ମଞ୍ଚସ୍ଥ ହେଲା ହିନ୍ଦୀ ନାଟକ ‘ପାର୍କ’

Advertisment
ମଞ୍ଚସ୍ଥ ହେଲା ହିନ୍ଦୀ ନାଟକ ‘ପାର୍କ’

ଭୁବନେଶ୍ବର: କାହାଣୀ ଆରମ୍ଭ ହୁଏ ଏକ ପାର୍କରୁ। ପାର୍କ‌ର କେଉଁ ଏକ କୋଣରେ ପଡ଼ିଥିବା ବେଞ୍ଚରୁ। କିଛି ଚରିତ୍ରର ଯାତାୟାତ... ତା’ ପରେ ଦ୍ବନ୍ଦ୍ବ। ଦ୍ବନ୍ଦ୍ବ ନିଜ ପସନ୍ଦର ବେଞ୍ଚକୁ ନେଇ। କାରଣ କାହାରି ନା କାହାରି ପାଇଁ କିଛି ନିର୍ଦ୍ଦିଷ୍ଟ ସ୍ଥାନର ଗୁରୁତ୍ବ ଥାଏ। ଅନୁମାନ ହୁଏ, ମଣିଷର ଏକ ନିଶ୍ଚିତ ଆବଶ୍ୟକତା ହେଉଛି ସ୍ଥାନ ଏବଂ ମାଲିକାନା। ସ୍ଥାନ, ପରିସ୍ଥିତି ଓ ସ୍ଥାନର ମାଲିକାନା ସ୍ବତ୍ତ୍ବକୁ ନେଇ ଚର୍ଚ୍ଚା କରୁଥିବା ମଣିଷମାନେ ଭାବି ପାରନ୍ତିନି କଶ୍ମୀର କଥା, ପାଲେଷ୍ଟାଇନ କଥା, ତିବ୍ଦତ କଥା କି ଆମ ଦେଶର ଭୂମିହୀନ ଆଦିବାସୀଙ୍କ କଥା। ଏଭଳି ଏକ ବିଷୟବସ୍ତୁକୁ ନେଇ ଆଜି ଭଞ୍ଜ କଳାମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଥିଲା ହିନ୍ଦୀ ନାଟକ ‘ପାର୍କ’। ବିଦ୍ୟାକନକ ସୃଜନାନୁଷ୍ଠାନର ୨ୟ ନାଟ୍ୟ ମହୋତ୍ସବ ଅବସରରେ ମଞ୍ଚସ୍ଥ ଏହି ନାଟକକୁ ଭୁବନେଶ୍ବରର ‘ଜୀବନରେଖା’ ନାଟ୍ୟାନୁଷ୍ଠାନ ପରିବେଷଣ କରିଥିଲା। ଏହାର ପରିକଳ୍ପନା ଓ ନିର୍ଦ୍ଦେଶନା ଅଭିନ୍ନ ରାଉତରାୟ କରିଥିବା ବେଳେ ନାଟ୍ୟ ରଚନା କରିଥିଲେ ମାନବ କୌଲ। ଏହି ଅବସରରେ ଅଭିନେତା ବନମାଳୀ ପାଣ୍ଡିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଧ୍ୟାର ଅତିଥି ଭାବେ ନାଟ୍ୟ ବ୍ୟକ୍ତିତ୍ବ ମନୋଜ ପଟ୍ଟନାୟକ, ଧୀର ମଲ୍ଲିକ, ପ୍ରବୋଧ ରଥ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ ନେଜା ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ସୁଧାକର ପତ୍ରୀ ଓ ସମ୍ପାଦକ ଶୁଭକାନ୍ତ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଭଞ୍ଜ କଳାମଣ୍ଡପରେ ଅବ୍ୟବସ୍ଥା, ପରଦା ଉଠିଲାନି
ପ୍ରେକ୍ଷାଳୟ ଭର୍ତ୍ତି ଥିଲା। ମଞ୍ଚ ସଜ୍ଜା ସରିଥିଲା। ନାଟକର ଅଭିନେତା/ ଅଭିନେତ୍ରୀ ପ୍ରସ୍ତୁତ ଥିଲେ। କିନ୍ତୁ ଆରମ୍ଭ ହୋଇପାରିଲାନି ନାଟକ। କାରଣ ନାଟକ ଆରମ୍ଭ ହେଲା ବେଳକୁ ମଞ୍ଚରୁ ପରଦା ଉଠିପାରିଲା ନାହିଁ। ୫ ମିନିଟ୍‌ କି ୧୦ ମିନିଟ୍‌ ପାଇଁ ନୁହେଁ ପାଖାପାଖି ଅଧ ଘଣ୍ଟା କାଳ ଏପରି ଅବ୍ୟବସ୍ଥା ଦେଖାଦେଲା। ବିଳମ୍ବ ହେବା ଫଳରେ ନାଟ୍ୟପ୍ରେମୀ ଓ ଉପସ୍ଥିତ ଦର୍ଶକ ଅସନ୍ତୋଷ ପ୍ରକାଶ କରିଥିଲେ। ନାଟକ ପାଇଁ ପ୍ରେକ୍ଷାଳୟ ଭଡ଼ା ଦେଲା ବେଳେ ସେଠାକାର କର୍ମଚାରୀମାନେ ପୂର୍ବରୁ ସର୍ବନିମ୍ନ ପ୍ରସ୍ତୁତି କରୁ ନ ଥିବା ନେଇ ବହୁ ନାଟ୍ୟପ୍ରେମୀ କ୍ଷୋଭ ପ୍ରକାଶ କରିଥିଲେ। ଆୟୋଜକ ଓ ଭଞ୍ଜ କଳାମଣ୍ଡପ କର୍ମଚାରୀମାନେ ମିଶି ପରଦାକୁ ଠିକ୍ କଲା ପରେ ନାଟକ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe