ଭୁବନେଶ୍ବର, : କରୋନାର ଦ୍ବିତୀୟ ଲହରି ଦେଶରେ ଆରମ୍ଭ ହୋଇସାରିଥିବା ବେଳେ ଛତିଶଗଡ଼ରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା କମେଇବା ପାଇଁ ତଥା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଛତିଶଗଡ଼ ସରକାର ରାଜ୍ୟରେ ଲକ୍ଡାଉନ୍ କରିଛନ୍ତି। ହେଲେ ଛତିଶଗଡ଼ରୁ ମାଳମାଳ ଶ୍ରମିକ ପେଟ ପାଇଁ କାମ କରିବାକୁ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଆଖି ପକାଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଛତିଶଗଡ଼ ରାଜ୍ୟରେ ଲକ୍ଡାଉନ୍ ସତ୍ତ୍ବେ ସେଠାର ସ୍ଥାନୀୟ ଶ୍ରମିକମାନେ ପଡ଼ୋଶୀ ରାଜ୍ୟକୁ ଯିବା ପାଇଁ ରାଜଧାନୀ ଭୁବନେଶ୍ବରକୁ ମାଧ୍ୟମ କରିଛନ୍ତି। ଲକ୍ଡାଉନ୍ ସତ୍ତ୍ବେ ଭୁବନେଶ୍ବରକୁ ବସ୍ଯୋଗେ ଆସି ରେଳଷ୍ଟେସନ୍ ଦେଇ ଝାଡ଼ଖଣ୍ଡର ରାଞ୍ଚି, ଆନ୍ଧ୍ରପ୍ରଦେଶର ବିଜୟଵାଡ଼ା ଓ ପଶ୍ଚିମବଙ୍ଗର କୋଲ୍କାତା ଆଦି ଅଞ୍ଚଳକୁ ଯାଉଛନ୍ତି। ହେଲେ ଛତିଶଗଡ଼ରୁ ବସ୍ ଚଳାଚଳ ବନ୍ଦ ଥିବା ସତ୍ତ୍ବେ ଏହି ଶ୍ରମିକମାନେ ଭୁବନେଶ୍ବରକୁ କେଉଁବାଟ ଦେଇ କିପରି ଆସି ପହଞ୍ଚୁଛନ୍ତି ତା’ର କୌଣସି ରାଜ୍ୟ ସରକାରଙ୍କ ପାଖରେ ନାହିଁ।
କରୋନା ବଢ଼ିବା ପରେ ଛତିଶଗଡ଼ରୁ ଓଡ଼ିଶାକୁ ସବୁ ପ୍ରକାରର ଗମନାଗମନ ବାଟ ବନ୍ଦ କରିଦିଆଯାଇଛି। ବସ୍ ଓନର୍ ଆସୋସିଏସନ୍ ମଧ୍ୟ ଗତକିଛି ଦିନ ହେଲା ଛତିଶଗଡ଼କୁ ଚାଲିଥିବା ଦୁଇଟି ବସ୍କୁ ବନ୍ଦ କରିଦେଇଥିବା କହିଛନ୍ତି। ମାତ୍ର ଅନେକ ସ୍ଥାନରେ ସୀମା ମୁକୁଳା ଥିବାରୁ ଅନ୍ୟ ଗାଡ଼ିରେ ଓଡ଼ିଶାକୁ ଆସି ସେମାନେ ବସ୍ ଯୋଗେ ଭୁବନେଶ୍ବର ଚାଲି ଆସୁଥିବା ଅନୁମାନ କରାଯାଉଛି।
ଆଜି ମଧ୍ୟାହ୍ନରେ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଛତିଶଗଡ଼ ରାୟପୁର ଅଞ୍ଚଳରୁ ଆସିଥିବା କିଛି ଶ୍ରମିକଙ୍କୁ ଦେଖିବାକୁ ମିଳିଥିଲା। ପଚରାଉଚରା କରିବାରୁ ସେମାନେ ଛତିଶଗଡ଼ରୁ ଆସିଥିବା ମାନିଥିଲେ। ସେଠାରେ ଲକ୍ଡାଉନ୍ ଯୋଗୁଁ କାମ ମିଳୁ ନ ଥିବାରୁ ସେମାନେ ଭୁବନେଶ୍ବର ଦେଇ ବିଜୟଵାଡ଼ା ଯାଉଛନ୍ତି ବୋଲି କହିଥିଲେ। ସେମାନଙ୍କର କିଛି ସାଥୀ ମଧ୍ୟ କୋଲକାତା ଯିବେ ବୋଲି କହିଥିଲେ। ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଓହ୍ଲାଇବା ପରେ ସେମାନେ ଅଟୋରେ ଭୁବନେଶ୍ବର ରେଳଷ୍ଟେସନ୍ ଯାଇ ସେଠାରୁ ଟ୍ରେନ୍ ଧରିବାକୁ ଯୋଜନା କରିଥିଲେ। ଏହି ଶ୍ରମିକଙ୍କ ମଧ୍ୟରୁ କେହି କରୋନା ଆକ୍ରାନ୍ତ ହୋଇଥିଲେ ସେମାନେ ଆସୁଥିବା ବସ୍ରେ ଅନେକ ଯାତ୍ରୀଙ୍କୁ କରୋନା ବାଣ୍ଟି ଦେଉଥିବେ। ତେଣୁ ଛତିଶଗଡ଼ରୁ ଶ୍ରମିକଙ୍କ ଓଡ଼ିଶା ଆସିବା ଉପରେ ରୋକ୍ ନ ଲଗାଇଲେ ଆଗାମୀ ଦିନରେ ଓଡ଼ିଶାରେ ସଂକ୍ରମଣ ଆହୁରି ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି।
Follow Us