Representative image
ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ରାଜ୍ୟ ସରକାର ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା ନ କରାଇବାକୁ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଛନ୍ତି। ଜେଇଇ ମେନ ଓ ନିଟ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବରରେ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଭଳି ସମୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଗୋଟିଏ ପଟେ କରୋନା ସମୟରେ ପରୀକ୍ଷା ନ କରାଇବାକୁ ରାଜ୍ୟ ସରକାର ଯୁକ୍ତି ଦର୍ଶାଉଥିବା ବେଳେ ଅନ୍ୟପଟେ କିଭଳି ପରିସ୍ଥିତିରେ ପିଜି ନାମଲେଖା ପାଇଁ ସେପ୍ଟେମ୍ବରରେ ଏକକ ପ୍ରବେଶିକା ପରୀକ୍ଷା(ଏଣ୍ଟ୍ରାନ୍ସ) କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଶିକ୍ଷାବର୍ଷ ବିଳମ୍ବ ହୋଇଥିବାରୁ ଓ କରୋନା ମହାମାରୀରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ନ କରାଇବା ଲାଗି ଅଭିଭାବକମାନେ ଦାବି କରିଛନ୍ତି। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ପ୍ରବେଶିକା ପରୀକ୍ଷା କରାଯିବ। ହେଲେ ସେଠାରେ କିଭଳି ସାମାଜିକ ଦୂରତା ରହିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ତେଣୁ ଏଭଳି ସମୟରେ କିଭଳି ପିଜି ଏଣ୍ଟ୍ରାନ୍ସ ହେବ ତାହା ଏବେ ଚିନ୍ତାର ବିଷୟ। ମିଳିଥିବା ସୂଚନା ଅନୁଯାୟୀ ଗତ ୧୨ ତାରିଖଠାରୁ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍ଲାଇନ୍ରେ ଆବେଦନ ଆରମ୍ଭ ହୋଇଛି। ଏବେ ସୁଦ୍ଧା ୪୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୩୭ ହଜାର ୪୩୦ ଜଣ ଆବେଦନ କରିସାରିଛନ୍ତି। ମୋଟ ୩୨ ହଜାର ୪୨୩ ଜଣ ଫି’ ଦାଖଲ କରିଛନ୍ତି। କରୋନା ସ୍ଥିତି ଉଦ୍ବେଗଜନକ ଥିବାବେଳେ କିଛି ସ୍ଥାନରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବହୁ ଛାତ୍ରଛାତ୍ରୀ ସାଇବର କାଫେ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରୁ ନଥିବା ଅଭିଯୋଗ ହୋଇଛି।
Follow Us