ଭୁବନେଶ୍ୱର : ବୁଧବର ଅପରାହ୍ନ ୨ଟା। ଜନଗହଳିପୂର୍ଣ୍ଣ ନୂଆପଲ୍ଲୀ ଥାନା ଆଗରେ ବସି ବାହୁନି ବାହୁନି କନ୍ଦୁଥାନ୍ତି ଜଣେ ବୃଦ୍ଧା। ବୟସ ପାଖାପାଖି ୯୦। ମୁଣ୍ଡ ନୁଖୁରା, ଦେହରେ ବଳ ନଥିବାରୁ ବୋଧେ ଠିକରେ ଛିଡ଼ା ହୋଇ ପାରୁନଥାନ୍ତି। ସେହି ରାସ୍ତା ଦେଇ ଅନେକ ଲୋକ ଯିବା ଆସିବା କରୁଥିଲେ ମଧ୍ୟ କାହାରି ଦୃଷ୍ଟି ପଡ଼ୁନଥିଲା ତାଙ୍କ ଉପରେ। ଏତିକିବେଳେ କୋହଭରା କଣ୍ଠରେ ସେ ଯାହା କହିଲେ ତାହା ଥିଲା ଯେତିକି କରୁଣ ସେତିକି ଦୁଃଖଦ। ତାଙ୍କ କହିବା କଥା ହେଲା, ସ୍ୱାମୀ ଓ ପୁଅର ମୃତ୍ୟୁ ପରେ ନିଜ ଦୁଇ ଝିଅ ସହ ନାତି, ନାତୁଣୀଙ୍କ ମୁହଁ ଚାହିଁ ବାକିତକ ଜୀବନ କାଟି ଦେବି ବୋଲି ଭାବିଥିଲି। ହେଲେ ମୋ ନିଜ ଝିଅମାନେ ମୋତେ ମାଡ଼ ମାରି ଘରୁ ତଡ଼ି ଦେଇଛନ୍ତି। ପାଖରେ ଥାଇ ମଧ୍ୟ ଝିଅମାନେ ତାଙ୍କୁ ଖାଇବାକୁ ଦିଅନ୍ତି ନାହିଁ। ତେଣୁ ଏ ବୟସରେ ସେ ପର ଘରେ ବାସନକୁସନ ମାଜି ନିଜ ପେଟ ପୋଷନ୍ତି। ଏବେ ବୟସ ଅଧିକ ହେବାରୁ ଆଉ କାମକୁ ଯାଇ ପାରୁନାହାନ୍ତି। ଓଷଧ କିମ୍ବା କୌଣସି ଜିନିଷ ଦରକାର ହେଲେ ଝିଅମାନଙ୍କୁ କହିଲେ ଶୁଣିବାକୁ ପଡ଼େ ଗାଳି। ଏମିତିକି କିଛି ଭୁଲ ହୋଇଗଲେ ଝିଅମାନେ ମା’ଙ୍କୁ ମାଡ଼ ମାରିବାକୁ ବି ପଛାନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ବୃଦ୍ଧା। ଶେଷରେ ନିଜ ଝିଅମାନଙ୍କର ନିର୍ଯାତନାରେ ଅତିଷ୍ଠ ହୋଇ ସେ ନ୍ୟାୟ ପାଇଁ ନୂଆପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us