୁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି। 

ଏହି ରାସ୍ତାର କିଛି ଅଂଶ ପିଚୁ ଓ କିଛି ଅଂଶ କଂକ୍ରିଟ୍‌ ହେବାକୁ ଟେଣ୍ଡରରେ ସର୍ତ୍ତ ରହିଛି। ଜିଜିପି କଲୋନି ଭିତରେ ଥିବା ରାସ୍ତା କଂକ୍ରିଟ୍‌ ଥିଲା। ତାକୁ ତାଡ଼ି ପିଚୁ କରିବାକୁ ସର୍ତ୍ତ ରହିଥିଲା। କିନ୍ତୁ କଂକ୍ରିଟ୍‌ ଉପରେ ପିଚୁ ପକାଇ ଦିଆଯାଉଛି। ଫଳରେ ରାସ୍ତା ଉଚ୍ଚା ହୋଇଯାଉଥିବାରୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ ମୋଟାଅଙ୍କର ପିସି ଲୋଭରେ ଅଧିକାରୀ ଅଭିଯୋଗ ଶୁଣି ନଥିବା ସେମାନେ କହିଛନ୍ତି। ତୁରନ୍ତ କାମ ସାରି ପିଛିଲା ତାରିଖରେ ବିଲ୍‌ କରାଇନେବାକୁ ଯୋଜନା ହୋଇଥିବାରୁ ମ୍ୟାନ୍‌ହୋଲ୍‌ ଉଠାଇବାକୁ ନା ଠିକାଦାର ନା ବିଭାଗୀୟ ଯନ୍ତ୍ରୀ, କେହି ଚାହିନାହାନ୍ତି। ମ୍ୟାନ୍‌ହୋଲ୍‌ ଉଚ୍ଚା କରିବା ପାଇଁ ଭୁବନେଶ୍ବର ଆର୍‌ ଆଣ୍ଡ ବି ବିଭାଜନ ୱାଟ୍‌କୋକୁ ଖର୍ଚ୍ଚ ଅଟକଳ ମାଗିଥିଲା। ୱାଟ୍‌କୋ ମଧ୍ୟ ହିସାବ କରି ଅର୍ଥ ଜମାକରିବାକୁ ଲେଖିଥିଲା। ହେଲେ ଅର୍ଥ ଜମା ନକରି ଆର ଆଣ୍ଡ ବି ରାସ୍ତା କାମ ଆରମ୍ଭ କରିଦେଲା। ଫଳରେ ପିଚୁ ତଳେ ମ୍ୟାନ୍‌ହୋଲ୍‌ ରହିଗଲା। ଯେଉଁଥିପାଇଁ ଆଗକୁ ଅତିରିକ୍ତ ଖର୍ଚ୍ଚ ସହ ରାସ୍ତା ନଷ୍ଟ ହେବାକୁ ଯାଉଛି। ଆର୍‌ ଆଣ୍ଡ୍‌ ବି ବିଭାଜନ-୧ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ କହିଛନ୍ତି, ରାସ୍ତା ନିର୍ମା‌ଣ ସାରିବାର ଅବଧି ଶେଷ ହେବା ପରେ ଠିକାଦାର କାମ ଆରମ୍ଭ କରିଛି। ଆଇନ ଅନୁସାରେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛୁ। ମ୍ୟାନ୍‌ହୋଲ୍‌ ଉଚ୍ଚା କରିବା ପାଇଁ ଯଦି ୱାଟ୍‌କୋ ଅଟକଳ ଦେଇଥିଲା ତେବେ କାହିଁକି ଅର୍ଥ ପୈଠ ହେଲାନାହିଁ ଆମେ ଦେଖିବୁ। ୱାଟ୍‌କୋ ବିଭାଜନ-୧ ମହାପ୍ରବନ୍ଧକ ସାରଦା ପ୍ରସନ୍ନ ନାୟକ କହିଛନ୍ତି, ଏହି ରାସ୍ତାରେ ମ୍ୟାନ୍‌ହୋଲ୍‌ ଉଚ୍ଚା କରିବା ପାଇଁ ବ୍ୟୟ ଅଟକଳ ତିଆରି କରିବାକୁ ଆର୍‌ ଆଣ୍ଡ ବି ଚିଠି ଲେଖିଥିଲା। କିନ୍ତୁ ଅର୍ଥ ଜମା ହୋଇ ନଥିବାରୁ ଏହାକୁ ଉଚ୍ଚା କରାଯାଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe