କେତେଥର ଜଳିଲେ ଚେତିବେ? ୧ ନମ୍ବର

୧ ନମ୍ବର(ୟୁନିଟ୍-୧) ହାଟ ରାଜଧାନୀର ସବୁଠୁ ଜନଗହଳିପୂର୍ଣ୍ଣ ହାଟ। ତିନିଜିଲ୍ଲାର ବେପାରୀ ତାଜା ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ବେପାର କରି ଆସୁଛନ୍ତି। ଇତିମଧ୍ୟରେ ବହୁବାର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିଲାଣି ଏବଂ ଶହ ଶହ ଦୋକାନୀ ସର୍ବସ୍ବାନ୍ତ ହୋଇସାରିଲେଣି।

sfhsfhfhxvb

ଭୁବନେଶ୍ୱର: ୧ ନମ୍ବର(ୟୁନିଟ୍-୧) ହାଟ ରାଜଧାନୀର ସବୁଠୁ ଜନଗହଳିପୂର୍ଣ୍ଣ ହାଟ। ତିନିଜିଲ୍ଲାର ବେପାରୀ ତାଜା ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ବେପାର କରି ଆସୁଛନ୍ତି। ଇତିମଧ୍ୟରେ ବହୁବାର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିଲାଣି ଏବଂ ଶହ ଶହ ଦୋକାନୀ ସର୍ବସ୍ବାନ୍ତ ହୋଇସାରିଲେଣି। ତଥାପି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ନିଦ ଭାଙ୍ଗିନି। ୧ ନମ୍ବର ହାଟରେ ୨୮୩୯ଜଣ ବ୍ୟବସାୟ କରୁଛନ୍ତି, ଯେଉଁଥିରେ ଖୁଚୁରା ବେପାରୀ ୧୪୫୦ଜଣ ଓ ପାଇକାରୀ ବ୍ୟବସାୟୀ ୫୦ଜଣ। ହାଟରେ ଏବେ ବି ଦୋକାନକୁ ଦୋକାନ ଲାଗି ବେପାର ହେଉଛି। ଯାହା ସବୁଠୁ ବଡ଼ ବିପଦ। ଦୋକାନୀମାନେ ପୂର୍ବଭଳି ଜରିପାଲ ଟାଣି ବ୍ୟବସାୟ କରୁଛନ୍ତି। ଦୋକାନର ବିକ୍ରି ସାମଗ୍ରୀ ରାସ୍ତାରେ ରଖାଯାଉଛି। ପୂର୍ବରୁ ହାଟର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥ ସଂକୁଚିତ ଅଛି। ଦୋକାନ ସାମଗ୍ରୀ ରାସ୍ତାକୁ ଅବରୋଧ କରିବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ଏଭଳି ଚକ୍ରବ୍ୟୂହ ଭିତରେ ଦୋକାନୀମାନେ ଅଛନ୍ତି ଯେ ଯଦି ହାଟ ମଝିରେ କୌଣସି ଦୋକାନରେ ନିଆଁ ଲାଗିଲା, ସବୁ ଦୋକାନ ବିପଦକୁ ଠେଲି ହୋଇଯିବ। ଯାହାର ପ୍ରତିଫଳନ ଗତ ୨୨ ତାରିଖରେ ଦେଖିବାକୁ ମିଳିଥିଲା। ୪୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ଗାଡ଼ି ପଶି ନ ପାରିବାରୁ ବାହାରେ ରହି ପାଇପ୍‌ରେ ପାଣି ପକାଇ ନିଆଁ ଲିଭା ଯାଇଥିଲା। ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଅନେକ ବଡ଼ ଅଗ୍ନିକାଣ୍ଡ ଏଠାରେ ଘଟିଛି। ୨୦୦୭ ମସିହାରେ ସବୁଠାରୁ ବଡ଼ ଅଗ୍ନିକାଣ୍ଡ ଘଟିଥିଲା।

ଶତାଧିକ ଦୋକାନ ଜଳି ଯାଇଥିଲା। ଏହା ପରେ ପରେ ବିଏମ୍‌ସି ୨୦୧୪ ମସିହାରେ ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସର ନିର୍ମାଣ ପାଇଁ ଯୋଜନା କରିଥିଲା। ଏହି ଯୋଜନା ୧୧ ବର୍ଷ ହେଲାଣି ନାଲିଫିତା ତଳେ ଚାପି ହୋଇରହିଛି। ସେପଟେ ୧ ନମ୍ବର ହାଟର ପାଇକାରୀ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପାତ୍ରପଡ଼ା ଭଗବାନପୁରରେ ୧୦ ଏକର ଜାଗା ବିଏମ୍‌ସିକୁ ଦେଇଥିଲେ ବି ଅଦ୍ୟାବଧି ଏହା ଝୁଲି ରହିଛି। ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି, ଆମେ ବହୁଦିନରୁ ସଂକୁଚିତ ରାସ୍ତା ଓ ଅନ୍ୟାନ୍ୟ ଅବ୍ୟବସ୍ଥା ସଂପର୍କରେ ବିଏମ୍‌ସିକୁ ଅବଗତ କରିଛୁ। ଦୋକାନୀମାନେ ଦୋକାନ ସାମଗ୍ରୀ ରାସ୍ତା ଉପରେ ରଖୁଥିବାରୁ ରାସ୍ତା ଅବରୋଧ ହେଉଛି। ଏଣୁ ହାଟର ସବୁ ରାସ୍ତା ୨୦ ଫୁଟିଆ କରିବା ଦାବି କରି ଆସୁଛୁ। ୧ ନମ୍ବର ହାଟରେ ଯେଉଁମାନଙ୍କୁ ଯେଉଁ ସ୍ଥାନରେ ଯେଉଁ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା, ସେହି ସ୍ଥାନରେ ସେହି ଦୋକାନ ଖୋଲିବା ଦିଗରେ ପଦକ୍ଷେପ ନେବାକୁ କହି ଆସୁଛୁ। କିନ୍ତୁ ଏଠି ପରିବା ଦୋକାନ ଜାଗାରେ ହୋଟେଲ, ଜଳଖିଆ ଦୋକାନ, ହୋଟେଲ ଜାଗାରେ ଗ୍ରୋସରି ଦୋକାନ ଆଦି ଖୋଲିଛି। ପୂର୍ବ ଭଳି ଦୋକାନଗୁଡ଼ିକ ଲାଗି ଲାଗି ହୋଇ ରହିଛି। କୌଣସି ବଡ଼ ଅଘଟଣ ପୂର୍ବରୁ ଏ ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରି ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe