ଉଚ୍ଚଶିକ୍ଷାରେ ଗୁଣାତ୍ମକ ପରିବର୍ତନ ଲୋଡ଼ା

ଉଚ୍ଚଶିକ୍ଷାରେ ଗୁଣାତ୍ମକ ପରିବର୍ତନ ଲୋଡ଼ା

ଭୁବନେଶ୍ୱର : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କଲେଜ ଶିକ୍ଷକ ସଂଘ ପକ୍ଷରୁ ୪୮୮ ବର୍ଗ ଏବଂ ୬୬୨ ବର୍ଗ କଲେଜ ଏବଂ ଅଖିଳ ଭାରତ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ମହାସଂଘ ସହଯୋଗରେ ‘ଉଚ୍ଚଶିକ୍ଷାରେ ପ୍ରସଙ୍ଗ ଏବଂ ଆହ୍ଵାନ’ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବୁଦ୍ଧ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗଦେଇ କହିଲେ, ରାଜ୍ୟର ସାମଗ୍ରିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଶିକ୍ଷକମାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନଙ୍କର ଯେଉଁ ସମସ୍ୟା ରହିଛି ତାହା ସରକାରଙ୍କ ସହ ବିଚାରବିମର୍ଶ କରି ସକାରାତ୍ମକ ପ୍ର୍ରସ୍ତାବ ଦେବାକୁ ନିବେଦନ କରିଥିଲେ।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସମାଜରେ ସାମଗ୍ରିକ ଭାବେ ବିଲକ୍ଷଣ ଦେଖାଦେଇଛି। ଉଚ୍ଚଶିକ୍ଷା ବିଭାଗ ଏକ କାମଚଳା ବିଭାଗ ହିସାବରେ ପରିଚିତ ହେଉଛି। ସାମଗ୍ରିକ ଶିକ୍ଷା ବ୍ୟବସ୍ଥାରେ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି। ପ୍ରାଥମିକଠାରୁ ବିଶ୍ୱବିିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଦୋଷ ଦୁର୍ବଳତା ସମ୍ପର୍କରେ ସେ ଆଲୋଚନା କରିବା ସହ ଅବସରପ୍ରାପ୍ତ ଶିକ୍ଷକମାନେ ନିର୍ଭୀକ ଭାବେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ସମୀକ୍ଷା କରି ମତାମତ ଦେବା ପାଇଁ ଆହ୍ଵାନ ଦେଇଥିଲେ।

ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଭାବେ ରାଜ୍ୟ ସରକାର ଆଇଏଏସ୍‌ଙ୍କୁ ନିଯୁକ୍ତି ଦେଇଥିବାରୁ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀମାନେ ଏହାର ସମାଲୋଚନା କରିଥିଲେ। ଆବଶ୍ୟକ ପଡ଼ିଲେ ଅଧ୍ୟାପକମାନେ କଳାବ୍ୟାଜ୍‌ ପିନ୍ଧି ଏହାର ପ୍ରତିବାଦ କରିବେ ବୋଲି ଏଠାରେ ମତପ୍ରକାଶ ପାଇଥିଲା।

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କଲେଜ ଶିକ୍ଷକ ସଂଘ ସଭାପତି କମଳା ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଡ. ଅମିୟ କୁମାର ମହାନ୍ତି ସଂଯୋଜନା କରିଥିଲେ। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥଙ୍କ ସମେତ ପ୍ରଫେସର ବୀରେନ୍ଦ୍ର କୁମାର ନାୟକ, ସୁରେଶ ଚନ୍ଦ୍ର ମନ୍ତ୍ରୀ, ପ୍ରହଲ୍ଲାଦ ସିଂ, ପବିତ୍ର ମହଲା, ଗୋଲକ ନାୟକ, ମାନସ ବେହେରା, ଦୁର୍ଯ୍ୟୋଧନ ପରିଡ଼ା, ସୁବାସ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦେଶକ ଡ. ସତ୍ୟକାମ ମିଶ୍ର୍ର ଆଲୋଚନାଚକ୍ରର ଭିତ୍ତିପ୍ରସଙ୍ଗ ଉପସ୍ଥାପନ କରିଥିବା ବେଳେ ଗଗନ ବେଉରା ଧନ୍ୟବାଦ ପ୍ର୍ରଦାନ କରିଥିଲେ। ନିୟମିତ ଭାବେ ପ୍ରତି ଦୁଇରୁ ତିନି ମାସରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଏଭଳି ଆଲୋଚନାଚକ୍ର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe