ଭୁବନେଶ୍ବର: ଆଇକୋର ଗ୍ରୁପ ଚିଟଫଣ୍ଡ ଠକେଇ ଘଟଣାରେ ସିବିଆଇ ଆଜି ଅନ୍ୟ ଜଣେ ଅଭିଯୁକ୍ତକୁ କୋଲକାତାରୁ ଗିରଫ କରିଛି। ସେ ହେଉଛନ୍ତି ସାମ୍ବାଦିକ ସୁମନ ଚଟ୍ଟୋପାଧାୟ। ସେ ପଶ୍ଚିମବଙ୍ଗର ଜଣେ ଜଣାଶୁଣା ସାମ୍ବାଦିକ। ଆସନ୍ତାକାଲି ତାଙ୍କୁ କୋଲାକାତା କୋର୍ଟରେ ହାଜର କରାଯିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯିବ। ଆଇକୋର ଚିଟଫଣ୍ଡ ସଂସ୍ଥା ବିରୋଧରେ ୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ସଂସ୍ଥାର ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟରେ ଶାଖା ଥିଲା। ଜମାକାରୀଙ୍କୁ ଅଧିକ ସୁଧ ଦେବା ଲୋଭ ଦେଖାଇ ଆଇକୋର ଚିଟଫଣ୍ଡ ସଂସ୍ଥା ଏଭଳି ଠକେଇ କରିଥିଲା। ସଂସ୍ଥା ପକ୍ଷରୁ ଏକ ଗଣମାଧ୍ୟମ ସଂସ୍ଥା ମଧ୍ୟ ଖୋଲା ଯାଇଥିଲା। ଏହି ଗଣମାଧ୍ୟମର ମୁଖ୍ୟ ଭାବେ କାମ କରୁଥିଲେ ସୁମନ। ସୁମନଙ୍କ ଆକାଉଣ୍ଟକୁ ଆଇ କୋର କମ୍ପାନିରୁ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ସିବିଆଇ ଜାଣିବା ପରେ ତାଙ୍କୁ ଗିରଫ କରିବାକୁ ଜାଲ ବିଛା ଯାଇଥିଲା। ଏଠାରେ ପ୍ରକାଶଥାଉକି, ଆଇକୋର ଚିଟଫଣ୍ଡ ସଂସ୍ଥା ୨୦୦୭ରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଏଠାରେ ମଧ୍ୟ ଜମାକାରୀମାନେ ଠକେଇର ଶିକାର ହୋଇଛନ୍ତି। ଏ ନେଇ ଜମାକାରୀମାନେ ପ୍ରଥମେ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ପରେ ୨୦୧୨ ମସିହାରେ ସଂସ୍ଥାରେ ତାଲା ଝୁଲିଥିଲା। ସଂସ୍ଥାର ଅଧିକାରୀମାନେ କେଉଁ ଆଡେ ଫେରାର ହୋଇ ଯାଇଥିଲେ। ପରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।
ଆଇ-କୋର ଚିଟଫଣ୍ଡ ଠକେଇ
Advertisment
Follow Us