ଆଉ କେତେ ହେଲେ ଚେତିବେ? ମେୟରଙ୍କ ସହ କଥାବାର୍ତ୍ତା-ହେବେ ସାଂସଦ

Advertisment
ଆଉ କେତେ ହେଲେ ଚେତିବେ? ମେୟରଙ୍କ ସହ କଥାବାର୍ତ୍ତା-ହେବେ ସାଂସଦ

ସ୍ମାର୍ଟସିଟି ମାନ୍ୟତା ପାଇଥିବା ଭୁବନେଶ୍ବର ନିଜକୁ ଦେଶର ବିକାଶଶୀଳ ଆଧୁନିକ ସହରଗୁଡ଼ିକ ଭିତରୁ ଗୋଟିଏ ବୋଲି ଦାବି କରୁଛି। ଐତିହ୍ୟପୂର୍ଣ୍ଣ ଏ ସହରରେ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଅନେକ କ୍ଷେତ୍ରରେ ସର୍ବନିମ୍ନ ସୁବିଧା ଏଯାଏ ଉପଲବ୍ଧ କରା ଯାଇପାରିନି। ଅସରାଏ ବର୍ଷାରେ ଡ୍ରେନ୍‌ପାଣିରେ ପିଲା ଭାସିଯିବା ଘଟଣା ବିଶ୍ବକପ୍‌ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରିଥିବା ଏ ସହରରେ ଘଟିପାରେ ବୋଲି ବାହାରର କେହି ହୁଏତ ଚିନ୍ତା ବି କରି ନପାରନ୍ତି; କିନ୍ତୁ ଦୁର୍ଗନ୍ଧ, ଜଳବନ୍ଦୀ ଓ ଜଳଯୋଗାଣ ବନ୍ଦ ଭିତରେ ରହୁଥିବା ଏ ସହରବାସୀ ଏଭଳି ଘଟଣା ବର୍ଷ ପରେ ବର୍ଷ ଦେଖି ଆସୁଛନ୍ତି।

ଭୁବନେଶ୍ୱର: ୨୦୨୧ ମସିହା ସେପ୍ଟେମ୍ବର ୧୯ ତାରିଖରେ ବରମୁଣ୍ଡା ଶତାବ୍ଦୀନଗର ଡ୍ରେନ୍‌ରେ ଭାସି ଯାଇ ୧୫ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ଓରଫ୍‌ ରାଜାଙ୍କର ମୃତ୍ୟୁ ହୋଇଥିଲା। ମୁକୁଳା ନଳାରେ ଭାସିବାର ୧୯ ଘଣ୍ଟା ପରେ ମୃତଦେହ ମିଳିଥିଲା। ଏହା ପରେ ତନାଘନା ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁନଥିବା ଡ୍ରେନ୍‌କୁ ସଂଯୋଗ କରିବା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ କରି ନଳା ସମ୍ପ୍ରସାରଣ ହେବାକୁ ଯୋଜନା ହୋଇଥିଲା। ହେଲେ ଅଘଟଣ କଥା କ୍ରମଶଃ ଭୁଲିଯିବା ପରେ ଏହି ଯୋଜନା ମଧ୍ୟ ପଛେଇଗଲା। ଫଳରେ ପୁଣି ମୁକୁଳା ଡ୍ରେନ୍‌ ଜୀବନ ନେଲା। ସତରେ ଆଉ କେତେ ହେଲେ ବିଏମ୍‌ସି ଚେତିବ?

୯ ବର୍ଷରେ ୬ ମୁଣ୍ଡ

୨୦୧୫ ମସିହାରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ୍‌ ନିକଟରେ ନାବାଳକ ପୁପୁନ୍ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା। ୨୦୧୮ରେ ପିଚୁପଡ଼ିଆ ବସ୍ତିର ହରି ପଟ୍ଟନାୟକ ଡ୍ରେନରେ ପଡ଼ି ମୃତ୍ୟୁବରଣ କରିଥିଲେ। ୨୦୨୦ରେ ନୂଆପଲ୍ଲୀ ଏକାମ୍ରଭିଲ୍ଲା ନଳାରେ ଜଣେ ବୃଦ୍ଧା ଭାସିଯାଇ ପ୍ରାଣ ହରାଇଥିଲେ। ୨୦୨୨ରେ ପତିତପାବନ ନଗରରେ ନଳାରେ ଭାସି ୪ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ୨୦୧୭ରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ଜଣ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଜଣେ ବୃଦ୍ଧା ଡ୍ରେନରେ ଭାସି ଆହତ ହୋଇଥିଲେ। ବିଶ୍ବକପ ହକି ପାଇଁ ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଡୁମୁଡୁମା ନିକଟରେ ଡ୍ରେନରେ ପଡ଼ି ଲହୁଲୁହାଣ ହୋଇଥିଲେ। ମରାମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଭୁବନେଶ୍ବରର ଭୋକିଲା ମୁକୁୂଳା ନଳା ଜୀବନ ନେଇ ଚାଲିଛି।

ଆଜି ଆସିବେ ରୁର୍‌କି ଆଇଆଇଟି ଟେକ୍ନିସିଆନ୍‌

publive-image

ଆଜି ଘଟଣାର ବିଏମ୍‌ସି ସମୀକ୍ଷା କରିଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସହରରେ ୧୦ଟି ମୁଖ୍ୟ ନାଳ ଏନ୍‌ଜିଟି ଆଦେଶ ଅନୁଯାୟୀ ମୁକୁଳା ରହିଛି। ତେବେ ଯେଉଁ ଜାଗାଗୁଡିକରେ ବସ୍ତି ରହୁଛି ସେଠାରେ ଉଚ୍ଚା ପାଚେରି ନିର୍ମାଣ ସହ ଉପରେ ଜାଲି କରିବାକୁ ଯୋଜନା ହୋଇଛି। ଘରୋଇ ଜମି ଅଧିଗ୍ରହଣରେ ମଧ୍ୟ ସମସ୍ୟା ଉପୁଜୁଛି। ଯଥାଶୀଘ୍ର ଏହାର ସମାଧାନ କରିବା ସହ ସହରର ଅନ୍ୟ ଅଞ୍ଚଳରେ ଥିବା ମୁକୁଳା ଡ୍ରେନ ଉପରେ ସ୍ଲାବ୍ ପକାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତାକାଲି ବା ବୁଧବାର ରୁର୍‌କିର ଆଇଆଇଟି ଟିମ୍ ଭୁବନେଶ୍ବର ଆସି ବିଏମ୍‌ସି ସହ ଆଲୋଚନା କରିବ। ସମସ୍ତ ଡ୍ରେନ୍ ସମସ୍ୟାର ସମାଧାନ ପାଇଁ ପ୍ରାୟ ୧୫ଶହ କୋଟି ଟଙ୍କା ବ୍ୟୟରେ ଦୀର୍ଘସ୍ଥାୟୀ ଯୋଜନା ହେବ। ସହରରେ ଥିବା ଡ୍ରେନ୍ ମଧ୍ୟରୁ କିଛି ବିଏମ୍‌ସି ସମେତ ପୂର୍ତ୍ତ, ଜାତୀୟ ରାଜପଥ ଓ ରେଳବାଇ ଅଧୀନରେ ଆସୁଥିବାରୁ ସେମାନଙ୍କୁ ଅବଗତ କରାଯିବ ବୋଲି ବିଏମସି କହିଛି।

ମେୟରଙ୍କ ସହ କଥାବାର୍ତ୍ତା-ହେବେ ସାଂସଦ

ଶିଶୁ ଭାସିଯିବା ଖବର ପାଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାତିରେ ମୃତକଙ୍କ ଘରେ ପହଞ୍ଚିଥିଲେ। ପରିବାରବର୍ଗଙ୍କ ସହ ଆଲେଚାନା କରି ସ‌ମବେଦନା ଜ୍ଞାପନ କରିଥିଲେ। କହିଥିଲେ, ‘‘ଗତବର୍ଷ ଓ ନିକଟ ଅତୀତରେ ମୁଁ ବିଏମ୍‌ସି ମେୟର ଓ କମସନରଙ୍କ ସହ ଏ ବାବଦରେ ଆଲୋଚନା କରିଥିଲି। ଭୁବନେଶ୍ବରରେ ଡ୍ରେନ୍‌ ଅତ୍ୟନ୍ତ ଭୟଙ୍କର ସ୍ଥିତିରେ ରହିଛି। ବିଏମ୍‌ସି ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରି ଏହାର ସମାଧାନ କରିବା କଥା। ରୋଡ୍‌ ମ୍ୟାପ୍‌ ମଧ୍ୟ ପ୍ରସ୍ତୁତ ହୋଇଛି। ହେଲେ କାର୍ଯ୍ୟକାରୀ ହେଉନି। ଆସନ୍ତାକାଲି ମେୟରଙ୍କ ସହ ଆଲୋଚନା କରିବି।’’

ଶୋକରେ ଡୁବିଲା କଲୋନି

‘‘କଲ୍‌ ମେରା ବେଟା ୟହିଁ ଖେଲ୍‌ ରହା ଥା’, ମୁଝ୍‌ସେ ବାତ୍‌ କର୍‌ ରହାଥା। ପର୍‌ ଆଜ୍‌ ଖୋ ଗୟା..(କାଲି ମୋ’ ପୁଅ ଏଇଠି ଖେଳୁଥିଲା, ମୋ’ ସହିତ କଥା ହେଉଥିଲା। କିନ୍ତୁ ଆଜି କୁଆଡ଼େ ହଜିଗଲା)’’ ଏଭଳି କହି ବିକଳରେ କାନ୍ଦୁଥିଲେ ମା’। ନିରୁପାୟ ବାପା ନିର୍ବାକ୍‌ ହୋଇ ଯାଇଥିଲେ, ପାଟିରୁ କଥା ବାହାରୁ ନଥିଲା। ହେଲେ ଆଖିରୁ ଅମାନିଆ ଲୁହ ଝରି ଚାଲିଥିଲା। ପୂରା ସାହିରେ ଶୋକର ବାତାବରଣ। ସମସ୍ତେଙ୍କ ମୁହଁରେ ଗୋଟିଏ କଥା ‘ଏ କ’ଣ ହେଇଗଲା...!’

publive-image
ଏମିତି ପରିବେଶ ଥିଲା ଖୋଲା ଡ୍ରେନ୍‌ରେ ଭାସି ଯାଇଥିବା ମୃତ ନାବାଳକ ଏସ୍‌କେ ରାଜେଶ(୯)ଙ୍କ ୟୁନିଟ୍‌ ୩ ସ୍ଥିତ ମସ୍‌ଜିଦ କଲୋନିରେ। ଲୋକେ କହୁଥିଲେ, ନାବାଳକ ଟିକିଏ ଆଗରୁ କୁଆଡ଼େ ମାଆ ରୁକସାନା ବିବିଙ୍କୁ ଖାଇବାକୁ ମାଗୁଥିଲେ। ହେଲେ ବର୍ଷା ଯୋଗୁଁ ଘର ଅସଜଡ଼ା ହୋଇଯାଇଥିବାରୁ ସେ ଟିକେ ଅପେକ୍ଷା କରିବାକୁ କହିଥିଲେ। ତେଣୁ ନାବାଳକ ପ୍ରାୟ ଅପରାହ୍ନ ୨ଟାରୁ ସାଢେ୨ ମଧ୍ୟରେ ନିଜର ଦୁଇଜଣ ସାଙ୍ଗଙ୍କ ସହ ବଲ୍‌ ଖେଳିବାକୁ ଚାଲି ଯାଇଥିଲେ। ଠିକ୍‌ ସେହି ସମୟରେ ଡ୍ରେନ୍‌ ପାଣିରେ କିଛି ବେଲୁନ ଭାସି ଆସୁଥିବାର ଦେଖି ନାବାଳକ ବେଲୁନ ଆଣିବାକୁ ଡ୍ରେନ୍‌ ଭିତରେ ପଶିଥିଲେ। କିନ୍ତୁ ଗୋଡ଼ ଖସି ଯିବାରୁ ସେ ଡ୍ରେନ୍‌ ଭିତରେ ପଡ଼ି ଯାଇଥିଲେ। ସେହି ସମୟରେ ଡ୍ରେନ୍‌ରେ ପ୍ରାୟ ୪ଫୁଟ ଉଚ୍ଚର ପାଣି ଚାଲିଥିଲା। ସେଇ ସ୍ରୋତ କ୍ଷଣିକ ମଧ୍ୟରେ ନାବାଳକଙ୍କୁ ଭସାଇ ନେଇଥିଲା ଦୂରକୁ। ସେ ଭାସି ଯାଉଥିବାର ଦେଖି ତାଙ୍କ ସାଙ୍ଗମାନେ ପାଟି କରିଥିଲେ। ଫଳରେ ତାଙ୍କ ଦାଦା ଏସ୍‌କେ ଜେରି, ତାଙ୍କ ବାପା ଓ ବସ୍ତିର କିଛି ଲୋକ ଆସି ଡ୍ରେନ୍‌ରେ ପଶି ତାଙ୍କୁ ଖୋଜାଖୋଜି କରିଥିଲେ। ଲୋକଙ୍କ କହିବା ଅନୁଯାୟୀ ଅଗ୍ନିଶମ ବାହିନୀ ପାଖାପାଖି ଅଧଘଣ୍ଟା ବିଳମ୍ୱରେ ଆସିଥିଲା। ପ୍ରାୟ ଦେଢ଼ରୁ ୨ ଘଣ୍ଟା ଧରି ଖୋଜାଖୋଜି ଜାରି ରହିବା ପରେ ପାଣିର ସ୍ରୋତ କମିବା ପରେ ଲକ୍ଷ୍ମୀସାଗର ଓସ୍କାର ସିଟି ଡ୍ରେନ ନିକଟରୁ ପିଲାଟିକୁ ଚେତାଶୂନ୍ୟ ଅବସ୍ଥାରେ ଦାଦା ଉଦ୍ଧାର କରି ଅଗ୍ନିଶମ କର୍ମଚାରୀଙ୍କୁ ଦେଇଥିଲେ।

ବସ୍ତି ପାଇଁ କାଳଦିନ

ବସ୍ତିର ଏକାଧିକ ଲୋକ ଯାହା କହିଲେ, ତା’ର ସାରାଂଶ ଏମିତି ହେବ- ‘‘ପର୍ବ ପାଇଁ ସମସ୍ତେ ଖୁସି ଥିଲେ। କିନ୍ତୁ ଏହି ଖୁସି ଯେ ଅଳ୍ପ ସମୟ ମଧ୍ୟରେ ଏତେ ବଡ଼ ଦୁଃଖ ଦେଇଯିବ ଜାଣି ନଥିଲୁ। ଆଖି ଆଗରେ ପିଲାଟି ଖେଳୁଥିଲା, ବୁଲୁଥିଲା। କିନ୍ତୁ ହଠାତ୍‌ ଏହି ଘଟଣା ଆମକୁ ଅବାକ୍‌ କରିଦେଇଛି। ପୂର୍ବରୁ ବର୍ଷାହେଲେ ଘର ଛାରଖାର ହୋଇଯିବ ବୋଲି ଡର ଲାଗୁଥିଲା, କିନ୍ତୁ ବର୍ତ୍ତମାନ ବର୍ଷା ଆସିଲେ କାଳେ ଏକ ମୁଣ୍ଡ ପଳେଇବ ବୋଲି ଡର ଲାଗୁଛି...।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe