ସାହିତ୍ୟକୁ ଧରି ରଖିବା ହିଁ ସଭ୍ୟତାକୁ ରକ୍ଷା କରିବାର ଏକମାତ୍ର ଉପାୟ

ସାହିତ୍ୟକୁ ଧରି ରଖିବା ହିଁ ସଭ୍ୟତାକୁ ରକ୍ଷା କରିବାର ଏକମାତ୍ର ଉପାୟ

ଭୁବନେଶ୍ୱର: ଭାରତୀୟ ସଭ୍ୟତାକୁ ଅପହରଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସଭ୍ୟତାକୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ସାହିତ୍ୟକୁ ଧରି ରଖିବା ବୋଲି କହିଛନ୍ତି ବିଶିଷ୍ଟ କବି ହରପ୍ରସାଦ ଦାସ। ଆଜି ପୂର୍ବାହ୍ନରେ ଭାରତୀୟ ବିଦ୍ୟା ଭବନରେ ଆୟୋଜିତ ସୁଧାକର ମହାନ୍ତିଙ୍କ ଗଳ୍ପ ସଙ୍କଳନ ‘ଶେଷ ସନ୍ନ୍ୟାସୀ’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ କେବଳ ଜ୍ଞାନ ନୁହେଁ ସମ୍ପର୍କର ଭାଷା ହିଁ କଥକତା ତିଆରି କରିବ। ଭାଷାର ରସାଳତା ମଧ୍ୟ କଥକତା ତିଆରି କରିବ ଓ ଭାଷାର ମୌଳିକ ସୁଯୋଗ କବିତା ସୃଷ୍ଟି କରିବ। କବିତା ଓ ଗଳ୍ପ ମଧ୍ୟରେ ନିର୍ଭରଶୀଳତା ଆସିଯାଇଛି ବୋଲି ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ବରିଷ୍ଠ ସାହିତ୍ୟିକ ଦାଶ ବେନହୁର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବେଦ, ଉପନିଷଦ, ପୁରାଣ ଆଦିରୁ ବିଭିନ୍ନ ଗଳ୍ପ ଉଦ୍ଧାର କରି ଭାରତୀୟ ଗଳ୍ପର ଇତିହାସ ବୁଝାଇଥିଲେ। ସେ କହିଥିଲେ ସାହିତ୍ୟ ହୃଦୟରୁ ତିଆରି ହୁଏ। ସମସ୍ତଙ୍କ ମଧ୍ୟରେ ସମବେଦନା ରହିଛି। କିନ୍ତୁ ସହାନୁଭୂତି ଓ ସହବୋଧରୁ ସାହିତ୍ୟର ମୂଳ ସୃଷ୍ଟି। ସାହିତ୍ୟ ଯିଏ ଲେଖେ ତା’ ମଧ୍ୟରେ ସହାନୁଭୂତି ପୂର୍ଣ୍ଣ ହୋଇ ରହିଥାଏ। ଯେଉଁ ସମାଜର ସାହିତ୍ୟ ଯେତେ ସମୃଦ୍ଧ ସେହି ସମାଜ ସେତେ ରୁଦ୍ଧିମନ୍ତ ବୋଲି ଶ୍ରୀ ବେନହୁର କହିଥିଲେ। ବିଶିଷ୍ଟ ଅତିଥି କଥାଶିଳ୍ପୀ ଅଜୟ ସ୍ବାଇଁ କହିଲେ ସୁଧାକରଙ୍କ ଗଳ୍ପରେ ଜଣେ ପାଠକ ନିଜ ଗାଁକୁ ଦେଖିପାରିବ। ନିଜକୁ ସେ ଗଳ୍ପରେ ସାମିଲ ମଧ୍ୟ କରିପାରିବ। ସମ୍ମାନିତ ଅତିଥି କଥାଶିଳ୍ପୀ ବିୟୋତପ୍ରଜ୍ଞା ତ୍ରିପାଠୀ ଭଲଗଳ୍ପ ଲିଖନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପୁସ୍ତକର ସମୀକ୍ଷା କରି ବିଶିଷ୍ଟ ସମାଲୋଚକ ନକୁଳ ଚନ୍ଦ୍ର ସାହୁ ନୂଆ ପିଢ଼ିଙ୍କ ପାଇଁ ନୂଆ ଗଳ୍ପର ଆବଶ୍ୟକତା ରହୁଛି ବୋଲି କହିଥିଲେ। ପକ୍ଷୀଘରର ପ୍ରକାଶକ ବନୋଜ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ, କବି ହରିହର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe