ଭୁବନେଶ୍ବର: ଜୁନ୍ ୨୦ ତାରିଖ। ସନ୍ଧ୍ୟା ପ୍ରାୟ ୬ଟା ହେବ। ରାଜଧାନୀର ଜନଗହଳିପୂର୍ଣ୍ଣ ଛକ ଭାବେ ଜଣାଶୁଣା ଡେଲ୍ଟା ଛକରେ ହଠାତ ହୁ ହୁ ହୋଇ ଏକ ସ୍କର୍ପିଓ ଗାଡ଼ି ଜଳି ଉଠିଥିଲା। ସେଠାରେ ଥିବା ପ୍ରାୟ ୮ରୁ ୧୦ଜଣ ଯୁବକ ୨ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିବା ସହିତ କାର୍କୁ ଭଙ୍ଗାରୁଜା କରୁଥା’ନ୍ତି। ଶହ ଶହ ଲୋକଙ୍କ ଆଗରେ ଏଭଳି ଆତଙ୍କ କଲା ଭଳି ଦୃଶ୍ୟ ଘଟୁଥିବା ବେଳେ କେହି ସାହସ କରି ସେମାନଙ୍କୁ ଅଟକାଉ ନଥିଲେ। ଅଟକାଇବା ଦୂରର କଥା, ସବୁ ଦେଖି ନ ଦେଖିଲା ଭଳି ନଜର ଅନ୍ଦାଜ କରୁଥିଲେ। କାରଣ ଆତଙ୍କ ଖେଳାଉଥିବା ଗୋଷ୍ଠୀ ଏତେ ରକ୍ତମୁଖା ହୋଇ ଲୋକଙ୍କୁ ବି ଆକ୍ରମଣ କରିବାକୁ ଧମକ ଦେଉଥିଲେ। ଏପରିକି ସେଠାରେ ଛିଡ଼ା ହୋଇଥିବା ଜଣେ ଟ୍ରାଫିକ୍ ପୁଲିସ ବି ସେମାନେ ମାଡ଼ ମାରିବା ସହିତ ସେ ମୋବାଇଲ୍ରେ ଭିଡିଓ ସୁଟିଂ କରିବାରୁ ତାଙ୍କ ମୋବାଇଲ୍ ଭାଙ୍ଗି ଦେଇଥିଲେ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ସେମାନେ ନିସ୍ତାର ପାଇ ନଥିଲେ। ତାଙ୍କୁ ଟେକା ପଥର ଫିଙ୍ଗିବା ସହ ଗାଡ଼ି ଲିଭାଇବାକୁ ଉଦ୍ୟମ କଲେ ଗୋଡ଼ାଇ ପିଟୁଥିଲେ। ଏଭଳି ଦୃଶ୍ୟ ରାଜଧାନୀକୁ ସ୍ତବ୍ଧ କରିଦେଇଥିବାରୁ ନୂଆ କରି ଡିସିପି ଭାବେ ସ୍ମାର୍ଟସିଟିର ଦାୟିତ୍ବ ନେଇଥିବା ପ୍ରତୀକ ସିଂହ ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ପୂରା ଯୋଜନା ପ୍ରସ୍ତୁତ କରିଥିଲେ। ଘଟଣାସ୍ଥଳରୁ ତତ୍କ୍ଷଣାତ୍ ୪ଜଣଙ୍କୁ କାବୁ କରିବା ସହିତ ତା’ ପରଦିନ ସେଠାରେ ଥିବା ଦୋକାନରେ ବସି ଆଡ଼ା ଜମାଉଥିବାରୁ ଭାଙ୍ଗିବା ପାଇଁ ବିଏମ୍ସିକୁ ଚିଠି କରାଯାଇଥିଲା।
