ହାଇକୋର୍ଟରେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ୨୩ରେ ହେବ ପୂର୍ଣ୍ଣାଙ୍ଗ ଶୁଣାଣି

Advertisment
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରୁଜୁ ଦୁଇ ମାମଲାର ଏପ୍ରିଲ ୨୩ରେ ଚୂଡ଼ାନ୍ତ ଶୁଣାଣି ହେବ। ଆଜି ଜଷ୍ଟିସ୍‌ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରସଂଗରେ ମଧ୍ୟ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ୨୦୨୦, ଡିସେମ୍ବର ୩୧ରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ସଂପର୍କିତ ସବିଶେଷ ତଥ୍ୟ ରହିଥିବା ଗତ ଥର ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏହାପରେ ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଏପ୍ରିଲ ୨୩କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାସ, ବାପା ନନ୍ଦକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ପ୍ରଥମେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ପରବର୍ତ୍ତୀ ସମୟରେ ପିପୁଲ୍‌ ଫର୍‌ ସେବା ଅନୁଷ୍ଠାନର ଏମ୍‌.ବେହେରାଙ୍କ ପକ୍ଷରୁ ମଧ୍ୟ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଯାଇ ପୃଥକ ମାମଲା ଦାୟର କରାଯାଇଥିଲା। ଆଦିତ୍ୟଙ୍କୁ ହତ୍ୟା ଅଭିଯୋଗ ନେଇ ଜିଆର୍‌ପି ଥାନାରେ ରୁଜୁ ଅଭିଯୋଗ ସହିତ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଏ ନେଇ ଦାୟର କରିଥିବା ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଏହି ଆବେଦନରେ ଦର୍ଶାଯାଇଥିଲା। ଉଭୟ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ପଦ୍ମାଳୟା ଦାସ ଓ ଅନ୍ୟମାନଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଓ ଏମ.ବେହେରାଙ୍କ ପକ୍ଷରୁ ଆଇନଜୀବୀ ନିହାର ରଂଜନ ଓଝା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe