ହକି ଓ୍ଵାର୍ଲ୍‌ଡ କପ୍‌ ପାଇଁ ମାନସମନ୍ଥନ: ୧୫ ହଜାର ଅନ୍ତର୍ଜାତୀୟ ପର୍ଯ୍ୟଟକ ଆସିବା ନେଇ ଆକଳନ

‘ଟୁରିଷ୍ଟ ଓ୍ଵାର୍ଡେନ୍‌’ ପାଇଁ ପ୍ରସ୍ତାବ

ହକି ଓ୍ଵାର୍ଲ୍‌ଡ କପ୍‌ ପାଇଁ ମାନସମନ୍ଥନ: ୧୫ ହଜାର ଅନ୍ତର୍ଜାତୀୟ ପର୍ଯ୍ୟଟକ ଆସିବା ନେଇ ଆକଳନ

ଭୁବନେଶ୍ୱର: ହକି ଓ୍ଵାର୍ଲ୍‌ଡ କପ୍‌ ନେଇ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ଯେଭଳି ବାହାରୁ ଆସୁଥିବା ପର୍ଯ୍ୟଟକ ପର୍ଯ୍ୟାପ୍ତ ସୁବିଧା ପାଇବେ ଏବଂ ସୁରକ୍ଷା ଦୃଷ୍ଟିରୁ କୌଣସି ସମସ୍ୟା ହେବ ନାହିଁ, ତା’ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ହକି ମ୍ୟାଚ୍‌ ବେଳେ ଓଡ଼ିଶାକୁ ଆପତତଃ ୧୫ ହଜାର ଅନ୍ତର୍ଜାତୀୟ ପର୍ଯ୍ୟଟକ ଆସିବା ନେଇ ପର୍ଯ୍ୟଟନ ବିଭାଗ ଆକଳନ କରିଛି।
ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ଓ ଭୁବନେଶ୍ୱରରେ ରହଣି ପାଇଁ ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ କଟକ ଓ ପୁରୀକୁ ମିଶାଇ ୧ ହଜାର ହୋଟେଲ୍‌ ରୁମ୍‌ର ବ୍ୟବସ୍ଥା ହୋଇଛି। ଏହାବ୍ୟତୀତ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଉ ୧ହଜାର ଗେଷ୍ଟ୍‍ ହାଉସ୍‌ରେ ରୁମ୍‌ର ବନ୍ଦୋବସ୍ତ କରାଯାଉଛି ବୋଲି ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗର ସଚିବ ବିଶାଲ ଦେବ କହିଛନ୍ତି। ତେବେ ସମସ୍ତ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଲାଇବା ସମ୍ଭବ ନହେଲେ ମଧ୍ୟ ଫାଷ୍ଟ୍‍ କମ୍‌ ଫାଷ୍ଟ୍‍ ସର୍ଭ ଭିତ୍ତିରେ ପ୍ରାୟ ୫୦୦ ପର୍ଯ୍ୟଟକଙ୍କ ପାଇଁ ଟୁର୍‌ ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଉଛି। ଏହି ସ୍ପୋର୍ଟ୍‌ସ ଟୁର୍‌ ପ୍ୟାକେଜ୍‌ରେ ଟିକେଟ୍‌ ସମେତ ରହିବା ସୁବିଧା ଓ ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିବାର ସୁଯୋଗ ମିଳିବ। ସମ୍ଭବତଃ ପର୍ଯ୍ୟଟକଙ୍କୁ ଚିଲିକା, ମଙ୍ଗଳାଯୋଡ଼ିରେ ବୁଲାଇବାର ବନ୍ଦୋବସ୍ତ କରାଯିବ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ନେଇ ସ୍ୱତନ୍ତ୍ର ଭିଡିଓ ପ୍ରସ୍ତୁତ କରାଯିବ। ଏହି ଭିଡିଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆସିବାକୁ ପ୍ରୋତ୍ସାହିତ କରିବ।

ସୁରକ୍ଷାକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯିବ। ପୁଲିସ୍‌ ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ହକି ଓ୍ଵାର୍ଲ୍‌ଡ କପ୍‌ ପାଇଁ ପ୍ରସ୍ତୁତ କରାଯିବ। ଏହା ବ୍ୟତୀତ ଆଗାମୀ ଦିନରେ ହୋଟେଲ୍‌ ବ୍ୟବସାୟୀ ଏବଂ ସିକ୍ୟୁରିଟି ଏଜେନ୍ସି ସହ ବୈଠକ କରାଯିବ ବୋଲି ପୁଲିସ୍‌ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି। ତେବେ ୧୫ହଜାର ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ବ୍ୟକ୍ତିଗତ ଭାବେ ସୁରକ୍ଷା ଦେବା ସମ୍ଭବ ହେବ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ‘ଟୁରିଷ୍ଟ ଓ୍ଵାର୍ଡେନ୍‌’ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବା ପାଇଁ ହୋଟେଲ୍‌ ଆଣ୍ଡ୍‌ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାରୋ)କୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ମହାନ୍ତି। ଖେଳାଳିମାନେ ପଡ଼ିଆକୁ ଯିବା ପର୍ଯ୍ୟନ୍ତ ନିରାପତ୍ତାକୁ ପୁଲିସ୍‌ ଗୁରୁତ୍ୱ ଦେବ। ତେବେ ଖେଳାଳି ଏବଂ ଅନ୍ୟ ପର୍ଯ୍ୟଟକମାନେ ଯେବେ ହୋଟେଲ୍‌ରୁ ସହରକୁ ବୁଲିବା ପାଇଁ ଯିବେ, ସେମାନଙ୍କ ସୁରକ୍ଷା ନିମନ୍ତେ ଟୁରିଷ୍ଟ୍‍ ଓ୍ଵାର୍ଡେନ୍‌ଙ୍କ ସହଯୋଗ ନିଆଯାଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe