ନିରାଶ୍ରୟଙ୍କ ସାହାରା ଆଶ୍ରୟସ୍ଥଳୀ; ତଥାପି ରାସ୍ତାକଡ଼ ଛାଡ଼ିଲେନି, ଭୋକରେ ରହିଲେ

ନିରାଶ୍ରୟଙ୍କ ସାହାରା ଆଶ୍ରୟସ୍ଥଳୀ; ତଥାପି ରାସ୍ତାକଡ଼ ଛାଡ଼ିଲେନି, ଭୋକରେ ରହିଲେ

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଲାଗୁ ହେବା ପରଠାରୁ ରାଜଧାନୀର ଅସହାୟ ଓ ନିରାଶ୍ରୟଙ୍କ ସାହାରା ପାଲଟିଛି ବିଭିନ୍ନ ଆଶ୍ରୟସ୍ଥଳୀ। ବିଏମ୍‌ସି ପରିଚାଳିତ ଏହି ସବୁ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିବା ଲୋକଙ୍କୁ ଖାଇବାକୁ ମିଳୁଥିବାରୁ ସେମାନେ ଭୋକଉପାସରୁ ବର୍ତ୍ତି ଯାଇଛନ୍ତି। ଦୁଇ ବେଳା ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବାରୁ ନିରାଶ୍ରୟମ‌ାନେ ଭୋକ ଯନ୍ତ୍ରଣାରୁ ମୁକ୍ତି ପାଇଥିବା କହିଛନ୍ତି। ତଥାପି ରାଜଧାନୀରେ କିଛି ଲୋକ ଆଶ୍ରୟସ୍ଥଳକୁ ଯାଉନାହାନ୍ତି ଓ ସେମିତି ରାଜପଥ କଡ଼ରେ ରହୁଛନ୍ତି। ଫଳରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ସେମାନେ ଭୋକ ଉପାସରେ ରହିଥିବା ଜଣାପଡ଼ିଛି।

ୟୁନିଟ୍‌-୩ସ୍ଥିତ ଆଶ୍ରୟସ୍ଥଳୀରେ ୭୦ଜଣଙ୍କୁ ଆଶ୍ରୟ ଦିଆଯାଇଛି। ନିରାଶ୍ରୟ ବୃଦ୍ଧ, ବୃଦ୍ଧା, ମାନସିକ ବିକାରଗ୍ରସ୍ତ ଏବଂ ଦିବ୍ୟାଙ୍ଗମାନେ ଆଶ୍ରୟ ନେଇଛନ୍ତି। ଏମାନଙ୍କୁ ବିଏମ୍‌ସି ଏବଂ ବିଭିନ୍ନ ସାମାଜିକ ସଂଗଠନ ତଥା ସହୃଦୟ ବ୍ୟକ୍ତିଙ୍କ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଛି। ରହିବା, ଖାଇବା ଆଦି ସବୁ ପ୍ରକାରର ସୁବ୍ୟବସ୍ଥା କରାଯାଇଛି। ତଥାପି କିଛି ଲୋକ ଏଭଳି ଆଶ୍ରୟ କେନ୍ଦ୍ରକୁ ଆସୁନାହାନ୍ତି। ରାସ୍ତାକଡ଼ରେ, ଦୋକାନ ତଳେ, ବଡ଼ ବଡ଼ ସପିଂ ମଲ୍‌ର ପାର୍କିଂ ସ୍ଥା‌ନରେ ସେମାନେ ଆଶ୍ରୟ ନେଇଛନ୍ତି। ଲକ୍‌ଡାଉନ୍‌ ଲାଗୁ ହେବା ଠାରୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିଲା। କିନ୍ତୁ ଦୁଇ ଦିନ ହେଲା ବର୍ଷା ପବନ ଓ ବାତ୍ୟା ଲାଗି କୌଣସି ସଂଗଠନ ପକ୍ଷରୁ ଏମାନଙ୍କୁ ଖାଦ୍ୟ ମିଳିନଥିଲା। ତେଣୁ ଭୋକ ଉପାସ‌ରେ ପଡ଼ି ରହିଥିଲେ। ଆଜି ଅପରାହ୍ଣରେ ରାଜମହଲ ଛକରେ ଏକ ମହିଳା ସଂଘ ଖାଦ୍ୟ ସାମଗ୍ରୀ ବାଣ୍ଟିବା ବେଳେ ଶତାଧିକ ଲୋକ ଧାଡ଼ିବାନ୍ଧି ଛିଡ଼ା ହୋଇଥିଲେ।

