ଐତିହ୍ୟ ପୁଷ୍କରିଣୀକୁ ଉପେକ୍ଷା

Advertisment
ଐତିହ୍ୟ ପୁଷ୍କରିଣୀକୁ ଉପେକ୍ଷା

ପୁରୁଣା ଭୁବନେଶ୍ୱର (ଲିଙ୍ଗରାଜ ସାହୁ): ଏକାମ୍ର କ୍ଷେତ୍ରରେ ଏକାଧିକ କୀର୍ତ୍ତିିରାଜି ସହ ରହିଛି କିଛି ଐତିହ୍ୟ ପୁଷ୍କରିଣୀ। ପୂଣ୍ୟ ଅର୍ଜନ ପାଇଁ ଏଥିରେ ସ୍ନାନ କରିବା ପାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ। ହେଲେ ଏହି ସବୁ ପୁଷ୍କରିଣୀର ପାଣି ଏବେ ନଷ୍ଟ ହେବାକୁ ବସିଲାଣି। କେଉଁଠି ଜବରଦଖଲ ହେଉଛି ତ କେଉଁଠି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଅବ୍ୟବସ୍ଥା ଭିତରେ ପୁଷ୍କରିଣୀଗୁଡ଼ିକର ସୁନାମ ମଧ୍ୟ ହଜି ଯିବାକୁ ବସିଲାଣି।

ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଦେବୀ ପାଦହରା ପୁଷ୍କରିଣୀ। ଏହି ପୁଷ୍କରିଣୀର ଚାରିପଟେ ରହିଛି ୧୦୮ ଶିବ ଲିଙ୍ଗ ମନ୍ଦିର। ତା’ ଭିତରୁ ୬୦ଟି ମନ୍ଦିରରେ ଶିବ ଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ୫ବର୍ଷ ପୂର୍ବେ ଏହି ପୁଷ୍କରିଣୀ ଓ ତତ୍‌ସଂଲଗ୍ନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର କାମ ଆରମ୍ଭ କରି ଚୁପ୍‌ ବସିପଡ଼ିଛି। ସେହିପରି ପ୍ରସିଦ୍ଧ ବିନ୍ଦୁସାଗରର ଅବସ୍ଥା ବି ବେହାଲ। ଏହି ପୁଷ୍କରିଣୀରେ ଦଳ ଭର୍ତ୍ତିି ହୋଇ ରହିଛି। ତେବେ ବିନ୍ଦୁସାଗରର ଜଳ ପରିଷ୍କାର ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହୋଇଥିଲା, ଯାହାର ଦାୟିତ୍ୱ ପ୍ରଥମେ ଡ୍ରେନେଜ୍‌ ଡିଭିଜନ୍‌ ଓ ପରେ ଓଡ଼ିଶା ନିର୍ମାଣ ନିଗମ (ଓସିସି) ନେଇଥିଲା। ଏବେ ୩ବର୍ଷ ହେଲା କାମ ଶେଷ ହୋଇଥିଲେ ମଧ୍ୟ ପୁଷ୍କରିଣୀର ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଦଳ ଭର୍ତି ହୋଇ ଏହାର ପାଣି କଳା ପଡ଼ିଯିବା ସହ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଶ୍ରଦ୍ଧାଳୁମାନେ ବିନ୍ଦୁସାଗରରେ ସ୍ନାନ କରିବା ଦୂରର କଥା ଏହାର ପାଣି ଟୋପେ ଛିଞ୍ଚି ହେବାକୁ ଭୟ କରୁଛନ୍ତି।

ଏକାମ୍ର କ୍ଷେତ୍ରରେ ରହିଛି ମେଘେଶ୍ୱର ପୁଷ୍କରିଣୀ। ଏହି ପୁଷ୍କରିଣୀଠାରୁ ପାଖରେ ଯାଇଥିବା ଡ୍ରେନ୍‌ ଉଚ୍ଚା ହୋଇଥିବାରୁ ବର୍ଷା ପାଣି ଠିକ୍‌ରେ ନିଷ୍କାସନ ହୋଇପାରେ ନାହିଁ। ମନ୍ଦିର ନଳା ଦେଇ ଗର୍ଭ ଗୃହକୁ ପାଣି ପ୍ରବେଶ କରିବା ଫଳରେ ଠାକୁର ପାଣିରେ ବୁଡ଼ି ରୁହନ୍ତି। ଦୀର୍ଘ ୮ବର୍ଷ ହେଲା ଉପୁଜିଥିବା ଏହି ସମସ୍ୟାକୁ ଏଏସ୍‌ଆଇ ପକ୍ଷରୁ ସୁଧାରିବାକୁ କୁହାଯାଉଥିବା ବେଳେ ଏଯାଏ ପଦକ୍ଷେପ ନିଆଯାଇନାହିଁ। ସେହିପରି କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ଦୀର୍ଘ ଦେଢ଼ ବର୍ଷ ହେଲା କାମ ଚାଲିଥଲେ ମଧ୍ୟ ଏହାର ମୂଳ ସମସ୍ୟା ଦୂର ହୋଇପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe