ବେଆଇନ ପ୍ଲେ-ସ୍କୁଲ୍‌ କେତେ? ଗଣଶିକ୍ଷା ସଚିବଙ୍କୁ ତଥ୍ୟ ମାଗିଲେ ମାନବାଧିକାର କମିସନ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛତୁ ଫୁଟିଲା ପରି ଘରୋଇ ପ୍ଲେ’ ସ୍କୁଲ ଖୋଲିଛି। ବେଆଇନ ଭାବେ ସ୍କୁଲଗୁଡ଼ିକ ଚାଲୁଥିଲେ ମଧ୍ୟ ସେଥିପ୍ରତି କାହାର ବି ଲଗାମ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ କିମ୍ବା ମହିଳା ଓ ଶିଶୁ କଲ୍ୟାଣ....

play schoolddd

Photograph: (Makoons)

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଛତୁ ଫୁଟିଲା ପରି ଘରୋଇ ପ୍ଲେ’ ସ୍କୁଲ ଖୋଲିଛି। ବେଆଇନ ଭାବେ ସ୍କୁଲଗୁଡ଼ିକ ଚାଲୁଥିଲେ ମଧ୍ୟ ସେଥିପ୍ରତି କାହାର ବି ଲଗାମ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ କିମ୍ବା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏନେଇ ସମ୍ବେଦନଶୀଳ ନୁହଁନ୍ତି। ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର କୋମଳମତୀ ଶିଶୁଙ୍କ ଜୀବନ ବାଜିରେ ଲାଗୁଛି। ଦୀର୍ଘ ବର୍ଷ ଧରି ଚାଲୁଥିବା ଏହି ବିଦ୍ୟାଳୟଗୁଡ଼ିକୁ ରାଜ୍ୟ ସରକାର ନିଜ ନିୟନ୍ତ୍ରଣ ମଧ୍ୟକୁ ଆଣିବାକୁ ନ୍ୟାସନାଲ ପ୍ୟାରେଣ୍ଟ ଫେଡେରେସନ୍ ସଭାପତି ଭୂମୋହନ ବେବର୍ତ୍ତା ପଟ୍ଟନାୟକ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଆୟୋଗର ମାମଲା ନଂ- ୩୧୯୪ରେ ପ୍ରାଥମିକ ଶୁଣାଣି କରି ଡିସେମ୍ବର ୧ ସୁଦ୍ଧା ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି।

ଫେଡେରେସନ୍ ସଭାପତି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ ଯେ ରାଜ୍ୟରେ ହଜାର ହଜାର ପ୍ଲେ ଏବଂ ନର୍ସରୀ ସ୍କୁଲ୍ ଚାଲୁଛି। ଯେଉଁଥିରେ ୩ରୁ ୫ ବର୍ଷ ବୟସର ଛୋଟ ପିଲା ପାଠ ପଢୁଛନ୍ତି। କିନ୍ତୁ କେତେ ସ୍କୁଲ୍ ଅଛି ଏବଂ କେତେ ପିଲା ପଢୁଛନ୍ତି ଏହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। କେଉଁଠି ଭଡ଼ା ଘରେ ପ୍ଲେ’ ସ୍କୁଲ ଖୋଲିଛି ତ ଆଉ କେଉଁଠି ଦୁଇ ମହଲା କୋଠା ଉପରେ। ନିୟମ ଅନୁଯାୟୀ କ୍ଲାସରୁମ୍‌ ନ ଥିବା ନଜରକୁ ଆସିଛି। କୋଠରିଗୁଡ଼ିକ ଛୋଟ ହେଉ ଅଥବା କୋଠା ଭଲ ନ ଥାଉ, ସୁରକ୍ଷା ନିରାପତ୍ତା ବ୍ୟବସ୍ଥା କ’ଣ ଅଛି ସେଥିପ୍ରତି କାହାର ଦୃଷ୍ଟି ନାହିଁ। ଯଦିଓ ଶିକ୍ଷା ଅଧିକାର ଆଇନ୍-୨୦୦୯ ଅନୁଯାୟୀ ୩ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କ ପାଠପଢ଼ା ରାଜ୍ୟ ସରକାରଙ୍କ ଦାୟିତ୍ୱ, ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଆଇନ୍-୨୦୧୩ ଏବଂ ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରଚଳନ ପରେ କେନ୍ଦ୍ର ସରକାର ପ୍ଲେ’ ସ୍କୁଲ ପରିଚାଳନା ପାଇଁ ଗାଇଡ୍‌ଲାଇନ୍ ଜାରି କରି ସାରିଛନ୍ତି। ତାହାକୁ ଭିତ୍ତି କରି ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ବେସରକାରୀ ପ୍ଲେ ଏବଂ ନର୍ସରୀ ସ୍କୁଲ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ୨୦୨୨ରେ ସ୍ୱତନ୍ତ୍ର ନୀୟମାବଳୀ ମଧ୍ୟ ଜାରି ହୋଇଛି। ସେହି ଆଧାରରେ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରି ତୁରନ୍ତ ଲାଗୁ କରିବାକୁ କୁହାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍‌ ଓ ଚିଠି ପରେ ବି ପ୍ଲେ’ ସ୍କୁଲ ଉପରେ ଲଗାମ ଲଗାଯାଇ ପାରୁ ନ ଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଗଣଶିକ୍ଷା ବିଭାଗର ତଥ୍ୟ ଦାଖଲ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe