Sambad English
ଭୁବନେଶ୍ବର ନ୍ୟାୟ ଦାବିରେ ଆଜି ଜଣେ ମହିଳା ବାପଘର ଲୋକଙ୍କ ସହ ଖଣ୍ଡଗିରି ଥାନା ଆଗରେ ଦୀର୍ଘ ୧୧ ଘଣ୍ଟା ଧରି ଧାରଣା ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ମହିଳାଜଣଙ୍କ ହେଲେ, ଗଂଜାମ ବୁଗୁଡ଼ାର ବିଷ୍ଣୁପ୍ରିୟା ଗୌଡ଼। ତାଙ୍କ ଅଭିଯୋଗ ହେଲା, ଗତ ଫେବ୍ରୁଆରି ମାସରେ ସେ ଡୁମୁଡୁମା ରଘୁନାଥନଗର ଅଞ୍ଚଳର ହାଇଦର ଅଲ୍ଲୀଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ପାଖରେ ୮ଦିନ ରହିଥିଲେ। ତେବେ କୌଣସି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ହାଇଦର୍ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ପରେ ସେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଉଦ୍ୟମ କରିଥିଲେ। ଏ ସଂପର୍କରେ ଖବର ପାଇ ବିଷ୍ଣୁପ୍ରିୟା ଝିଅ ଘରେ ପହଞ୍ଚି ବାହାଘର ଭାଙ୍ଗି ଦେଇଥିଲେ। ଏହାପରେ ଗତ ମଙ୍ଗଳବାର ସେ ତାଙ୍କ ସ୍ବାମୀ ହାଇଦରଙ୍କ ଘରକୁ ରହିବାକୁ ଯାଇଥିଲେ। କିନ୍ତୁ ସେଠାରେ ହାଇଦର୍ଙ୍କ ବଡ଼ ଭାଇ ଓ ବାପା ମିଳିତ ଭାବେ ତାଙ୍କୁ ମାଡ଼ ମାରି ଏକ ଡ୍ରେନ୍ରେ ଫିଙ୍ଗି ଦେଇଥିଲେ। ଏ ସଂପର୍କରେ ବିଷ୍ଣୁପ୍ରିୟା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।
ତେବେ ପୁଲିସ ହାଇଦରଙ୍କୁ ଗିରଫ କରିଥିଲେ ହେଁ ପୁଲିସ କୋହଳ ଦଫା ଲଗାଇଥିବାରୁ ସେ ଏବେ ଜାମିନ୍ରେ ମୁକୁଳି ଯାଇଛନ୍ତି। ସେହିପରି ଘଟଣା ପରଠାରୁ ହାଇଦରଙ୍କ ବାପା ଓ ବଡ଼ଭାଇ ଫେରାର୍ ଅଛନ୍ତି। ତେଣୁ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ବିଷ୍ଣୁପ୍ରିୟା ଓ ତାଙ୍କ ପରିବାରଲୋକ ଥାନା ଆଗରେ ଧାରଣାରେ ବସିଥିଲେ। ତେବେ ପୁଲିସ ଅଭିଯୁକ୍ତକୁ ଗିରଫ କରିବ ବୋଲି କହି ମହିଳାଙ୍କୁ ବୁଝାସୁଝା କରିବା ପରେ ସେ ଧାରଣାରୁ ଓହରିଥିବା ଜଣାଯାଇଛି।
Follow Us