ବିଏମ୍ସି ବି ସେଠାରୁ ଦୋକାନ ଉଚ୍ଛେଦ କରିଥିଲା। ହେଲେ କିଛି ଦିନ ବିତିବା ପରେ ପୁଣି ଏବେ ଉକ୍ତ ଗୋଷ୍ଠୀ ଜାମିନ୍ରେ ଆସି ଦୋକାନ ଆଳରେ ଆଡ଼ା ଜମାଇଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ଭାବେ ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଟି ବି ଜମୁଛି। ଆଉ ପୁଲିସ ସବୁ ଜାଣି ବି ଚୁପ୍। କେବଳ ଏହି ଗୋଟିଏ କ୍ଷେତ୍ରରେ ନୁହେଁ, ରାଜଧାନୀରେ ଖଣ୍ଡା ଓ ବନ୍ଧୁକ ବୁଲାଇ ଆତଙ୍କ ଖେଳାଇଥିବା କେବିଏନ୍ ଗୋଷ୍ଠୀର ବି ସମାନ ଘଟଣା ଦେଖିବାକୁ ମିଳିଛି। ସରକାରୀ ଜାଗାରେ ଘର କରିଥିବାରୁ ଗ୍ୟାଙ୍ଗ୍ର ଚେଙ୍ଗ ଓ ସନିଆ ଘରେ ପଶି ପୁଲିସ ଅସ୍ତ୍ରଶସ୍ତ୍ର ଖୋଜିବା ବାହାନାରେ ଭଙ୍ଗାରୁଜା କରିଥିଲା। ଏପରିକି ଏମିତି ଉତ୍ପାତ କଲେ ଏଥର ସିଧା ଘର ଭାଙ୍ଗି ତଡ଼ିଦେବ ବୋଲି ଧମକ ଦିଆଯାଇଥିଲା।
ଏପରିକି ଗ୍ୟାଙ୍ଗ୍ର ମୁଖିଆ ବୁବୁ ସମେତ ଅମ୍ଳାନ ଘର ବି ଛାନ୍ଭିନ୍ କରାଯାଇଥିଲା। ହେଲେ ଘଟଣା ପରେ ଏହି ଗୋଷ୍ଠୀ ଅଧିକ ସଶକ୍ତ ହୋଇ ପତିଆରା ପାଇଁ ପୁଣି ପୁରୁଣା ଷ୍ଟାଇଲ୍ରେ ଆତଙ୍କ ଖେଳାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/09/30-17.jpg)
ଅପରାଧୀଙ୍କୁ ସାବାଡ୍ କରିବା ତଥା ନିଶାମାଫିଆଙ୍କୁ ନିପାତ କରିବା ପାଇଁ ୨୦୧୯ ପରଠୁ କମିସନରେଟ୍ ପୁଲିସ୍ ଏଭଳି ବୁଲଡୋଜର୍ ଚଳାଇବା ନୀତି ଆପଣାଉଥିବା ବେଳେ କିଛିକାଂଶରେ ସଫଳ ହୋଇଥିଲେ ଆଉ କିଛି କ୍ଷେତ୍ରରେ ବିଫଳତାର ସ୍ବାଦ ଚାଖିଛି। ତେଣୁ ଏମାନଙ୍କୁ ସାବାଡ୍ କରିବା ପାଇଁ ପୁଣି କଣ ରଣନୀତି ଆପଣାଯିବ ନା ଏଭଳି ଲୋକଦେଖାଣିଆ ସୋ’ ବାଜିରେ କାମ ଚାଲିବ।
ଉଲ୍ଲେଖଯୋଗ୍ୟ, ୨୦୧୯ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦ରୁ ଅଧିକ ନିଶା ମାଫିଆ ଓ ଅସମାଜିକ ତତ୍ତ୍ବଙ୍କ ଘର କମିସନରେଟ୍ ପୁଲିସର ଚିଠି କ୍ରମେ ଭଙ୍ଗାଯାଇଥିବା ଜଣାପଡ଼ିଛି।
Follow Us