ମରଣଯନ୍ତା ହାଇଟେକ୍‌ ଛକ: ନଜର ହଟିଲେ, କଥା ସରିଲା

ପ୍ରତି ମୁହୂର୍ତ୍ତରେ ଆସନ୍ନ ମୃତ୍ୟୁର ଭୟ, କେବେ ନିର୍ମାଣ ହେବ ନୂଆ ରାସ୍ତା?

ମରଣଯନ୍ତା ହାଇଟେକ୍‌ ଛକ: ନଜର ହଟିଲେ, କଥା ସରିଲା

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ହାଇଟେକ୍‌ ଛକ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ଛକରେ ବହୁ ସଂଖ୍ୟାରେ ଗାଡ଼ିମଟର ରାଜପଥ ଅତିକ୍ରମ କରି ରାସ୍ତା ଆରପଟକୁ ଯିବା, ଏଠାରେ ଘଟୁଥିବା ଅଧିକାଂଶ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଉଛି। ହାଇଟେକ୍ ହସ୍ପିଟାଲ, ପାଣ୍ଡରା ଓ ପୁରୀ ବାଇପାସ୍ ପଟୁ ଆସୁଥିବା ଲୋକମାନେ ରାଜପଥ ଅତିକ୍ରମ କରି ମଞ୍ଚେଶ୍ବର ପଟକୁ ଯାଉଥିବା ବେଳେ ମଞ୍ଚେଶ୍ବର ପଟୁ ଆସୁଥିବା ଲୋକମାନେ ମଧ୍ୟ ବିପଦପୂର୍ଣ୍ଣ ଭାବେ ରାସ୍ତା ଆରପଟକୁ ଯାଇଥା’ନ୍ତି। ଫଳରେ ବ୍ୟସ୍ତବହୁଳ ଏହି ଛକରେ ସବୁବେଳେ ଟ୍ରାଫିକ୍‌ ଜାମ୍‌ ଲାଗି ରହିବା ସହ ଦୁର୍ଘଟଣା ଘଟୁଛି। ଏହି ଛକରେ ଟ୍ରାଫିକ୍ ପୁଲିସ ନିୟୋଜିତ ଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ଭୁବନେଶ୍ବର ଓ କଟକ ପଟୁ ଦ୍ରୁତ ଗତିରେ ଆସୁଥିବା ଗାଡ଼ିଗୁଡ଼ିକ ହଠାତ୍‌ ଅଟକି ପାରୁନାହାନ୍ତି।

ସୂଚନା ଅନୁସାରେ, ମଞ୍ଚେଶ୍ବର, ଚକେଇସିହାଣୀ, ରୋକଟ, ଇଞ୍ଜଣା, ନୂଆପାଟଣା, ବରିମୁଣ୍ଡ ଆଦି ସ୍ଥାନୀୟ ଅଞ୍ଚଳର ଲୋକମାନେ ହାଇଟେକ୍ ହସ୍ପିଟାଲ୍ କିମ୍ବା ପୁରୀ ବାଇପାସ୍ ପଟକୁ ଯିବା ପାଇଁ ହାଇଟେକ୍ ଛକ ହେଉଛି ଏକମାତ୍ର ରାସ୍ତା। ପୂର୍ବରୁ କମ୍ ଗାଡ଼ି ଯାତାୟାତ କରୁଥିଲା ଏବଂ ଓଭରବ୍ରିଜ୍ ନଥିବାରୁ ଲୋକମାନେ ରାସ୍ତା ପାର ହେବାରେ ବିଶେଷ ସମସ୍ୟାର ସମ୍ମୁଖୀନ ହେଉ ନଥିଲେ। ହେଲେ ଓଭରବ୍ରିଜ୍ ହୋଇ ରାସ୍ତା ସମ୍ପ୍ରସାରଣ ହେବାରୁ ରାସ୍ତା ପାର୍‌ ହେବା ବେଳକୁ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡୁଛି। ସେହିଭଳି ପୁରୀ ବାଇପାସ୍ ଏବଂ ହାଇଟେକ୍ ହସ୍ପିଟାଲ ପଟୁ ଆସୁଥିବା ଲୋକମାନେ ମଧ୍ୟ ରାସ୍ତା ପାର୍‌ ହେଲା ବେଳକୁ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ସ୍ଥାନଟି ଭୁବନେଶ୍ବରର ପ୍ରବେଶ ପଥ ହୋଇଥିବା ବେଳେ ସେଠାରେ ଅନେକଗୁଡ଼ିଏ ଘରୋଇ କମ୍ପାନି ଓ ହାଇଟେକ୍ ହସ୍ପିଟାଲ୍ ଭଳି ଘରୋଇ ଅନୁଷ୍ଠାନ ଗଢ଼ି ଉଠିଛି। ଫଳରେ ପ୍ରତିଦିନ ଶହଶହ ସଂଖ୍ୟାରେ ଲୋକ ଉଭୟ ପାର୍ଶ୍ବରୁ ରାଜପଥ ଅତିକ୍ରମ କରୁଛନ୍ତି। ଏହି କାରଣରୁ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏଠାରେ ଏକ ଅଣ୍ଡରପାସ୍‌ ହୋଇପାରିଲେ ଏଭଳି ଦୈନନ୍ଦିନ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ସାଧାରଣ ଲୋକ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି।

ଏ ସଂପର୍କରେ ପୂର୍ତ୍ତ ବିଭାଗର ଏଏସ୍‌ଡିଓ ଅକ୍ଷୟ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ସେଠାରେ ମଞ୍ଚେଶ୍ବର କେଉଟ ସାହିଠାରୁ ହାଇଟେକ୍ ହସ୍ପିଟାଲ ରୋଡ୍‌ ସାଇମନ୍ଦିର ପର୍ଯ୍ୟନ୍ତ ନଦୀପଠାରେ ଏକ ରାସ୍ତା ନିର୍ମାଣ ହେବ। ଏହାର ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇସାରିଛି। ଏଥିପାଇଁ ଚାରି କୋଟି ଟଙ୍କା ବ୍ୟୟବରାଦ ହୋଇଛି। ହେଲେ କେବେ କାମ ଆରମ୍ଭ ହେବ, ସେ ସଂପର୍କରେ ଶ୍ରୀ ମହାନ୍ତି କିଛି ସ୍ପଷ୍ଟ କହିନାହାନ୍ତି। ଏହି ରାସ୍ତା ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଉପକୃତ ହେବେ ବୋଲି କୁହାଯାଉଛି। ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe