ଭୁବନେଶ୍ୱର: ଦିନ ଦିପ୍ରହରରେ ଅଢେଇ ହଜାର ବର୍ଷର ଐତିହ୍ୟ ସ୍ମାରକୀ ଶିଶୁପାଳଗଡ଼କୁ ଜମି ମାଫିଆ ପ୍ଳଟିଂ କରି ବିକ୍ରି କରୁଛନ୍ତି। ହେଲେ ସବୁ ଜାଣି ପ୍ରଶାସନ ଚୁପ୍ । ରାଜା ଖାରବେଳଙ୍କ ସମୟରେ ଶିଶୁପାଳଗଡ଼କୁ କଳିଙ୍ଗର ରାଜଧାନୀ କୁହାଯାଉଥିଲା। କିନ୍ତୁ ଏବେ ଜମି ପାଇଁ ଏହି ଐତିହ୍ୟଗଡ଼କୁ ମାଟିରେ ମିଶାଉଛନ୍ତି ମାଫିଆ। ପ୍ରତିଦିନ ଚାଲିଛି ବେଆଇନ ଜବରଦଖଲ ଓ ଗଢା ହେଉଛି ବଡ଼ ବଡ଼ ଅଟ୍ଟାଳିକା। ଷୋହଳ ଖୁମ୍ବଠାରୁ ଆରମ୍ଭ କରି ଗଡ଼ଖାଇ ତଥା ଶିଶୁପାଳଗଡ଼ର ଅଧିକାଂଶ ଅଞ୍ଚଳ ଏବେ ଜବରଦଖଲରେ। ଏବେ ରଘୁନାଥନଗରରେ ଚାଲିଛି ପ୍ଲଟିଂ। ୫୦ ହଜାରରୁ ୨ ଲକ୍ଷ ଟଙ୍କାରେ ଜାଗା ବିକ୍ରି ହେଉଛି। ନିର୍ମାଣ ହେଉଛି ବେଆଇନ ଘର।
ଏକ ଆଶ୍ଚର୍ଯ୍ୟ କଲା ଭଳି କଥା ସାମନାକୁ ଆସିଛି। ରଘୁନାଥନଗରରେ ଐତିହ୍ୟ କାନ୍ଥକୁ ଜେସିବି ଦ୍ବାରା କଟାହେଉଛି। ସେଠାରେ ବେଆଇନ ଭାବେ କିଛି ଜମିମାଫିଆ ଖୁଣ୍ଟ ପୋତି ପ୍ଲଟିଂ କରି ଜମି ବିକ୍ରି କରୁଛନ୍ତି। ହେଲେ ବିଧିବଦ୍ଧ ଭାବେ ବେଆଇନ ଘରକୁ ସରକାରୀ ବାବୁ ବିଜୁଳି ଓ ପାଣି ଯୋଗାଇ ଦେଇଛନ୍ତି। ଏଠାରେ ୨୫ ଫୁଟରେ ୪୦ ଫୁଟ ଜାଗା ପ୍ରାୟ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି ହେଉଛି। କାନ୍ଥ ଉପରେ ଶତାଧିକ ବେଆଇନ ଘର ନିର୍ମାଣ ହେଉଛି। ଗଣମାଧ୍ୟମକୁ ଦେଖିଲେ ଘର କବାଟ କିଳି ଦେଉଛନ୍ତି ଲୋକେ। ତେବେ ନାମ ଗୋପନ ରଖି ଜଣେ ମହିଳା କହିଛନ୍ତି, ଭୁବନେଶ୍ବରରେ ଜାଗା ମିଳିବା କଷ୍ଟ। ଜଣେ ସ୍ଥାନୀୟ ଯୁବକ ଆମକୁ ଜମି ଦେଢ଼ଲକ୍ଷ ଟଙ୍କାରେ ଦେଇଛନ୍ତି। ବିଜୁଳି ଓ ପାଣି ବି ଯୋଗାଇ ଦେଉଛନ୍ତି। ସମସ୍ତେ ରହୁଛନ୍ତି ବୋଲି ଆମେ ରହୁଛୁ। ତେବେ ପ୍ରଶ୍ନ ଉଠୁଛି ଏ ଲିଟୁଆ ଜଣକ କିଏ? କାହା ବରଦାନରେ ଏଭଳି ଐତିହ୍ୟ ସ୍ମାରକକୁ ବିକ୍ରି କରିବାକୁ ଏମାନେ ସାହସ ଯୁଟାଉଛନ୍ତି?
ଅନ୍ୟପଟେ ପୂର୍ବପାଖ କାନ୍ଥିକୁ କାଟି ଏବଂ ପ୍ରାକୃତିକ ନାଳକୁ ପୋତି ରାସ୍ତା ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରାୟ ୩ ଶହ ଫୁଟ କାନ୍ଥି କଟା ଯାଇଛି ଏବଂ ୩ ଫୁଟରୁ ଅଧିକ ନାଳକୁ ସଙ୍କୁଚିତ କରାଯାଇଛି। ଅନୁମତି ନନେଇ ବେଆଇନ ବିରାଟ ବିରାଟ ଗଛକୁ କଟାଯାଉଛି। ବଡ଼ କଥା ହେଲା କିଛି ଗ୍ରାମବାସୀ କହିଛନ୍ତି ଆମେ ଠାକୁରଙ୍କ ପାଖକୁ ଯିବା ପାଇଁ ରାସ୍ତା କରୁଛୁ। ଏଠି ଜନ ପ୍ରତିନିଧିଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି।
ଏନେଇ ଭୁବନେଶ୍ବର ତହସିଲଦାର ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। କେବଳ କଥା ପ୍ରସଙ୍ଗରେ କହିଛନ୍ତି ଯେ, ବେଆଇନ ଜବରଦଖଲ କରିଥିବା ୩ ଶହରୁ ଅଧିକ ଲୋକଙ୍କୁ ଆମେ ନୋଟିସ୍ଦେଇଛୁ। ତେବେ କେବେ ବେଆଇନ ଉଚ୍ଛେଦ ହେବ ସେ ନେଇ ସେ କିଛି କହିନାହାନ୍ତି। ଅପରପକ୍ଷେ ଏ ସମ୍ପର୍କରେ ଏଏସ୍ଆଇ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ନବକିଶୋର ସ୍ବାଇଁ କହିଛନ୍ତି, ଜମି ବିକ୍ରି, ବେଆଇନ ନିର୍ମାଣ ସମ୍ପର୍କରେ ଆମ ପାଖରେ ସୂଚନା ନଥିଲା। ତେବେ ଯଦି ଏମିତି କିଛି ହୋଇଥିବା, ତେବେ ଖୁବ୍ଶୀଘ୍ର ଏକ ଟିମ୍ଘଟଣାସ୍ଥଳ ଅନୁଧ୍ୟାନ କରିବେ। ଟିମ୍ର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ।
ସୀମା ନିର୍ଦ୍ଧାରଣ ପାଇଁ ଆନ୍ତରିକତା ନାହିଁ
ଶିଶୁପାଳଗଡ଼ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀନରେ ରହିଛି। ଶିଶୁପାଳଗଡ଼ ନିର୍ମାଣ ବନ୍ଦ କରିବା ଏବଂ ସୀମା ନିର୍ଦ୍ଧାରଣ କରି ଦେବା ପାଇଁ ହାଇକୋର୍ଟ ୨୦୨୨ ରୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏଏସ୍ଆଇ ଅଧିକାରୀ ଓ ଭୁବନେଶ୍ୱର ତହସିଲର ଜମି ଚିହ୍ନ ଟ ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି। ୩ ବର୍ଷ ଧରି କୋର୍ଟଙ୍କ ନିର୍ଦ୍ଦେଶକୁ ସରକାର ବେଖାତିର କରି ଆସୁଛନ୍ତି। ସେପଟେ ବେଆଇନ ନିର୍ମାଣ ହୁ ହୁ ହୋଇ ବଢ଼ିଚାଲିଛି।
ରାଜନେତାଙ୍କ ପାଟିରେ ତୁଣ୍ଡି
ଆଖି ଆଗରେ ଅଢ଼େଇ ହଜାର ବର୍ଷର ଐତିହ୍ୟ ଶିଶୁପାଳଗଡ଼ ମାଟିରେ ମିଶୁଥିବା ବେଳେ ଜନପ୍ରତିନିଧି କିନ୍ତୁ ଚୁପ୍। ପୂର୍ବରୁ ବିଜେଡି ଶାସନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁପାଳଗଡ଼ରେ କୌଣସି ବେଆଇନ ନିର୍ମାଣ ହୋଇ ପାରିବ ନାହିଁ ବୋଲି କହିଥିଲେ। ହେଲେ ତାହା ହେଲା ନାହିଁ। ଓଲଟା ଶିଶୁପାଳଗଡ଼ର ଜମି କିଣାବିକା ବଢ଼ି ଚାଲିଲା। ସେତେବେଳେ ବିରୋଧୀ ଦଳ ନେତା ଶାସକ ଦଳକୁ ଦୋଷ ଦେଲେ। କହିଲେ, ଆମ ଦଳ କ୍ଷମତାକୁ ଆସିଲେ ଆମେ ଶିଶୁପାଳଗଡ଼ର ପୁନରୁଦ୍ଧାର କରିବୁ। ବିଜେପିର ତୁଙ୍ଗନେତାମାନେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କଲେ। ହେଲେ ଏବେ ଶିଶୁପାଳଗଡ଼ ପ୍ରସଙ୍ଗରେ କେହି ବି ମୁହଁ ଖୋଲୁନାହାନ୍ତି।
Follow Us