ଭୁବନେଶ୍ବର: ଭିଜିଲାନ୍ସ ପରେ କ୍ରାଇମବ୍ରାଞ୍ଚ ଆଗରେ ସତ ଉଗାରିଛି ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକ। ସେ ଟାଟା ମୋଟର୍ସର କର୍ମଚାରୀ ନ ଥିଲା ବୋଲି ଆଜି ତଦନ୍ତକାରୀ ଟିମ୍ ଆଗରେ କହିଛି। ନକଲି ଅଫିସ ଖୋଲି ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମୂଳ ଲକ୍ଷ୍ୟ ଥିଲା ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏହି ଠକେଇ ସିଣ୍ଡିକେଟ୍ରେ ଆକାଶଙ୍କ ଭାବୀ ଶ୍ବଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପରବର୍ତ୍ତୀ ସମୟରେ ଯୋଡ଼ି ହୋଇଥିଲେ। ଏହା ପରେ ପ୍ରଦୀପଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ପୂର୍ବତନ କଲେଜ ଅଧ୍ୟକ୍ଷ ଭି. ସର୍ବେଶ୍ବର ରାଓ ସାମିଲ ହୋଇଥିଲେ। ଠକେଇ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟ ଲାଗିଛି। କିନ୍ତୁ ତଦନ୍ତ ସେଭଳି ଭାବେ ଆଗକୁ ବଢ଼ି ପାରୁନାହିଁ। ବ୍ରହ୍ମପୁରରେ ଏକ ଟିମ୍ ଛାନଭିନ୍ ଜାରି ରଖିଥିବା ବେଳେ ସର୍ବେଶ୍ବରଙ୍କର ପତ୍ତା ମିଳୁନି। ଗତ ୧୧ ତାରିଖରେ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ଆସନ୍ତାକାଲି (ମଙ୍ଗଳବାର) ଅବଧି ଶେଷ ହେଉଛି। ବୁଧବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଭିଜିଲାନ୍ସ ରିମାଣ୍ଡରେ ଥିବା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରିନଥିବା ମାନିଥିଲେ।
କ୍ରାଇମବ୍ରାଞ୍ଚ ଆଗରେ ମାନିଲା ଆକାଶ: ମୁଁ ଟାଟାରେ ଚାକିରି କରି ନ ଥିଲି
Advertisment
Follow Us