ଫିକା ପଡ଼ିବ ହୋଲି, ବଜାରରେ କାଁ ଭାଁ ରଙ୍ଗ ପସରା

Advertisment
ଫିକା ପଡ଼ିବ ହୋଲି, ବଜାରରେ କାଁ ଭାଁ ରଙ୍ଗ ପସରା

ଭୁବନେଶ୍ବର: କରୋନା ପାଇଁ ଏଥର ‌ରଙ୍ଗର ପର୍ବ ହୋଲି ଫିକା ପଡ଼ିବ। ହୋଲି ଖେଳ ଉପରେ କଟକଣା ଲାଗୁ ପରେ ୟୁନିଟ୍‌-୧ ହାଟ ସହ ସହରର କିଛି କିଛି ପ୍ରମୁଖ ହାଟରେ ରଙ୍ଗ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। କିନ୍ତୁ ଗତ ବର୍ଷଗୁଡ଼ିକ ଭଳି ଭିନ୍ନ ଭିନ୍ନ ରକମର ଆଇଟମ୍‌ କିମ୍ବା କୌଣସି ନୂଆ ସାମଗ୍ରୀ ବଜାରକୁ ଆସି ନାହିଁ। କିଛି କିଛି ବେପାରୀ ଗତବର୍ଷର ବଳକା ମାଲ୍‌କୁ ବିକ୍ରି କରୁଥିବା ବେଳେ ବିକ୍ରି ନଥିବାରୁ ନୂଆ ମାଲ୍‌ ଆଣିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସର୍ବସାଧାରଣରେ ସରକାରଙ୍କ ହୋଲି ଖେଳ ଉପରେ କଟକଣା ଜାରି ପରେ ଏ ବର୍ଷ ରଙ୍ଗ ବଜାର ଖାଁ ଖାଁ ରହିଛି।

ଚଳିତ ବର୍ଷ ହୋଲି ଖେଳ କେବଳ ଘର ଭିତରେ ହେବା ନେଇ ସରକାର ଘୋଷଣା କରିବା ପରେ ରଙ୍ଗ ବଜାରର ଟାର୍ଗେଟରେ ରହିଛନ୍ତି ଛୋଟ ପିଲା। ଲୋକମାନେ ଏବେ କରୋନାକୁ ନେଇ ସଚେତନ ହୋଇଥିବା ବେଳେ ବି‌ଶେଷକରି ଛୋଟ ଛୁଆ ଓ ଯୁବପିଢ଼ିଙ୍କ ମଧ୍ୟରେ ସୀମିତ ରହିବ ଚଳିତ ବର୍ଷର ରଙ୍ଗର ପର୍ବ। ଛୋଟ ଛୁଆଙ୍କ ପାଇଁ ରଙ୍ଗ ବଜାରକୁ ଅଧିକ ଆକର୍ଷଣୀୟ କରାଯାଇଛି। ଛୁଆଙ୍କ ପାଇଁ ରହିଛି ବିଭିନ୍ନ ରକମର ପିଚକାରୀ ଯେପରିକି ବନ୍ଧୁକ ପିଚକାରୀ, ବାଘ, ଚଢ଼େଇ ଭଳି ବିଭିନ୍ନ ପଶୁ ପକ୍ଷୀ ପିଚକାରୀ। ସେହିଭଳି ବିଭିନ୍ନ ସୁପରମ୍ୟାନ୍‌ଙ୍କ ମାସ୍କ ଓ ଟୋପି ପିଲାଙ୍କୁ ଅଧିକ ଆକର୍ଷିତ କରୁଛି। ସ୍ପାଇଡର୍‌ ମ୍ୟାନ ମୁଖା, ସିଂହ ମୁଖା, ବାଘ ମୁଖା, ମିକି ମାଉସ ମୁଖା ଓ ଛୋଟା ଭୀମ ଆଦି ମାସ୍କ ପିଲାଙ୍କ ପାଇଁ ଉପଲବ୍ଧ ରହିଛି। ବିଭିନ୍ନ ରଙ୍ଗର ୱାଟର କଲର ଓ ହର୍ବାଲ ପ୍ୟାକେଟ ଅବିର ବି ରହିଛି।

ସଚେତନ ନାଗରିକମାନେ କେବଳ ହର୍ବାଲ ରଙ୍ଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ପାରମ୍ପରିକ ଫଗୁ ରଙ୍ଗ ଓ ହର୍ବାଲ ରଙ୍ଗକୁ ମହିଳାମାନେ ପସନ୍ଦ କରୁଛନ୍ତି। ମହିଳାମାନଙ୍କ ପାଇଁ ସିନ୍ଦୂର, ହନୁମାନ କଲର ଓ ହ୍ୟାଟ ଆଦି ରହିଛି। ଯୁବକ ଓ ବୟସ୍କ ଲୋକଙ୍କ ପାଇଁ ଏ ବର୍ଷ ବିଶେଷ କିଛି ରଙ୍ଗ ରଖି ନଥିବା କହିଛନ୍ତି ୟୁନିଟ୍‌-୧ ମାର୍କେଟର ରଙ୍ଗ ବ୍ୟବସାୟୀ ରବୀନ୍ଦ୍ର ସାହୁ। ଅବିର ପ୍ୟାକେଟ ୧୦୦ ଗ୍ରାମକୁ ୨୦ ଟଙ୍କା ଥିବା ବେଳେ ଖୋଲା ଅବିର ୨୫୦ ଗ୍ରାମକୁ ୪୦ ଟଙ୍କା ରହିଛି। ସେହିଭଳି ମୁଖା ଓ ନକଲି କେଶ ୩୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା କହିଛନ୍ତି ରବୀନ୍ଦ୍ର। ଏହା ସହ ହର୍ବାଲ ରଙ୍ଗ ‌ପ୍ୟାକେଟ ପିଛା ୬୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe