ହଳଦୀରୁ ‘ମାଇଗ୍ରେନ୍‌’ ନିରାକରଣ ଔଷଧ

ହୋମିଓପାଥି ଗବେଷକଙ୍କ ନୂଆ ଆବିଷ୍କାର

ହଳଦୀରୁ ‘ମାଇଗ୍ରେନ୍‌’ ନିରାକରଣ ଔଷଧ

ଭୁବନେଶ୍ୱର: ହଳଦୀର ଔଷଧୀୟ ଗୁଣ ସମ୍ପର୍କରେ ଆମେ ଉଣା ଅଧିକେ ଅବଗତ। ତେବେ ହଳଦୀର କ୍ଷୁଦ୍ର କଣିକାକୁ ନେଇ ହୋମିଓପାଥିକ୍‌ ଡାକ୍ତର ଗବେଷକ ନିରଂଜନ ମହାନ୍ତି ଆବିଷ୍କାର କରିଛନ୍ତି ନୂଆ ହୋମିଓପାଥି ମେଡିସିନ୍‌ ‘ନାନୋକର୍‌କ୍ୟୁମିନ୍‌ ୬ଏକ୍ସ’। ହେପାଟାଇଟ୍‌ସ, ସ୍ପଣ୍ଡିଲାଇଟ୍‌ସ, ଆଥ୍ରାଇଟ୍‌ସ, ସାଇନୋଥାଇଟିସ୍‌ ଓ ମାଇଗ୍ରେନ୍‌ ଭଳି ରୋଗ ପାଇଁ ଏହି ଔଷଧ ଉପଯୋଗୀ ସାବ୍ୟସ୍ତ ହୋଇଛି। ସାଇନସାଇଟିସ୍‌, ଅଜୀର୍ଣ୍ଣ, କୋଷ୍ଠକାଠିନ୍ୟ, ଅତିସାର, ଡିସ୍‌ମେନୋରିଆ ଭଳି ରୋଗ ପାଇଁ ମଧ୍ୟ ଏହାର ପ୍ରୟୋଗ କରାଯାଇ ସୁଫଳ ମିଳିଛି। କୌଣସିଠାରୁ ଟଙ୍କାଟିଏ ନନେଇ ସେ ନିଜ ଖର୍ଚରେ ଗବେଷଣା ପରେ ଏହି ନୂତନ ଔଷଧର ଆବିଷ୍କାର କରିଛନ୍ତି। ବ୍ରହ୍ମପୁରର ‘ବିଜୁ ପଟ୍ଟନାୟକ ହୋମିଓପାଥିକ୍‌ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ ଏବଂ ଭୁବନେଶ୍ୱରର ‘ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟଡି ଆଣ୍ଡ୍‌ ରିସର୍ଚ ସେଣ୍ଟର ଅନ୍‌ ହୋମିଓପାଥି’ରୁ ୩୦ଜଣଙ୍କଠାରେ ଏହି ଔଷଧର ପ୍ରୟୋଗ କରାଯାଇଥିଲା। ଏଥିରେ ୧୮ବର୍ଷରୁ ଅଧିକ ବୟସର (୨ମାସ କୌଣସି ମେଡିସିନ୍‌ ଖାଇନଥିବା) ୧୭ଜଣ ପୁରୁଷ ଓ ୧୩ ଜଣ ମହିଳାଙ୍କୁ ସାମିଲ୍‌ କରାଯାଇଥିଲା। ପରେ ଭାବା ଆଟୋମିକ୍‌ ରିସର୍ଚ ସେଣ୍ଟରରେ ପରୀକ୍ଷଣ ପରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଶ୍ରୀ ମହାନ୍ତିଙ୍କୁ ଗବେଷଣାରେ ସୁଜାତା କୁମାରୀ ଚୌଧୁରୀ ଏବଂ ସନ୍ତୋଷ କୁମାର ଜେନା ସହଯୋଗ କରିଥିବା ବେଳେ ଏ ବାବଦରେ ଏକ ଗବେଷଣାତ୍ମକ ଆଲେଖ୍ୟ ‘ଇଣ୍ଡିଆନ୍‌ ଜର୍ଣ୍ଣାଲ୍‌ ଅଫ୍‌ ରିସର୍ଚ ଇନ୍‌ ହୋମିଓପାଥି’ରେ ପ୍ରକାଶ ପାଇଥିଲା।

ନାନୋକରକ୍ୟୁମିନ୍‌ ୬ଏକ୍ସ କର୍କଟ ରୋଗୀର ଶରୀରରେ କ୍ୟାନ୍‌ସର ସେଲ୍‌ ଏବଂ ଟ୍ୟୁମର ବଢ଼ିବାରେ ରୋକ ଲଗାଇବାରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଡାକ୍ତର ମହାନ୍ତି କହିଛନ୍ତି। ହୋମିଓପାଥି କ୍ଷେତ୍ରରେ ଏହି ଗବେଷଣା ପାଇଁ ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି। ତାଙ୍କ ସର୍ବକାଳୀନ ଅବଦାନ ପାଇଁ ଭାରତ ସରକାର ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଧିତ କରିଛନ୍ତି। ଗବେଷଣାରୁ ପ୍ରସ୍ତୁତ ‘ନାନୋକର୍‌କ୍ୟୁମିନ୍‌ ୬ଏକ୍ସ’ ମେଡିସିନ୍‌ ଆକାରରେ ବଜାରରେ ଉପଲବ୍ଧ ହୋଇନଥିଲେ ହେଁ ଏହାକୁ ସମସ୍ତ ହୋମିଓପାଥି କେନ୍ଦ୍ରକୁ ପଠାଯିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe