ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ପରଦା ନଇଁଲା, ‌ଶେଷ ସଂଧ୍ୟାରେ ବି ହାଉସ୍-ଫୁଲ୍‌

Advertisment
ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ପରଦା ନଇଁଲା, ‌ଶେଷ ସଂଧ୍ୟାରେ ବି ହାଉସ୍-ଫୁଲ୍‌

ଭୁବନେଶ୍ବର : ବିଧର୍ମୀ ତକୀ ଖାଁର ଷଡ଼ଯନ୍ତ୍ର, ବକ୍ସିଙ୍କ ବିଶ୍ବାସଘାତ, ମହାରାଣୀ ଲଳିତା ପାଟଦେଇଙ୍କ ଅବିଶ୍ବାସ ସତ୍ତ୍ବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁନଃପ୍ରତିଷ୍ଠା କରି ଉତ୍କଳର ମାନ ରଖିବାରେ ସମର୍ଥ ରାଜା ରାମଚନ୍ଦ୍ରଦେବଙ୍କ ତ୍ୟାଗ ଓ ବଳିଦାନର କାହାଣୀ ଆଜି ପୁଣିଥରେ ଦର୍ଶକଙ୍କୁ ଲୁହରେ ଭିଜେଇଥିଲା। ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ରବିବାର ଦିନ ପରଦା ନଇଁଥିବା ବେଳେ ଅନ୍ତିମ ଦିନରେ ବି ପୂରା ପ୍ରେକ୍ଷାଳୟ ଦର୍ଶକରେ ପରିପୂର୍ଣ୍ଣ ଥିଲା। ଜୟ ଜଗନ୍ନାଥ ଧ୍ବନି ଓ ଦର୍ଶକଙ୍କ କରତାଳିରେ ଦର୍ଶକମାନେ ଲଗାତାର କଳାକାରଙ୍କୁ ପ୍ରୋତ୍ସାହିତ କରି ଚାଲିଥିଲେ।

publive-image

ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶଇଳ’ ଦ୍ବାରା ଅନୁପ୍ରେରିତ ଏହି ଐତିହାସିକ ନାଟକର ରଚନା ଶଙ୍କର ତ୍ରିପାଠୀ ଓ ପ୍ରତିମା ହୋତା କରିଥିଲେ। ନିର୍ଦ୍ଦେଶନା ଦେଇଥି‌ଲେ ଲାଲା ବୀରେନ ରାୟ। ନାଟକରେ ଗଜପତି ଚରିତ୍ରରେ ଲରେନ୍ସ ବେହେରା, ମହାରାଣୀ ଲଳିତା ଭୂମିକାରେ ସୋଫିଆ ଆଲମ୍‌, ତକୀ ଖାଁ ଭାବେ ପ୍ରକାଶ ଜେନା, ରଜିଆ ଭୂମିକାରେ ଶ୍ରଦ୍ଧା ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ଭୂମିକାରେ ମନୀଷା ରଥ, ରାଜେନ୍ଦ୍ର ସ୍ବାଇଁ, ଶମ୍ଭୁ ହୋତା, ଆଶିଷ, ହାଡ଼ୁ, ଗୋବିନ୍ଦ ମହାପାତ୍ର, ଚିନ୍ମୟ, ଉମାକାନ୍ତ, ପାର୍ଥସାରଥୀ, ରଘୁନାଥ ବେହେରା, ଆର୍‌ଜେ କେପି, ସୁନୀଲ ପଢ଼ିହାରି, ସୁଜିତ୍‌ କୁମାର, ବିପ୍ରାଜ୍ଞ ନାୟକ, ପ୍ରଭାତ, କିଶୋର, ଚିତ୍ରସେନ ଓ ଆଲୋକ ପ୍ରମୁଖ ଅଭିନୟ କରିଥିଲେ। ଗୀତିକାର ଗୁରୁ ଶତପଥୀଙ୍କ ଗୀତ ଓ ସୌମିତ୍ରୀ ପଲେଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଋତୁରାଜ୍‌, ଶ୍ରୀଚରଣ, ନାଜିଆ ଆଲାମ୍‌, ଅଭିଜିତ୍‌ ଓ ଶଶାଙ୍କ କଣ୍ଠଦାନ କରିଥିଲେ। ବିଷୟବସ୍ତୁ ସଙ୍ଗୀତରେ ସୌମିତ୍ରୀ, ଶ୍ରୀକାନ୍ତ, ସତ୍ୟ ଓ ପ୍ରଚ୍ଛଦପଟରେ ଶକ୍ତିପ୍ରସାଦ ମିଶ୍ର ସହଯୋଗ କରିଥିଲେ। ସହନିର୍ଦ୍ଦେଶକ ଅନନ୍ତ, ଜିତେନ୍ଦ୍ର, ସୁବାସ ସହଯୋଗ କରିଥିଲେ।

publive-image

ନାଟକ ପୂର୍ବରୁ ଆୟୋଜିତ ସଭାରେ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ନାଟକଟିକୁ ଦେଖିସାରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଉପରେ ଆଧାରିତ ଏହି ଆବେଗଭରା ନାଟକଟି ଖୁବ ଭଲ ହୋଇଛି। ନିର୍ଦ୍ଦେଶନା ଓ କଳାକାରଙ୍କ ଅଭିନୟ ନିଖୁଣ ଏବଂ ଖୁବ୍ ଉଚ୍ଚକୋଟୀର। ଏହାର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶଇଳ’ ଦ୍ୱାରା ଆଂଶିକ ଭାବେ ଅନୁପ୍ରେରିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବାବେଗ ଏବଂ ଓଡ଼ିଆ ଜାତିର ଗୌରବ ଓ ସାର୍ବଭୌମତ୍ୱ ଉପରେ ଆଧାରିତ ଏହି ନାଟକକୁ ଜାତୀୟ ସ୍ତରରେ ପ୍ରଚାରପ୍ରସାର କରିବା ପାଇଁ ଉଦ୍ୟମ କରାଯିବ। ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସୂଚନାଯୋଗ୍ୟ, ଗତ ଏପ୍ରିଲ୍‌ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରଦର୍ଶିତ ହୋଇ ଏହି ନାଟକ ବିପୁଳ ସଫଳତା ହାସଲ କରିଥିଲା। ତେବେ ନାଟକ ଦେଖିବାରୁ ବଞ୍ଚିତ ଦର୍ଶକ ପୁଣିଥରେ ଏହାର ପ୍ରଦର୍ଶନ ଲାଗି ଅନୁରୋଧ କରିବାରୁ ଗତ ୮ ତାରିଖରୁ ୩ ଦିନ ଧରି ଏହି ନାଟକ ପୁଣିଥରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe