ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ରାଜଧାନୀର ସୌନ୍ଦର୍ଯ୍ୟକରଣ ସହ ଏହି କ୍ରୀଡ଼ା ମହାକୁମ୍ଭ ସମୟରେ ଯେପରି ସବୁଆଡ଼େ ଉତ୍ସବର ମାହୋଲ ଜାରି ରହିବ, ସେଥିପାଇଁ ବିଏମ୍ସି, ବିଡିଏ ଏବଂ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ବିଭିନ୍ନ ପ୍ରକଳ୍ପ କରିବାକୁ ଯୋଜନା ହୋଇଛି। ପୂରା ରାଜଧାନୀକୁ ସଜେଇବା ସହ ଆସିବାକୁ ଥିବା କ୍ରୀଡ଼ାପ୍ରେମୀ ଓ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ରାଜଧାନୀର ପରିବହନ ବ୍ୟବସ୍ଥାକୁ ନୂଆ ରୂପ ଦେବା ପାଇଁ କ୍ରୁଟ୍ ପକ୍ଷରୁ ୨୦କୋଟି ଟଙ୍କା ବ୍ୟୟରେ ୨୦୦ଟି ସିଟି ବସ୍ ଆସିବ। ଏଥିପାଇଁ ପାତ୍ରପଡ଼ା ଓ ପଟିଆରେ ଦୁଇଟି ବସ୍ ଡିପୋ ହେବ। ଏଥିରେ ବିଶେଷକରି ସିଟି ବସ୍ ଚଳାଚଳ କରୁନଥିବା ଅଞ୍ଚଳ ଚକେଇସିଆଣି, ଘାଟିକିଆ, ଶିଖରଚଣ୍ଡୀ, କଳିଙ୍ଗବିହାର ଆଦି ଅଞ୍ଚଳକୁ ନିୟମିତ ବସ୍ ଚାଲିବ। ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ବି ଆରମ୍ଭ ହେବ। ଏଥିରେ ବିଭିନ୍ନ ସାଇନ୍ ବୋର୍ଡ, ପ୍ରତିମୂର୍ତ୍ତି, ଭାସ୍କର୍ଯ୍ୟ ଆଦିର ନିୟମିତ ସଫେଇ କରାଯିବ। ସେହିପରି ୪୦କିମି ରାସ୍ତାରେ ବୃକ୍ଷରୋପଣ କରିବାକୁ ଯୋଜନା ହୋଇଛି। ଏଥିରେ ରାସ୍ତାକଡ଼, ଡିଭାଇଡର, ବିଭିନ୍ନ ଛକରେ ବିଭିନ୍ନ ପ୍ରକାରର ଗଛ ଲାଗିବ। କେତେକ ସ୍ଥାନରେ ଘାସ ଲନ୍, ସୌଖିନ ଲଟା, ବୁଦୁବୁଦିଆ ଗୁଳ୍ମ, ଝୁଲନ୍ତା ଗଛ ଆଦି ଲାଗିବ। ବିଭିନ୍ନ ରାସ୍ତାରେ କ୍ରୀଡ଼ା ସମ୍ବନ୍ଧୀୟ ଚିତ୍ର ଏବଂ ପାରମ୍ପରିକ ଚିତ୍ର ଅଙ୍କାଯିବ। ପୁରୁଣା ଭୁବନେଶ୍ୱରକୁ ନୋ-ହୋର୍ଡିଂ ଜୋନ୍ କରିବା ସହ କୀର୍ତ୍ତିରାଜି ସୂଚନା ଫଳକ ଲାଗିବ। ପର୍ଯ୍ୟଟକଙ୍କୁ ଭୁବନେଶ୍ୱର ସମ୍ବନ୍ଧରେ ଜଣାଇବା ପାଇଁ ପାଞ୍ଚଟି କୀର୍ତ୍ତିରାଜି ପଦଯାତ୍ରା/ପ୍ରାକୃତିକ ଭ୍ରମଣ କାର୍ଯ୍ୟକ୍ରମ ହେବ। ଭୁବନେଶ୍ୱର ଆର୍ଟ ଟ୍ରେଲ୍ରେ ପୁରୁଣା ଭୁବନେଶ୍ୱରର ୧.୩ କିମି ରାସ୍ତାରେ ବିଭିନ୍ନ ଚିତ୍ରମାନ ଶୋଭା ପାଇବ। ଏହି ଚିତ୍ର ସବୁ କୀର୍ତ୍ତିରାଜି ସ୍ଥାନ, ଗଳି ରାସ୍ତାର ଘର କାନ୍ଥ, ଆଧୁନିକ ଓ ପାରମ୍ପରିକ ସ୍ଥାପତ୍ୟ, ବିଦ୍ୟାଳୟ, ଦୋକାନ ଏବଂ ସର୍ବସାଧାରଣରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଜନତା ମଇଦାନରେ ହେବ ସହରୀ ପର୍ବ
ବିଡିଏ, ବିଏମ୍ସି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିତ ଭାବେ ଜନତା ମଇଦାନରେ ଖାଦ୍ୟ, ସଙ୍ଗୀତ ଏବଂ ଆମୋଦପ୍ରମୋଦର ସହରି ପର୍ବ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବକୁଳ ଫାଉଣ୍ଡେସନ୍ ଏବଂ ବିଡିଏ ଦ୍ୱାରା ତିନିଟି ସ୍ଥାନରେ ଗଳ୍ପ କଥନ ପର୍ବ ଅନୁଷ୍ଠିତ ହେବ। ବୁଦ୍ଧଜୟନ୍ତୀ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କରେ ଏହି କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି। ତେବେ ଅନ୍ୟ ସ୍ଥାନଟି ମଧୁସୂଦନ ପାର୍କ କିମ୍ବା କଳାଭୂମି ହେବ; ଖୁବ୍ ଶୀଘ୍ର ତାହା ସ୍ଥିର ହେବ।
Follow Us