ନୟାପଲ୍ଲୀ ଥାନାରେ ପୁଲିସ ନିର୍ଯାତନା: ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ

ନେତାଜୀ ବସ୍ ଟର୍ମିନାଲ୍‌ ପାଖ ୧୫ ଗୁଣ୍ଠ ଜମି ସିଏମ୍‌ସି ଦଖଲକୁ ଫେରିବ

orissahighcourt.nic.in

କଟକ: ନୟାପଲ୍ଲୀ ଥାନାରେ ପୁଲିସ ନିର୍ଯାତନାର ଶିକାର ଦୁଇ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ମାନବାଧିକାର କମିସନ୍ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନୟାପଲ୍ଲୀ ଥାନାର ତତ୍କାଳୀନ ସବ୍ଇନ୍ସପେକ୍ଟର ସସ୍ମିତା ଧଳଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାର, ପୁଲିସ କମିସନର, ଭୁବନେଶ୍ବର ଡିସିପି, ମାନବାଧିକାର କମିସନ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ୮ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ୨୦୨୦, ଫେବ୍ରୁଆରି ୨୬ରେ ମାନବାଧିକାର କମିସନ୍ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୮, ମେ ୬ରେ ନାୟାପଲ୍ଲୀ ଥାନାରେ ସ୍ଥାନୀୟ ନୀଳକଣ୍ଠନଗରର ଦୁଇ ଭଉଣୀଙ୍କୁ ବେଆଇନ ଭାବେ ଅଟକ ରଖାଯିବା ସହିତ ପୁଲିସ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର ଦାସ ଓ ପ୍ରଦୀପ୍ତ ନାୟକ ପୃଥକ ଭାବେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। ଏହାପରେ ପୀଡିତାଙ୍କ ପକ୍ଷରୁ ମଧ୍ୟ କମିସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ତତ୍କାଳୀନ ନୟାପଲ୍ଲୀ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ, ଦୁଇ ମହିଳା ସବ୍‌ଇନ୍ସପେକ୍ଟର ସସ୍ମିତା ଧଳ ଓ ମିନତୀ ନାୟକ ୨୦୧୮, ମେ୬ରେ ପୀଡିତାଙ୍କୁ ଥାନା‌କୁ ଆଣି ନିର୍ଯାତନା ଦେଇଥିବା ଅଭିଯୋଗରେ ସତ୍ୟତା ରହିଛି ବୋଲି ଭୁବନେଶ୍ବର ଅତିରିକ୍ତ ଡିସିପି ଦାଖଲ କରିଥିବା ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏ ନେଇ ଭୁବନେଶ୍ବର ଡିସିପିଙ୍କ ପକ୍ଷରୁ ୨୦୧୮, ମେ ୧୮ରେ କମିସନରଙ୍କୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ କର୍ତ୍ତବ୍ୟରେ ଅବହେଳା ପାଇଁ ତତ୍କାଳୀନ ନୟାପଲ୍ଲୀ ଥାନା ଆଇଆଇସି ଓ ଦୁଇ ଏସ୍‌ଆଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅତିରିକ୍ତ ପୁଲିସ କମିସନର ୨୦୧୮, ଅଗଷ୍ଟ ୧୬ରେ କମିସନଙ୍କୁ ଅବଗତ କରିଥିଲେ ଯେ ଏହି ତିନି ପୁଲିସ ଅଧିକାରୀଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା ସହିତ ନୟାପଲ୍ଲୀ ଥାନାରେ ଏ ନେଇ ମାମଲା ରୁଜୁ କରାଯାଇଛି। କମିସନଙ୍କ ନିକଟରେ ତିନି ଅଧିକାରୀ ନିଜ ପକ୍ଷ ରଖି କହିଥିଲେ ଯେ ସଂପୃକ୍ତ ଯୁବତୀଙ୍କୁ ଅଦାଲତରେ ହାଜର କରାଯିବା ବେଳେ ସେମାନେ ପୁଲିସ ଥାନାରେ ନିର୍ଯାତନା ନେଇ କୌଣସି ଅଭିଯୋଗ କରି ନଥିଲେ। ସେମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ପୁଲିସ ଅଧିକାରୀମନେ ଦର୍ଶାଇଥଲେ। କମିସନ ମାମଲାର ଚୂଡାନ୍ତ ଶୁଣାଣି କରି ଦାଖଲ ରିପୋର୍ଟ ଓ ତଥ୍ୟ ପ୍ରମାଣରୁ ପୀଡିତାଙ୍କ ସମ୍ମାନର ସହିତ ବଞ୍ଚିବା ପାଇଁ ଥିବା ଅଧିକାର ଉଲ୍ଲଂଘନ ହୋଇଛି ବୋଲି ରାୟ ଦେଇଥିଲେ। ମାନବାଧିକାର ଉଲ୍ଲଂଘନ ହୋଇଥିବା ଦୁଇ ପୀଡିତାଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ ପାଇଁ କମିସନ୍ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe