ଭାଙ୍ଗିଲା ୧୮୦ ଫୁଟ୍‌ର ପାଚେରି, ୧୩ଟି ସେଡ୍‌

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିରେ ଜବରଦଖଲ ଉଚ୍ଛେଦ

ଭାଙ୍ଗିଲା ୧୮୦ ଫୁଟ୍‌ର ପାଚେରି, ୧୩ଟି ସେଡ୍‌

?

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ରାସ୍ତାକଡ଼ ସରକାରୀ ଜମିରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ବିଡିଏ ଓ ବିଏମ୍‌ସିର ଉଚ୍ଛେଦକାରୀ ଦଳ ହାଉସିଂ ବୋର୍ଡର ଫେଜ୍‌-୨ ସେକ୍ଟର୍‌-୩ରେ ସରକାରୀ ଜମିରେ ଗଢ଼ି ଉଠିଥିବା ୮ଟି ସେଡ୍‌ ହାଉସ୍‌, ୩ଟି ଏସିସି ସେଡ୍‌ ହାଉସ୍‌, ୨ଟି ଗ୍ୟାରେଜ୍‌ର ଛୋଟ ସେଡ୍‌ ଓ ୧୮୦ ଫୁଟ୍‌ର ପାଚେରି ଭାଙ୍ଗିଥିଲେ। ୫୫୦୦ ବର୍ଗଫୁଟ୍‌ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ହୋଇଥିବା ନେଇ ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘଦିନ ହେଲା ଏହି ଜମି ଜବରଦଖଲ ହୋଇ ରହିଥିଲା। ଏଥିପାଇଁ ଏଠାରେ ଏକ ରାସ୍ତା ବନ୍ଦ ହୋଇଥିଲା। ଆଜିର ଉଚ୍ଛେଦ ପରେ ସର୍ବସାଧାରଣଙ୍କ ପାଇଁ ଏହି ରାସ୍ତା ଫିଟିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ଗୋଟିଏ ପ୍ଲାଟୁନ୍‌ ଏପିଆର ଫୋର୍ସ, ଗୋଟିଏ ସେକ୍ସନ ମହିଳା ପୁଲିସ ଫୋର୍ସ ନିୟୋଜିତ ହୋଇଥିଲେ। ବିଡିଏର ୧,୨,୩,୪ନମ୍ବର ଏର୍ନଫୋସ୍‌ମେଣ୍ଟ ସ୍କ୍ଵାଡ୍‌ ସମେତ ବିଏମ୍‌ସିର ଉତ୍ତର ଓ କେନ୍ଦ୍ର ଜୋନ୍‌ର ସ୍କ୍ଵାଡ ଉଚ୍ଛେଦ କାର୍ଯ୍ୟରେ ସାମିଲ ହୋଇଥିଲେ। ବିଡିଏ ଏନଫୋର୍ସ୍‌ମେଣ୍ଟ ଅଧିକାରୀ-୨ ପ୍ରମୋଦ କୁମାର ପାତ୍ରଙ୍କ ସମେତ ଶୁଭ୍ରାଂଶୁ ଶେଖର ମହାନ୍ତି, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ କୁମାର ମିଶ୍ର ଉଚ୍ଛେଦର ନେତୃତ୍ୱ ନେଇଥିଲେ। ଉଚ୍ଛେଦ ଆରମ୍ଭରୁ ଉଚ୍ଛେଦକାରୀ ଦଳ ଓ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ବଚସା ହୋଇଥିଲା। ହେଲେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୁରୁଖୁରରେ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ବିନା ନୋଟିସ୍‌ରେ ଉଚ୍ଛେଦ କରାଯାଉଥିବା ନେଇ ହାଉସିଂ ବୋର୍ଡ କଲୋନି ଲୋକେ ଅଭିଯୋଗ କରିଛନ୍ତି।

ଉଚ୍ଛେଦ ବେଳେ ଉତ୍ତେଜନା
ପୁରୁଣା ଭୁବନେଶ୍ୱର,: ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ବେଳେ ଆଜି ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଫଳରେ ବିଡିଏ, ବିଏମ୍‌ସି ଓ ସାଧାରଣ ପ୍ରଶାସନ ବିଭାଗର ମିଳିତ ସ୍କ୍ଵାଡ୍‌ ସେଠାରୁ ହଟହଟା ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। ଉକ୍ତ ଜାଗାରୁ ଜବରଦଖଲ ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଥିବା ଜଣାପଡ଼ିବା ପରେ ଉଚ୍ଛେଦକାରୀ ଦଳ ସେଠାରୁ ଫେରି ଆସିଥିଲେ। ସୂଚନା ଅନୁଯାୟୀ ବିଏମ୍‌ସି କାର୍ଯ୍ୟାଳୟ ନିକଟ ଏକ ବିଲଡର୍‌ ସଂସ୍ଥା ସମ୍ମୁଖରେ ନୟନ ଜୋରି କିସମ ଜମି ରହିଛି। ସେଠାରେ କେତେକ ବ୍ୟବସାୟୀ ଉଠା ଦୋକନ କରିଛନ୍ତି। ଆଜି ସେହି ଦୋକାନଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ମିଳିତ ସ୍କ୍ଵାଡ୍‌ ଯାଇଥିଲା। କିନ୍ତୁ ସେମାନେ ହାଇକୋର୍ଟର ସ୍ଥଗିତାଦେଶ ନିର୍ଦେଶ ଦେଖାଇବା ପରେ ଉଚ୍ଛେଦ କାର୍ଯ୍ୟ ହୋଇପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe