image source-nayalook.com
ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟର ଗିରଫଦାରୀରୁ କମିସନରେଟ୍ ପୁଲିସ୍ର ଆରମ୍ଭ ହୋଇଥିବା ଏହି ଅଭିଯାନକୁ ରାଜଧାନୀବାସୀ ପ୍ରଶଂସା କରୁଥିବା ବେଳେ ପୁଲିସ୍ ପାଇଁ ଏବେ ନୂଆ ସମସ୍ୟା ମୁଣ୍ଡ ଟେକିଛି। କିଛି କ୍ଷେତ୍ରରେ ପୁଲିସ୍ ଇଚ୍ଛା କରି ସୁଦ୍ଧା ‘ଦାଦା’ଙ୍କୁ ଗିରଫ କରିପାରୁନାହିଁ। ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ଭୁବନେଶ୍ବର ଓ ଉପକଣ୍ଠରେ ଜମି କିଣାବିକା ଓ ଘର କରିବା ବେଳେ ଲୋକେ ‘ଦାଦା’ଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ସେମାନେ ସିଧାସଳଖ ଜମି ମାଲିକଙ୍କୁ ଦାଦାବଟି ମାଗୁଥିବାରୁ, ସେ କ୍ଷେତ୍ରରେ ପୁଲିସ୍ କଠୋର୍ କାର୍ଯ୍ୟାନୁଷ୍ଠାନ ନେଉଛି।
କିନ୍ତୁ ଆଉ ଗୋଟିଏ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ଜମି ମାଲିକଙ୍କୁ ସିଧାସଳଖ ଦାଦାବଟି ମାଗୁନାହାନ୍ତି। ସେମାନେ ଖାଲି ଥିବା ଜାଗାରେ କୁଡ଼ିଆ କରି ଜମିକୁ ଜବରଦଖଲ କରୁଛନ୍ତି। ଏପରିକି ଜାଲ ଜମିପଟା ମଧ୍ୟ ତିଆରି କରିଦେଉଛନ୍ତି। ଜମି ମାଲିକ ଏ ବିଷୟରେ ଜାଣିବା ପରେ ହଟାଇବାକୁ ଉଦ୍ୟମ କଲେ ସେମାନେ ସହଜରେ ଜାଗା ଛାଡ଼ୁ ନାହାନ୍ତି। ଜବରଦଖଲ ଛାଡ଼ିବା ପାଇଁ ସେମାନେ ଜମି ମାଲିକଙ୍କୁ ମୋଟା ଅଙ୍କର ବଟି ମାଗୁଛନ୍ତି। ଏ ସଂପର୍କରେ ଜମି ମାଲିକ ଥାନାରେ ଅଭିଯୋଗ କଲେ ମଧ୍ୟ ଦେୱାନୀ ମାମଲା ହୋଇଥିବାରୁ ପୁଲିସ୍ କିଛି ପଦକ୍ଷେପ ଗ୍ରହଣ କରିପାରୁନାହିଁ। ଜମି ଜବରଦଖଲ ହଟାଇବା ପାଇଁ କୋର୍ଟଙ୍କ ଆଦେଶ ଆବଶ୍ୟକ ହୋଇଥାଏ। ଏହିଭଳି ଘଟଣାରେ ‘ଦାଦା’ଙ୍କ ହାତ ଥିବା ପୁଲିସ୍ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇପାରୁନାହିଁ।
ତେବେ ଏଭଳି ମାମଲାଗୁଡ଼ିକର କେମିତି ମୁକାବିଲା କରାଯିବ ତଥା ଜବରଦଖଲକାରୀ ‘ଦାଦା’ଙ୍କୁ ହଟାଯିବ, ସେ ନେଇ ପୁଲିସ୍ ମାନସ ମନ୍ଥନ ଚଳାଇଛି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
Follow Us