ସେହିପରି ଆଶ୍ରୟସ୍ଥଳୀରେ ପ୍ରାୟ ୨୦ ଜଣ ନିର୍ମାଣ ଶ୍ରମିକ ଆଶ୍ରୟ ନେଇଛନ୍ତି। କାର୍ଯ୍ୟକ୍ଷମ ହୋଇଥିବାରୁ ଏମାନଙ୍କୁ ମାଗଣା ଖାଦ୍ୟ ଦିଆଯାଉନାହିଁ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ଏମାନେ ରୋଜଗାର ହରାଇଛନ୍ତି। ପାଖରେ ପଇସା ନଥିବାରୁ ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି। ତେବେ ଖାଇବା ମିଳୁନଥିବାରୁ ଏମାନେ ଦିନ ବେଳା ଆହାର କେନ୍ଦ୍ରର ୫ଟଙ୍କିଆ ପୁଡ଼ିଆରେ ଚଳି ଯାଉଛନ୍ତି। କିନ୍ତୁ ରାତିରେ ଖାଇବା ମିଳୁନଥିବାରୁ ଦିନେ ଦିନେ ଶୁଖିଲା ବିସ୍କୁଟ୍‌ ଖାଇ କିମ୍ବା ଭୋକରେ ଶୋଇବାକୁ ବାଧ୍ୟ ହୋଉଛନ୍ତି। ଯଦି ଲକ୍‌ଡାଉନ୍‌ ସମୟ ତକ ଆଶ୍ରୟସ୍ଥଳୀ ପକ୍ଷରୁ ଖାଇବା ମିଳିପାରନ୍ତା, ସେମାନେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।

publive-image

ଓଭରବ୍ରିଜ୍‌ ତଳେ ଭୋକ ଉପାସରେ ଦୁଇ ଦିନ
ଭୁବନେଶ୍ବର : ଗତ ଦୁଇ ଦିନ ହେଲା ବାଣୀବିହାର ଓଭରବ୍ରିଜ୍‌ ତଳେ କିଛି ଅସହାୟ ଲୋକ ଭୋକ ଉପାସରେ ପଡ଼ି ରହିଛନ୍ତି। ବାତ୍ୟା ୟାସ୍‌ରେ ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଏମାନେ ଭୋକଉପାସରେ ପଡ଼ି ରହିବାକୁ ବାଧ୍ୟ ହୋଇଛନ୍ତି। ପବନ ମାଡ଼ରେ କିଛି ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ମଧ୍ୟରୁ କେହି କରୋନା ସଂକ୍ରମିତ ହୋଇଥିଲେ, ସମସ୍ତଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିବ।

ସୂଚନାନୁସାରେ ଏମାନେ ବାଣୀବିହାରରେ ଅଞ୍ଚଳରେ ଥିବା ବସ୍ତିର ଲୋକ। ଏହି ଗରିବ ଲୋକଙ୍କ ଝୁମ୍ପୁଡ଼ି ବାତ୍ୟାରେ ଧ୍ବଂସ ହୋଇଯିବ ବୋଲି ଏମାନେ ଓଭରବ୍ରିଜ୍‌ ତଳକୁ ଚାଲି ଆସିଥିଲେ। ମାତ୍ର ସରକାରଙ୍କ ତରଫରୁ କିମ୍ବା କୌଣସି ସାମାଜିକ ସଂଗଠନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ମିଳିନଥିଲା। ପ୍ରଶାସନ ପକ୍ଷରୁ ଏମାନଙ୍କୁ ଉଦ୍ଧାର କରାଯାଇନଥିଲା। ତେଣୁ ପାଖରେ ଥିବା କିଛି ବିସ୍କୁଟ୍‌ ଓ ଜଣେ ଦେଇଥିବା ଚୁଡା, ଚିନି ଖାଇ ସେମାନେ ଦୁଇ ଦିନ ବିତାଇଥିବା କହିଛନ୍ତି। ଏବେ ସେମାନଙ୍କ ମଧ୍ୟରୁ କେତେଜଣ କାଶ ଓ ଥଣ୍ଡାରେ ପୀଡ଼ିତ ଅଛନ୍ତି। ସେମାନେ କରୋନା ଆକ୍ରାନ୍ତ ବୋଲି ଅନ୍ୟମାନେ ଭୟଭୀତ ହୋଇପଡ଼ିଛନ୍ତି। ତେଣୁ ସେମାନଙ୍କୁ ସେଠାରୁ ଉଦ୍ଧାର କରି ପରୀକ୍ଷା ଓ ଚିକିତ୍ସା କରାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe