Advertisment

ICU: ଅସ୍ତବ୍ୟସ୍ତ କରୁଛି ଆଇସିୟୁ ଚିନ୍ତା: ଅଧରାତିରେ ରୋଗୀ କଲବଲ

Advertisment

ରାଜଧାନୀର ସୀମା ସରହଦ ଦ୍ରୁତବେଗରେ ବଢ଼ିଚାଲିଛି। ସମାନ୍ତରାଳ ଭାବେ ରାଜଧାନୀର ବର୍ଦ୍ଧିତ ଜନସଂଖ୍ୟା କ୍ୟାପିଟାଲ ହସ୍ପିଟାଲ୍‌ ଉପରେ ଚାପ ବଢ଼ାଇ ଚାଲିଛି। ଏଠାରେ ସୁପରସ୍ପେସାଲିଟି ବିଭାଗର ଓପିଡି ଖୋଲିବା ପରେ ଏବଂ ହସ୍ପିଟାଲ୍‌ ପିଜି....

ରାଜଧାନୀର ସୀମା ସରହଦ ଦ୍ରୁତବେଗରେ ବଢ଼ିଚାଲିଛି। ସମାନ୍ତରାଳ ଭାବେ ରାଜଧାନୀର ବର୍ଦ୍ଧିତ ଜନସଂଖ୍ୟା କ୍ୟାପିଟାଲ ହସ୍ପିଟାଲ୍‌ ଉପରେ ଚାପ ବଢ଼ାଇ ଚାଲିଛି। ଏଠାରେ ସୁପରସ୍ପେସାଲିଟି ବିଭାଗର ଓପିଡି ଖୋଲିବା ପରେ ଏବଂ ହସ୍ପିଟାଲ୍‌ ପିଜି....

icu

ଭୁବନେଶ୍ବର: ରାଜଧାନୀର ସୀମା ସରହଦ ଦ୍ରୁତବେଗରେ ବଢ଼ିଚାଲିଛି। ସମାନ୍ତରାଳ ଭାବେ ରାଜଧାନୀର ବର୍ଦ୍ଧିତ ଜନସଂଖ୍ୟା କ୍ୟାପିଟାଲ ହସ୍ପିଟାଲ୍‌ ଉପରେ ଚାପ ବଢ଼ାଇ ଚାଲିଛି। ଏଠାରେ ସୁପରସ୍ପେସାଲିଟି ବିଭାଗର ଓପିଡି ଖୋଲିବା ପରେ ଏବଂ ହସ୍ପିଟାଲ୍‌ ପିଜି ଇନ୍‌ଷ୍ଟିଚ୍ୟୁଟ୍ ହେବା ପରେ ଏଠାକୁ ରୋଗୀ ଆସିବା ବଢ଼ିଯାଇଛି। ଦୈନିକ ୪ହଜାରରୁ ଅଧିକ ରୋଗୀ ଏହି ହସ୍ପିଟାଲ୍‌କୁ ଆସି ଚିକିତ୍ସିତ ହେଉଛନ୍ତି। ତେଣୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ବିକାଶ ବେଶ୍‌ ଆଗେଇ ଚାଲିଛି ବୋଲି କୁହାଯାଉଛି। କିନ୍ତୁ ଏଠାରେ ମଧ୍ୟ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳେ। 

ପାଖାପାଖି ୨୫ ଲକ୍ଷ ଲୋକ ବାସ କରୁଥିବା ରାଜ୍ୟ ରାଜଧାନୀର ସବୁଠୁ ବଡ଼ ସରକାରୀ ହସ୍ପିଟାଲ୍‌ ହୋଇ ମଧ୍ୟ ଏଠାରେ ଥିବା ଆଇସିୟୁ ଅଭାବ ଦୂର ହୋଇପାରିନାହିଁ। ରାତିଅଧରେ ଅଚାନକ ଆଇସିୟୁ ଆବଶ୍ୟକ କରୁଥିବା କେହି ଗୁରୁତର ରୋଗୀ ଆସିଲେ, କଲବଲ ହେବା ସାର। ଏଭଳି ସ୍ଥିତି ଯିଏ ଭୋଗିଛି, ସେ ହିଁ କହିପାରିବ, ଆଇସିୟୁ ପାଇଁ ରାତିଅଧରେ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼େ। ସେଭଳି ରୋଗୀକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଫେରାଇବା ପରେ ରୋଗୀ ଆମ୍ବୁଲାନ୍‌ସରେ ଛଟପଟ ହେଉଥାଏ ଏବଂ ସମ୍ପର୍କୀୟମାନେ ଘରୋଇ ହସ୍ପିଟାଲ୍‌ ଦୁଆରକୁ ଧାଇଁବା ଆରମ୍ଭ କରିଦିଅନ୍ତି। ତେଣୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଆଇସିୟୁ ଅଭାବ ଆଉ କେତେ ଦିନ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରିବ, ତାହା ପ୍ରଶ୍ନବାଚୀ ହୋଇ ରହିଛି।   

ଏବେ ଏହି ହସ୍ପିଟାଲ୍‌ରେ ଶଯ୍ୟା ସଂଖ୍ୟ‌ା ୧୦୦୦ ଛୁଇଁଛି। ଏହା ଏକ ଗୁରୁତ୍ବପୂର୍ଣ୍ଣ କଥା। କିନ୍ତୁ ଆଇସିୟୁ ସଂଖ୍ୟା ମାତ୍ର ୧୪। ଏହି ୧୪ଟି ଆଇସିୟୁ ମଧ୍ୟରୁ ୪ଟି ହୃଦ୍‌ରୋଗ ବିଭାଗ ପାଇଁ ରହିଛି। ସ୍ତ୍ରୀ ଓ ପ୍ରସୂତି ବିଭାଗ, ସର୍ଜରି, ଅସ୍ଥିଶଲ୍ୟ ବିଭାଗ ପାଇଁ ମାତ୍ର ଗୋଟିଏ ଲେଖାଏଁ ଆଇସିୟୁ ରହିଛି। ଅନ୍ୟାନ୍ୟ ବିଭାଗ ବା ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ୮ଟି ଆଇସିୟୁ ସଂରକ୍ଷିତ ରଖିଛି। ଏତେ କମ୍‌ ସଂଖ୍ୟକ ଆଇସିୟୁ ଥିବାରୁ ଖୁବ୍‌ କମ୍‌ ସମୟରେ ଫାଙ୍କା ରହୁଛି। ତେଣୁ ଆଇସିୟୁ ନଥିବା କହି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ରୋଗୀମାନଙ୍କୁ ଅନ୍ୟତ୍ର ରେଫର୍‌ କରୁଛନ୍ତି। ସମ୍ପ୍ରତି ରାଜଧାନୀରେ ବହୁ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ୍‌ ରହିଛି। ସେମାନଙ୍କ ନିକଟରେ ବି ଶତାଧିକ ଆଇସିୟୁ ଅଛି। ମାତ୍ର ରାତିଅଧିଆ ସମସ୍ୟା ବେଳେ ସେସବୁ ଆଇସିୟୁ ଫାଙ୍କା ନଥାଏ। ରୋଗୀ ସମ୍ପର୍କୀୟଙ୍କ ଲମ୍ବା ପହଞ୍ଚ ଥିଲେ, କଥା ଅଲଗା। ନଚେତ ଭାଗ୍ୟକୁ ଆଦରିବା ଶେଷ କଥା। 

କ୍ୟାପିଟାଲ ହସ୍ପିଟାଲ୍‌ରେ ଆଇସିୟୁ ସଂଖ୍ୟା ବୃଦ୍ଧିକରିବା ପାଇଁ ବହୁ ଥର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ରୋଗୀକଲ୍ୟାଣ ସମିତି ବୈଠକରେ ମଧ୍ୟ ଏନେଇ ବାରମ୍ବାର ଆଲୋଚନା କରାଯାଇଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ କହିବା କଥା, ଗୁରୁତର ରୋଗୀଙ୍କ ପାଇଁ ଜରୁରିକାଳୀନ ବିଭାଗରେ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୪ଟି ଲେଖାଏଁ ବେଡ୍ ଏଚଡିୟୁ ବ୍ୟବସ୍ଥା କରାଯାଇଛି। ଏହି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ଆଇସିୟୁ ଯୋଗାଇ ଦିଆଯାଉଛି। ମାତ୍ର ବେଳେବେଳେ ବାହାରୁ ଚିକିତ୍ସା‌ ହୋଇ କେବଳ ଆଇସିୟୁ ପାଇଁ ଆସୁଥିବ‌ା ରୋଗୀଙ୍କୁ ଏହି ସୁବିଧା ଯୋଗାଇ ହେଉନାହିଁ। ଆଇସିୟୁ ବୃଦ୍ଧି କରିବା ପ‌ାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି। ଟ୍ରମା କେୟାର କେନ୍ଦ୍ର ଉଦ୍‌ଘାଟନ ହେବା ପରେ ଆ‌ଇସିୟୁ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe